Unknown

 

 

 

 

 

 

 

 

 

ନୀତି ବୋଧ

ଶ୍ରୀ ରାଜକୃଷ୍ଣ ବନ୍ଦ୍ୟୋପାଧ୍ୟାୟ

 

ସୂଚୀପତ୍ର

 

୧.

ପଶୁମାନଙ୍କ ପ୍ରତି ବ୍ୟବହାର

୨.

ଯାଦବ, ମାଧବ

 

ପରିବାରଙ୍କ ପ୍ରତି ବ୍ୟବହାର

 

ଏନାପିୟସ୍‌ ଆଉ ଏମ୍ପିନୋମସ୍‌

 

ଆଲେକ୍‌ଜାଣ୍ଡର ଆଉ ତାଙ୍କ ମାତା

 

ଫ୍ରେଡ଼ରିକ ଆଉ ତାଙ୍କର ବାଳକ ଭୃତ୍ୟ

୩.

ପ୍ରଧାନ ଆଉ ନିକୃଷ୍ଟ ଲୋକଙ୍କ ପ୍ରତି ବ୍ୟବହାର

 

ଆଲଫନ୍‌ସୋ

 

ପ୍ରଭୁଙ୍କ ନିମନ୍ତେ ଭୃତ୍ୟର ପ୍ରାଣଦାନ

୪.

ପରିଶ୍ରମ

 

ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌

୫.

ସ୍ୱଚିନ୍ତା ଓ ସ୍ୱଅବଲମ୍ୱନ

 

ସର୍‌ ରର୍ବଟ ଇନିସ୍‌

୬.

ପ୍ରତ୍ୟୁତ୍ପନ୍ନମତିତବ

 

ଦହ୍ୟମାନ ଗୃହସ୍ଥିତ ଦୁଇ ସ୍ତ୍ରୀଙ୍କର ଭିନ୍ନ ଭିନ୍ନ କର୍ମ

 

ଜଣେ ଚିତ୍ରକରର ଭୃତ୍ୟ

୭.

ବିନୟ

 

ସାର ଆଇଜାକ୍‌ ନିଉଟନ୍‍

୮.

ଶିଷ୍ଟାଚାର

 

ପାରସ୍ୟ-ଦେଶୀୟ କୃଷାଣ

 

ଚତୁର୍ଦ୍ଦଶ ଲୁଇ ମହାରାଜା

୯.

ପରିମିତାହାର

 

ଲୁଇ କର୍ଣ୍ଣରୋ

୧୦.

ସ୍ୱାସ୍ଥ୍ୟରକ୍ଷା

 

ସ୍ୱାସ୍ଥ୍ୟରକ୍ଷାରେ ଅମନୋଯୋଗୀ ଜଣେ ଯୁବା ପୁରୁଷ

୧୧.

ସନ୍ତୋଷ

 

ନେପୋଲିୟନ୍‍ ବୋନାପାର୍ଟ

୧୨.

ପରିମିତ ବ୍ୟୟିତା

 

ପ୍ରଧାନ ୨ ଲୋକଙ୍କର ପରିମିତବ୍ୟୟିତା

୧୩.

ଦୟା

 

ଜନ୍‌ ହାଉଆର୍ଡ଼

 

ସର୍‌ ଫିଲିପ୍‌ ସିଡ଼ନି

 

ଟାଇଟସ୍‌

 

 

୧୪.

କ୍ରୋଧସମ୍ୱରଣ-କ୍ଷମା

 

ସକ୍ରେଟିସ୍‌

 

ଏବରେଟ୍‌

 

ସହିଷ୍ଣୁତା ବିଷୟରେ ଉତ୍ତମ ଦୃଷ୍ଟାନ୍ତ

୧୫.

ସୁଶୀଳତା

 

ଆଲ୍‌ଫନ୍‌ସୋ

୧୬.

ପରଦ୍ରବ୍ୟ ବିଷୟରେ ନ୍ୟାୟ

 

ନ୍ୟାୟପରାୟଣ ଜଣେ ଦ୍ୱାରୀ

 

ମୋଜେସ୍ ରଥ୍‌ଚାଇଲ୍ଡ଼୍

୧୭.

ପରକୀୟା ଖ୍ୟାତି ବିଷୟିଣୀ ନ୍ୟାୟପରତା

 

ମିଥ୍ୟାପବାଦରେ ସକ୍ରେଟିସର ପ୍ରାଣଦଣ୍ଡ

୧୮

କର୍ତ୍ତବ୍ୟାନୁଷ୍ଠାନ ବିଷୟିଣୀ ନ୍ୟାୟପରତା

 

ଜର୍ଜ ଉଆସିଂଟନ

 

ଗାସକୋଇନ୍ ବିଚାରକର୍ତ୍ତା

୧୯.

ଋଣ ବିଷୟିଣୀ ନ୍ୟାୟପରତା

 

ଜର୍ଜ ଲୁଇସ୍

୨୦.

ନିଷ୍କପଟ ବ୍ୟବହାର

 

ନ୍ୟାୟପରାୟଣ ବାଳକ

୨୧.

ପ୍ରତିଜ୍ଞା ପ୍ରତିପାଳନ

 

ଜଣେ ମୁର ଲୋକ ଆଉ ଜଣେ ସ୍ପେନ-ଦେଶୀୟ ଲୋକ

୨୨.

ସତ୍ୟ

 

ଏମୀଲିୟା

୨୩.

ମହାନୁଭାବତା

 

ମାର୍ସିଡ଼ୋନିୟାର ରାଜା ଫିଲିପ୍

 

ହେବେନା ଦେଶର ଶାସନକର୍ତ୍ତା

୨୪.

ସ୍ୱଦେଶାନୁରାଗ

 

କାଲିସ୍‍ ନଗରର ଅବରୋଧ

Image

 

ପଶୁମାନଙ୍କ ପ୍ରତି ବ୍ୟବହାର

 

ମନୁଷ୍ୟମାନଙ୍କର କଦାପି କୌଣସି ଅପକାର ନ କରନ୍ତି ଏରୂପେ ଅନେକ କ୍ଷୁଦ୍ର ଜୀବଜନ୍ତୁ ଏହି ଭୂମଣ୍ଡଳରେ ଅଛନ୍ତି । କିନ୍ତୁ କୌଣସି କୌଣସି ଲୋକ ସ୍ୱଭାବବଶରୁ ଏମନ୍ତ ନିଷ୍ଠୁର ଯେ, ଦେଖିବାମାତ୍ରେ ସେଇ ସକଳ କ୍ଷୁଦ୍ର ଜୀବଙ୍କୁ ନାନା ପ୍ରକାର କ୍ଲେଶ ଦିଅନ୍ତି, ଅଥଚ ସେମାନଙ୍କ ପ୍ରାଣ ବଧ କରନ୍ତି । ମାତ୍ର ଏରୂପ କର୍ମ କରିବା କଦାପି ଉଚିତ ନୁହେଁ; ହେତୁ କି ଅକାରଣରେ କୌଣସି ପ୍ରାଣୀକୁ କ୍ଳେଶ ଦେବା ଅତ୍ୟନ୍ତ ଅନ୍ୟାୟ କର୍ମ ଅଟେ । ଯେବେ କେତେବେଳେ ଆମ୍ଭେମାନେ କୌଣସି ଦୁର୍ବଳ ପ୍ରାଣୀକୁ ଯାତନା ଦେବା କିମ୍ୱା ତାହାର ପ୍ରାଣ ହିଂସା କରିବା ଲାଗି ଉଦ୍ୟତ ହେବା, ସେତେବେଳେ ଆମ୍ଭମାନଙ୍କର ଇହା ବିବେଚନା କରିବା ଉଚିତ, କୌଣସି ପ୍ରବଳ ପ୍ରାଣୀ ଆମ୍ଭମାନଙ୍କ ପ୍ରତି ସେଇରୂପ ଆଚରଣ କଲେ ଆମ୍ଭେମାନେ କି ବିଚାର କରନ୍ତୁ ?

 

ଯେବେ ଆମ୍ଭେମାନେ ଆମୋଦ କିମ୍ୱା କାର୍ଯ୍ୟର ସୁଖ-ସାଧନା ନିମନ୍ତେ ଅଶ୍ୱ କି ଅନ୍ୟ କୌଣସି ଜନ୍ତୁ ପୋଷିବା, ତେବେ ସେଇ ପୋଷା ଜନ୍ତୁକୁ ଯଥେଷ୍ଟ ଭୋଜନ ଦେବା, ଉତ୍ତମ ସ୍ଥାନରେ ରଖିବା ଏବଂ ତାହାର ସାମର୍ଥ୍ୟ ଯେତେ ତାହାଠାରୁ ଅଧିକ କର୍ମ ନ କରାଇବା, ଆମ୍ଭମାନଙ୍କର ଅବଶ୍ୟ କର୍ତ୍ତବ୍ୟ ବୋଲି ବିବେଚନା କରିବାକୁ ହେବ । ଅତ୍ୟନ୍ତ ବୃଦ୍ଧାବସ୍ଥା, ଅତିଶୟ ପରିଶ୍ରମ ଅଥବା ଅତ୍ୟଳ୍ପ ଆହାର ହେତୁରୁ ଅଶ୍ୱ ଦୁର୍ବଳ ହୋଇ ଶୀଘ୍ର ଗମନ କରି ନ ପାରିଲେ ତାକୁ ପ୍ରହାର କରିବା ଅତିନିର୍ଦୟ ଏବଂ ନିର୍ଲଜ୍ଜ ଲୋକର କର୍ମ ।

Image

 

ଯାଦବ, ମାନବ

 

ଯାଦବ, ମାଧବ ଦୁଇ ଜନ ସହୋଦର ଭ୍ରାତା ଥିଲେ, ଜଣକର ସାତ ବର୍ଷ ବୟସ, ଦ୍ୱିତୀୟର ପାଞ୍ଚବର୍ଷ ବୟସ । ଯାଦବ ଅତିଶୟ ବୁଦ୍ଧିମାନ୍‌ ଏବଂ ସୁଶୀଳ; ମାଧବସୁଦ୍ଧା ସୁବୋଧ କିନ୍ତୁ ନିତାନ୍ତ ବାଳକ ହେତୁରୁ ଭଲମନ୍ଦ ବିବେଚନା କରି ପାରେ ନାହିଁ, ସୁତରାଂ ସର୍ବଦା ମନ୍ଦ କର୍ମରେ ପ୍ରବୃତ୍ତ ହୁଏ ।

 

ଦିନକରେ ସେ ଦୁଇ ଭାଇ ଏକତ୍ର ହୋଇ ଘରର ନିକଟବର୍ତ୍ତୀ ବଗିଚାରେ ଭ୍ରମଣ କରୁଥିଲେ । ସେଠାରେ ଏକ ବୃକ୍ଷକୋଟରରେ ଗୋଟାଏ ବସା ଦେଖିଲେ । ତହିଁ ମଧ୍ୟରେ କେତେ ଗୁଡ଼ିଏ ପକ୍ଷୀଛୁଆ ଦେଖି ଧରିବା ମାନସରେ ସେ ଦୁହେଁ ବସାର ନିକଟକୁ ଗଲେ । ସେତିକିବେଳେ ପକ୍ଷୀମାତା ଆପଣାର ଶିଶୁମାନଙ୍କୁ ଆହାର ଦେଉଥିଲା, ଯାଦବ ମାଧବଙ୍କୁ ଦେଖିଲାକ୍ଷଣି ସେମାନଙ୍କ ଆହାର-ଦାନରେ ନିବର୍ତ୍ତ ହୋଇ ଭୟରେ ପଳାଇଗଲା । ମାଧବ ପକ୍ଷୀଛୁଆ ଧରିବା ଅତିଶୟ ବ୍ୟଗ୍ର ଆଉ ଲୁବ୍ଧ ହେଲା; କିନ୍ତୁ ଯାଦବ ନିବାରଣ କରି କହିଲା, କେତେକ ଦିନ ହେଲା ପିତା କହିଥିଲେ, ପକ୍ଷୀଶିଶୁ ଧରିବା ଅତି ମନ୍ଦ କର୍ମ । ଆମ୍ଭମାନଙ୍କ ପିତା ମାତା ଆମ୍ଭମାନଙ୍କ ଉପରେ ଯାଦୃଶ ସ୍ନେହ କରନ୍ତି, ପକ୍ଷୀମାନେ ସୁଦ୍ଧା ତାଙ୍କ ଶିଶୁମାନଙ୍କୁ ତାଦୃଶ ସ୍ନେହ କରନ୍ତି । କୌଣସି ଦୁଷ୍ଟ ଲୋକ ଗୃହକୁ ଆସି ଆମ୍ଭମାନଙ୍କୁ ବଳପୂର୍ବକ ଘେନିଗଲେ ପିତାମାତା ଯେରୂପ ଶୋକାକୁଳ ହୁଅନ୍ତେ, ପକ୍ଷୀମାନେ ମଧ୍ୟ ତାଙ୍କ ପିଲାଙ୍କ ବିରହରେ ସେହିରୁପେ ହୁଅନ୍ତି । ମାତୃ-ସ୍ନେହ ବ୍ୟତିରେକ ପକ୍ଷୀଶାବକ କୌଣସି ପ୍ରକାରରେ ପରିବର୍ଦ୍ଧିତ ହୋଇ ପାରନ୍ତି ନାହିଁ; ବାଳକମାନେ ଘେନିଗଲେ ପ୍ରାୟ ସର୍ବଦା କ୍ଳେଶ ପାଇ ପ୍ରାଣ ତ୍ୟାଗ କରନ୍ତି । ଅତଏବ ଯାବତ୍ ସେମାନେ ଉଡ଼ି ଆତ୍ମରକ୍ଷା କରିବାକୁ ସମର୍ଥ ନ ହୁଅନ୍ତି ତାବତ୍ ସେମାନଙ୍କର ମାତୃ ନିକଟରେ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

 

ଏଥି ପୂର୍ବରେ ଆଉ କଦାପି ଏରୂପ କଥା ମାଧବ ଶୁଣି ନଥିଲା; ସୁତରାଂ ଏରୂପ କର୍ମ ନିନ୍ଦ୍ୟ ବୋଲି ତାହାର ବୋଧ ନ ଥିଲା । କିନ୍ତୁ ପକ୍ଷୀଶାବକ ଧରିବା ଏବଂ ସେମାନଙ୍କୁ କ୍ଲେଶ ଦେବା ଉଚିତ ନୁହେଁ ବୋଲି ବର୍ତ୍ତମାନ ବୁଝିପାରି ଆଉ କଦାପି ଆମ୍ଭେ ପକ୍ଷୀଶାବକ ଗ୍ରହଣ କରିବାକୁ ଅଭିଳାଷ କରିବୁ ନାହିଁ ଏରୂପ କହିଲା ।

 

ସେଇ ସମୟରେ ତାଙ୍କ ପିତା କିଛି ଦୂରରେ ଠିଆ ହୋଇଥିଲେ, ମଧ୍ୟ ସେ ଦୁହିଁଙ୍କର ସମସ୍ତ କଥୋପକଥନ ତାଙ୍କର କର୍ଣ୍ଣଗୋଚର ହେଲା । ପୁତ୍ରମାନଙ୍କର ଏତେ ଅଳ୍ପ ବୟସରେ ପକ୍ଷୀଶାବକକୁ ଗ୍ରହଣ କରିବା ନିନ୍ଦ୍ୟ କର୍ମ ବୋଲି ବୋଧ ହୋଇଅଛି, ଇହା ଦେଖି ସେ ଅପରିସୀମ ହର୍ଷ ପ୍ରାପ୍ତ ହେଲେ; ପୁନଶ୍ଚ ସେ ଦୁହିଁଙ୍କ ସମ୍ମୁଖକୁ ଯାଇ କହିଲେ, ତୁମ୍ଭେ ଦୁଇଜନ ଅତି ସୁଶୀଳ, ଆମ୍ଭେ ତୁମ୍ଭ କଥୋପକଥନ ଶ୍ରବଣ କରି ଅତିଶୟ ସନ୍ତୁଷ୍ଟ ହେଲୁଁ । ଯଦ୍ୟପି କ୍ଷୁଦ୍ର ପକ୍ଷୀକୁ କ୍ଲେଶ ଦେବା ଲୋକରେ ସାମାନ୍ୟ ଦୋଷ ଜ୍ଞାନ କରନ୍ତି, ତଥାପି କ୍ରୀଡ଼ା ଓ କୌତୁକ ନିମନ୍ତେ ଦୁଃଶୀଳ ବାଳକମାନେ, ତାଦୃଶ ନିରପରାଧ ଜନ୍ତୁଠାରେ ନିର୍ଦ୍ଦୟ ବ୍ୟବହାର କରନ୍ତି, ତାଙ୍କର ଦୋଷ ସାମାନ୍ୟ ଜ୍ଞାନ କରିବା ଏବଂ ସାମାନ୍ୟ ଜ୍ଞାନ କରି କ୍ଷମା କରିବା ଉଚିତ ନୁହେଁ । ଯେଉଁମାନେ ଏତାଦୃଶ ନିନ୍ଦ୍ୟ କର୍ମରେ ପ୍ରବୃତ୍ତ ହୁଅନ୍ତି ସେମାନଙ୍କର ହୃଦୟରେ ଦୟାର ଲେଶ ମାତ୍ର ନାହିଁ ।

Image

 

ପରିବାରଙ୍କ ପ୍ରତି ବ୍ୟବହାର

 

ଆମ୍ଭେମାନଙ୍କ ପିତା, ମାତା, ଭ୍ରାତା, ଭଗିନୀ ପ୍ରଭୃତି ପରିବାରଙ୍କ ପ୍ରତି ସର୍ବଦା ସଦୟ ଓ ଅନୁକୂଳ ହେବା ଉଚିତ । ଦେଖ, ଯେତେବେଳେ ଆମ୍ଭେମାନେ ନିତାନ୍ତ ଶିଶୁ ଏବଂ ନିଜେ ନିରୁପାୟ ଥିଲୁଁ, ପିତା ମାତା ଆମ୍ଭମାନଙ୍କୁ ଖୁଆଇ ପିନ୍ଧାଇ ମନୁଷ୍ୟ କରିଅଛନ୍ତି, ଅଥଚ ଆମ୍ଭମାନଙ୍କ ଲାଗି କେତେ ଯତ୍ନ, ପରିଶ୍ରମ କେତେ ଅବା କଷ୍ଟ ସ୍ୱୀକାର କରିଅଛନ୍ତି । ବାସ୍ତବ ସେତେବେଳେ ସେମାନଙ୍କର ତାଦୃଶ ଦୟା, ତାଦୃଶ ସ୍ନେହ ନ ଥିଲେ ଆମ୍ଭେମାନେ କେତେବେଳେ ମୃତ୍ୟୁଗ୍ରାସରେ ପତିତ ହୋଇଥାନ୍ତେ । ଅତଏବ ସେମାନଙ୍କ ଉପକାର ମାନି ସେମାନଙ୍କଠାରେ ସ୍ନେହ ଓ ଭକ୍ତି କରିବା, ସର୍ବ ପ୍ରଯତ୍ନରେ ସେମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଚେଷ୍ଟା କରିବା, ଏବଂ ଯଥାସାଧ୍ୟ ସେମାନଙ୍କର ମଙ୍ଗଳଚିନ୍ତା ଆଉ ହିତାନୁଷ୍ଠାନ କରିବା ଆମ୍ଭମାନଙ୍କର ପ୍ରଧାନ ଧର୍ମ ପୁଣି ଅବଶ୍ୟ କର୍ତ୍ତବ୍ୟ କର୍ମ ଅଟେ । ଯେବେ ଆମ୍ଭମାନେ ତାଙ୍କର ପରାମର୍ଶ ରକ୍ଷା ଆଉ ଆଜ୍ଞା ପ୍ରତିପାଳନ ନ କରୁଁ ତେବେ ପୁତ୍ରକର୍ମ ତ୍ରୁଟି ହେବ ।

 

ଭ୍ରାତୃ ଓ ଭଗିନୀମାନେ ଏକ ମାତୃଗର୍ଭରେ ଉତ୍ପନ୍ନ ଏବଂ ଏକ ପିତା ମାତାଙ୍କ ସ୍ନେହ ଆଉ ଯତ୍ନରେ ପ୍ରତିପାଳିତ । ସେମାନଙ୍କର ଜନ୍ମାବଧି ଏକତ୍ର ଶୟନ, ଏକତ୍ର ଭୋଜନ, ଏକତ୍ର ଉପବେଶନ ହୁଏ; ଏଥି ନିମନ୍ତେ ସମସ୍ତ ଆଶା କରିଥାନ୍ତି, ସେମାନଙ୍କର ମଧ୍ୟରେ ପରସ୍ପର ସ୍ନେହ ଆଉ ସଦ୍ଭାବ ରହିବ । ସେମାନଙ୍କ ଏରୂପ ହେଲେ ଲୋକେ ତାଙ୍କୁ ସୁଶୀଳ ପୁଣି ସଦାଶୟ ବୋଧ କରନ୍ତି; ସୁତରାଂ ସେମାନେ ସମସ୍ତଙ୍କର ଅନୁରାଗ–ଯୋଗ୍ୟ ହୁଅନ୍ତି । କିନ୍ତୁ ଏରୂପ ନହୋଇ ଯେବେ ସେମାନେ ପରସ୍ପର ବିରୋଧ ଓ କଳହ କରନ୍ତି, ତେବେ ଲୋକେ ସେମାନଙ୍କର ଏପ୍ରକାର ଦୂରାଚାର ଦେଖି ଅସନ୍ତୁଷ୍ଟ ହୋଇ ସେମାନଙ୍କ ସହିତ ଆଳାପ କରନ୍ତି ନାହିଁ । ଭ୍ରାତୃ ଭଗିନୀମାନଙ୍କର ପରସ୍ପର ପ୍ରଣୟ ଥିଲେ ସେମାନେ ଯଥାସାଧ୍ୟ ପରସ୍ପରରେ ଅନୁକୂଳ ଆଉ ଉପକାରୀ ହୋଇ ପାରିବେ; ଏଥି ସକାଶେ ବାଳକ ଅବସ୍ଥାରୁ ସୌଭ୍ରାତ୍ରରୂପ ମହାମୂଲ୍ୟ, ରତ୍ନର ଉପାର୍ଜନରେ ଯତ୍ନବାନ ହେବା ଉଚିତ ।

Image

 

ଏନାପିୟସ୍‌ ଆଉ ଏଙ୍ଗିନୋମସ୍‌

 

ଆଗ୍ନେୟ ପର୍ବତର ଶିଖର ଦେଶରେ ଏକ ଗୁହା ଅଛି, ତଦ୍ଦ୍ୱାରା ଧୂମ, ଅଗ୍ନିଶିଖା, ପ୍ରସ୍ତର ଓ ଗଳିତ ଧାତୁଦ୍ରବ୍ୟ ଅତି ପ୍ରଚଣ୍ଡ ବେଗରେ ନିଃସୃତ ହୁଏ ।

ଇଉରୋପର ଅନ୍ତର୍ବର୍ତ୍ତୀ ସିସିଲି ଦ୍ୱୀପରେ ଏଟ୍‍ନା ନାମକ ଏକ ପ୍ରସିଦ୍ଧ ଆଗ୍ନେୟପର୍ବତ ଅଛି । ଅନେକ କାଳ ହେଲା ସେ ପର୍ବତ ମଧ୍ୟରୁ ଭୟାନକ ବେଗରେ ଜ୍ୱଳନ୍ତା ଗଳିତ ଧାତୁଦ୍ରବ୍ୟ ନିର୍ଗତ ହୋଇ ନିକଟବର୍ତ୍ତିୀ ଗ୍ରାମ ସକଳ ଦଗ୍ଧ କରିଥିଲା । ନିକଟବର୍ତ୍ତୀ ଗ୍ରାମବାସୀ ଲୋକେ ତାହା ଦେଖି ଅତିଶୟ ଶଙ୍କିତ ହୋଇ ସ୍ୱ ସ୍ୱ ମହାମୂଲ୍ୟ ଦ୍ରବ୍ୟ ସମୂହ ଘେନି ପଳାୟନ କଲେ । ମାତ୍ର ଏନାପିୟସ ଓ ଏଙ୍ଗିନୋମସ୍‌ ନାମରେ ଦୁଇଟି ଯୁବା ପୁରୁଷ, ଅନ୍ୟାନ୍ୟ ଲୋକଙ୍କ ପରି ସମ୍ପତ୍ତି ରକ୍ଷଣାବେକ୍ଷଣ ବ୍ୟଗ୍ର ନ ହୋଇ, ବୃଦ୍ଧ ପିତାମାତାଙ୍କୁ ସ୍କନ୍ଧ ଉପରେ ଆରୋହଣ କରାଇ ପ୍ରସ୍ଥାନ କଲେ । ପୁତ୍ରମାନେ ଏରୂପେ ସଦ୍‍ବ୍ୟବହାର କରି ନ ଥିଲେ ସେମାନଙ୍କ ପ୍ରାଣ ରକ୍ଷାର ଆଉ କୌଣସି ଉପାୟ ନଥିଲା । ସେଇ ଯୁବା ପୁରୁଷ ଦୁହିଙ୍କର ଅସାଧାରଣ ସାଧୁତା ଦେଖି ଚମତ୍କାର ହୋଇ ସମସ୍ତେ ଅନେକ ଧନ୍ୟବାଦ ପ୍ରଦାନ କଲେ । ସେମାନେ ଯେଉଁ ଦିଗକୁ ଗମନ କରିଥିଲେ, ଦୈବବଶରୁ ପର୍ବତନିଃସୃତ ଗଳିତ ଧାତୁ ସେ ଦିଗକୁ ସ୍ପର୍ଶସୁଦ୍ଧା କଲା ନାହିଁ, ଏବଂ ସେ ସ୍ଥାନ ଅନ୍ୟାନ ଭୂଭାଗ ପରି ଦଗ୍ଧ ମରୁଭୂମି ହେଲା ନାହିଁ । କିନ୍ତୁ ସାମାନ୍ୟ ଲୋକେ ମହା ଅଦ୍ଭୁତ ଜ୍ଞାନକରି ସ୍ଥିର କଲେ କି ସେ ଦୁଇ ଜଣଙ୍କ ସାଧୁତା ହେତୁରୁ ଏହି ଆଶ୍ଚର୍ଯ୍ୟ ଘଟନା ଘଟିଅଛି ଆଉ ସେହି ଦିନଠାରୁ ଉକ୍ତ ସ୍ଥାନ “ଧର୍ମକ୍ଷେତ୍ର” ବୋଲି ପ୍ରସିଦ୍ଧ ହେଲା ।

Image

 

ଆଲେକ୍‌ଜାଣ୍ଡର ଆଉ ତାଙ୍କ ମାତା

 

ଯଦ୍ୟପି ମାତା ଅତି କର୍କଶ ଆଉ ନିର୍ବୋଧ ହୁଅନ୍ତି, ତଥାପି ତାଙ୍କ ପ୍ରତି ସମୁଚିତ ସମ୍ମାନ ପୁଣି କ୍ଷମା ଆଚରଣ କରିବା ପୁତ୍ରର ଅବଶ୍ୟ କର୍ତ୍ତବ୍ୟ କର୍ମ ।

 

ମହାବୀର ଆଲେକ୍‍ଜାଣ୍ଡରଙ୍କ ମାତା ଓଲିମ୍ପିୟା ସକଳ ବିଷୟରେ ହସ୍ତାର୍ପଣ ଆଉ ଅଧିକାର କରିବାକୁ ଇଚ୍ଛା କରୁଥିଲେ, ଏବଂ ଆପଣା ପୁତ୍ରକୁ ସର୍ବଦା ବିରକ୍ତି କରୁଥିଲେ ଅଥଚ ଅତିଶୟ କ୍ଳେଶ ଦେଉଥିଲେ, ତଥାପି ସେ ତାଙ୍କ ଉପରେ କ୍ଷଣକାଳ ନିମନ୍ତେ ସୁଦ୍ଧା ବିରକ୍ତ ହେଉ ନଥିଲେ; ବରଂ ଯେତେବେଳେ ଦିଗ୍‍ବିଜୟ-ଯାତ୍ରା କରୁଥିଲେ, ଜୟ-ଲବ୍ଧ ଦ୍ରବ୍ୟସମୂହ-ମଧ୍ୟରୁ ଦୃଢ଼ତର-ମାତୃ-ଭକ୍ତିର ପ୍ରମାଣ ସ୍ୱରୂପ ଅନେକ ଅନେକ ଭେଟିଦ୍ରବ୍ୟ ତାଙ୍କ ନିକଟକୁ ପ୍ରେରଣ କରନ୍ତି । ସେ ଏକ ସମୟରେ ଚିଠିଦ୍ୱାରା ଜନନୀଙ୍କୁ ଏତିକିମାତ୍ର ପ୍ରାର୍ଥନା କରିଥିଲେ, ଆପଣ ରାଜ୍ୟ ସଂକ୍ରାନ୍ତ କୌଣସି ବିଷୟରେ ହସ୍ତାର୍ପଣ ନକରି ଆମ୍ଭ ନିୟୋଜିତ କର୍ମକର୍ତ୍ତା ଏଣ୍ଟିପେଟରକୁ ନିର୍ବିଘ୍ନରେ ରାଜକାର୍ଯ୍ୟର ବିଚାର କରାଇ ଦେବ । ତାଙ୍କ ମାତା ଆପଣା ପୁତ୍ରର ଏହିରୁପ ନ୍ୟାୟ ପ୍ରାର୍ଥନାରେ କୁପିତା ହୋଇ ଅତି କର୍କଶ ବଚନରେ ସେ ଚିଠିର ଉତ୍ତର ପ୍ରେରଣ କଲେ । ଆଲେକ୍‌ଜାଣ୍ଡର କିଞ୍ଚିନ୍ନାତ୍ର ବିରକ୍ତି ଅବା ଅସନ୍ତୁଷ୍ଟ ହେଲେ ନାହିଁ, ଏବଂ ପ୍ରତ୍ୟୁତ୍ତର ଦେବାବେଳେ କୌଣସି ପ୍ରକାର କର୍କଶ ବାକ୍ୟ ଲେଖିଲେ ନାହିଁ ।

 

କୌଣସି କାଲରେ ତାଙ୍କ ମାତା ଅତ୍ୟନ୍ତ ବିରକ୍ତ କରିବାରେ, ଏଣ୍ଟିପେଟରକୁ ଅତିଶୟ ଭର୍ତ୍ସନା କରି ଚିଠିଦ୍ୱାରା ଆଲେକ୍‌ଜାଣ୍ଡରଙ୍କ ନିକଟରେ ତାଙ୍କ ନାମରେ ଅଭିଯୋଗ କଲେ, କିନ୍ତୁ ଆଲେକ୍‌ଜାଣ୍ଡର ଚିଠି ପାଇ କେବଳ ଏହି ଉତ୍ତର ଲେଖିଲେ; ଏଣ୍ଟିପେଟର, ତୁମ୍ଭେ ଜାଣ ନା, ଯେ ଆମ୍ଭ ଜନନୀଙ୍କର ଏକମାତ୍ର ଅଶ୍ରୁବିନ୍ଦୁ ତୁମ୍ଭର ଶତ ଶତ ପୁତ୍ରକୁ ଲୋପ କରି ପାରେ ।

Image

 

ଫ୍ରେଡ଼ରିକ ଆଉ ତାଙ୍କର ବାଳକ ଭୃତ୍ୟ

 

ପୃସିୟାର ଅଧିପତି ସୁବିଖ୍ୟାତ ଫ୍ରେଡ଼ରିକଙ୍କର ଗୋଟିଏ ବାଳକ ଭୃତ୍ୟ ଥିଲା । ସେ ସର୍ବଦା ତାଙ୍କ ଗୃହଦ୍ୱାରରେ ଉପବିଷ୍ଟ ଥାଏ । ଆବଶ୍ୟକ ହେଲେ ରାଜା ତାଙ୍କୁ ଡାକନ୍ତି । ଦିନକରେ ରାଜା ବାରମ୍ୱାର ଡାକିଲେ ତଥାପି କୌଣସି ଉତ୍ତର ନ ପାଇବାରୁ ସ୍ୱୟଂ ଦ୍ୱାରକୁ ଯାଇ ଦେଖିଲେ, ବାଳକ ପଲଙ୍କରେ ଶୟନ କରି ସୁଖରେ ନିଦ୍ରା ଯାଇଅଛି । ଅନନ୍ତରେ ସେ ତାକୁ ଜାଗରିତ କରିବାର ଉଦ୍‌ଯୋଗ କରୁଥିଲେ । ସେତିକିବେଳେ ତାହା ଅଙ୍ଗବସ୍ତ୍ର ମଧ୍ୟରେ ଖଣ୍ଡେ ଚିଠି ଦେଖିଲେ-। ସେ ଚିଠିର ଅର୍ଥ ଜାଣିବା ଲାଗି ଏକାନ୍ତ କୌତୂହଳାକ୍ରାନ୍ତ ହୋଇ ତତ୍‍କ୍ଷଣାତ୍‍ ତାହା ନେଇ ପାଠ କରି ଦେଖିଲେ, ଯେ ସେଇ ବାଳକ ଆପଣା ବେତନରୁ କିଛି ମାତା ନିକଟକୁ ପଠାଇଥିଲା ଆଉ ମାତା ତାହା ପାଇ ପ୍ରୀତି-ପ୍ରଫୁଲ୍ଲ ଚିତ୍ତରେ ଲେଖିଅଛନ୍ତି; ବତ୍ସ ! ତୁମ୍ଭେ ଯେ ଆମ୍ଭ ଦୁଃଖ ସମୟରେ ଏହି ସାହାଯ୍ୟ କଲ, ତହିଁରେ ପରମ ସନ୍ତୋଷ ହେଲୁଁ, ପ୍ରାର୍ଥନା କରୁଅଛୁଁ ଜଗଦୀଶ୍ୱର ତୁମ୍ଭକୁ ଦୀର୍ଘଜୀବୀ ଆଉ ନିରାପଦ କରନ୍ତୁ ଏବଂ ଯାବଜ୍ଜୀବନ ସୁଖରେ ରଖନ୍ତୁ ।

 

ଫ୍ରେଡ଼ରିକ୍‌ ଅତି ଦାନଶୀଳ, ପତ୍ର ପାଠ କରି ପୁଲକିତ ହେଲେ, ଏବଂ ନିଃଶବ୍ଦରୂପେ ଚାଲି ଯାଇ ଗୃହରେ ପ୍ରବିଷ୍ଟ ହୋଇ କେତେ ଗୋଟି ମୁଦ୍ରା ଆଣି ଉକ୍ତ ଚିଠି ସହିତ ଏକତ୍ର କରି ପୂର୍ବ ସ୍ଥାନରେ ରଖିଲେ । ଅନନ୍ତର ସ୍ୱସ୍ଥାନକୁ ପ୍ରତ୍ୟାଗମନ କରି ଅତି ଉଚ୍ଚସ୍ୱରରେ ବାରମ୍ୱାର ଆହ୍ୱାନ କଲେ । ବାଳକ ଜାଗରିତ ଆଉ ତ୍ରସ୍ତ ହୋଇ ରାଜାଙ୍କ ଛାମୁରେ ଉପସ୍ଥିତ ହେଲା । ରାଜା କହିଲେ ତୁମ୍ଭର ବଡ଼ ଗାଢ଼ ନିଦ୍ରା ହୋଇଥିଲା । ସେ ଭୀତ ଆଉ ବ୍ୟାକୁଳ ହୋଇ କ୍ଷମା ପ୍ରାର୍ଥନା କଲା । ତଦନ୍ତରେ ହଠାତ୍‌ ଅଙ୍ଗବସ୍ତ୍ର ମଧ୍ୟରେ କର ପ୍ରବେଶ ହେବାର ମୁଦ୍ରା ଦେଖିଲା; ଏବଂ ତତ୍‍କ୍ଷଣାତ୍‌ ତାହା ବାହାର କରି ବିଷର୍ଣ୍ଣ ମୁଖରେ ଅଶ୍ରୁପୂର୍ଣ୍ଣ-ଲୋଚନରେ ବାରମ୍ୱାର ରାଜାଙ୍କୁ ଚାହିଁଲା, ପଦେ ସୁଦ୍ଧା କଥା କହି ପାରିଲା ନାହିଁ । ରାଜା ପଚାରିଲେ କି ହୋଇଅଛି ? କାହିଁକି କାନ୍ଦୁଅଛ ? ସେ ତାଙ୍କ ଚରଣ ତଳେ ପଡ଼ି ନିବେଦନ କଲା, ମହାରାଜ ! କୌଣସି ବ୍ୟକ୍ତି ଆମ୍ଭର ସର୍ବନାଶ ନିମନ୍ତେ ବିଚାର କରିଅଛି ? କି ପ୍ରକାରେ ଏହି ମୁଦ୍ରା ଆମ୍ଭଠାକୁ ଆସିଲା, କିଛି ଜାଣୁ ନାହିଁ । ରାଜା କହିଲେ ସଖେ ! ଭୟ ନାହିଁ, ଏହି ଟଙ୍କା ତୁମ୍ଭ ଜନନୀ ନିକଟକୁ ପଠାଇ ଦେଇ, ତାଙ୍କୁ ଆମ୍ଭର ପ୍ରଣାମ ଜଣାଇବ, ଏବଂ ଆଜ ଦିନଠାରେ ଆମ୍ଭେ ତାଙ୍କର ଓ ତୁମ୍ଭ ପ୍ରତିପାଳନ ଭାର ଗ୍ରହଣ କରିଅଛୁଁ ବୋଲି କହି ପଠାଅ ।

Image

 

ପ୍ରଧାନ ଆଉ ନିକୃଷ୍ଟ ଲୋକଙ୍କ ପ୍ରତି ବ୍ୟବହାର

 

ଏହି ସଂସାର ମଧ୍ୟରେ ସମସ୍ତଙ୍କର ଅବସ୍ଥା ସମାନ ନୁହେ; ବିଦ୍ୟା, ବୁଦ୍ଧି, ବୃତ୍ତି ପଦପ୍ରଭୃତି ଭିନ୍ନ ଭିନ୍ନ ହେବା ହେତୁରୁ କେହି ପ୍ରଧାନ, କେହି ନିକୃଷ୍ଟ, କେହି ପ୍ରଭୁ, କେହି ଭୃତ୍ୟ ବୋଲି ଗଣନା ହେଉଅଛନ୍ତି ।

 

ନିକୃଷ୍ଟ ବ୍ୟକ୍ତିର କର୍ତ୍ତବ୍ୟ ଏହି, ଆପଣା ଅପେକ୍ଷା ପ୍ରଧାନ ବ୍ୟକ୍ତିମାନଙ୍କର ସମାଦର ଆଉ ମର୍ଯ୍ୟାଦା କର୍ତ୍ତବ୍ୟ ମାତ୍ର କାହାରିଠାରେ ନିତାନ୍ତ ନମ୍ର ଅଥବା ଚାଟୁପଣ ପ୍ରକାଶ କରିବାର ଅନୁଚିତ । ମନୁଷ୍ୟର ଅବସ୍ଥା ଯେତେ ହୀନ ହେଉ, ତଥାପି ଆପଣାର ମାନ ଅପମାନକୁ ଦୃଷ୍ଟି ନକରି ଦାସପରି ଅନ୍ୟ ଲୋକର ଅନୁଗତ ହେବା କୌଣସି ପ୍ରକାରରେ ଉଚିତ ନୁହେଁ । ଲୋକେ ତାଦୃଶ୍ୟ ପୁରୁଷକୁ ନିତାନ୍ତ ଅଯୋଗ୍ୟ ବୋଲି ଜାଣନ୍ତି ।

 

ପ୍ରଧାନ ଲୋକଙ୍କର କର୍ତ୍ତବ୍ୟ ଏହି କି ନିକୃଷ୍ଟ ବ୍ୟକ୍ତିମାନଙ୍କ ଉପରେ ସଦୟ ବ୍ୟବହାର କରିବେ । ସେମାନଙ୍କୁ ଭ୍ରାତୃତୁଲ୍ୟ ଜ୍ଞାନ କରିବା ଉଚିତ ଅଟେ । ଯାହାର ଯେମନ୍ତ ପଦ, ତାହାର ତଦନୁଯାୟୀ ମର୍ଯ୍ୟାଦା କରିବା ଅତି ଆବଶ୍ୟକ । ନିକୃଷ୍ଟକୁ ଯେରୂପ ପ୍ରଧାନ ବ୍ୟକ୍ତିର ସମାଦର ଓ ମର୍ଯ୍ୟାଦା କରିବାକୁ ହୁଏ, ନିକୃଷ୍ଟଠାରେ ସେହିରୂପ କରିବା ପ୍ରଧାନ ସୁଦ୍ଧା ଅବଶ୍ୟ କର୍ତ୍ତବ୍ୟ । ଯେବେ କୌଣସି ପ୍ରଧାନ ପଦପ୍ରାପ୍ତ ବ୍ୟକ୍ତି ନିକୃଷ୍ଟକୁ ହେୟଜ୍ଞାନ କରେ, ତେବେ ତହିଁରେ ସେ ତାଦୃଶ ପ୍ରଧାନ ପଦର ନିତାନ୍ତ ଅଯୋଗ୍ୟ ବୋଲି ପ୍ରକାଶ ପାଏ । ପୁନଶ୍ଚ ନିକୃଷ୍ଟ ବ୍ୟକ୍ତି ଯେବେ ଅକାରଣରେ ପ୍ରଧାନ ପଦସ୍ଥିତ ଲୋକଙ୍କର ଦ୍ୱେଷ କରେ ଅଥବା ନିନ୍ଦା କରି ବୁଲେ, ତହିଁରେ ମଧ୍ୟ ସେ ବ୍ୟକ୍ତି ନୀଚ ପ୍ରକୃତି ପୁଣି ଦ୍ୱେଷୀ ବୋଲି ପ୍ରକାଶମାନ ହୁଏ ।

 

ଯେଉଁ ବ୍ୟକ୍ତି ଦୈନିକ, ମାସିକ ଅଥବା ବାର୍ଷିକ ନିୟମରେ ବେତନ ଗ୍ରହଣ କରି ଅନ୍ୟ ଲୋକଙ୍କ କର୍ମ କରେ, ତାକୁ ଭୃତ୍ୟ କହନ୍ତି । ଭୃତ୍ୟର ଉଚିତ କି ଆପଣା ସ୍ୱାମୀ କାର୍ଯ୍ୟ-ସାଧନ- ବିଷୟରେ ସର୍ବଦା ସାବଧାନ ଥିବ ଏବଂ ତାଙ୍କର ଉଚିତ ମର୍ଯ୍ୟାଦା କରିବ । ସ୍ୱାମୀଙ୍କର ମଧ୍ୟ କର୍ତ୍ତବ୍ୟ କି, ଭୃତ୍ୟଠାରେ ଦୟା ଆଉ ସୌଜନ୍ୟ ପ୍ରଦର୍ଶନ କରିବେ । ଭୃତ୍ୟଠାରେ ଏହିରୂପ ବ୍ୟବହାର କଲେ ସେ ସନ୍ତୁଷ୍ଟ ଚିତ୍ତରେ ପୁଣି ଉତ୍ତମ ରୂପେ ପ୍ରଭୁକାର୍ଯ୍ୟ ନିର୍ବାହ କରେ, କିନ୍ତୁ ସେ କର୍କଶ ବଚନ କହିଲେ ଅବା ବଡ଼ାଇ ଦେଖାଇଲେ ସେରୂପ ହୋଇ ନ ପାରେ । ପ୍ରଭୁଙ୍କ ସୁଜନତା ଦେଖିଲେ ଭୃତ୍ୟମାନେ ପ୍ରଭୁଭକ୍ତ ଆଉ ତାଙ୍କ କାର୍ଯ୍ୟ ସମ୍ପାଦାନ ବିଷୟରେ ଏକାନ୍ତ ଅନୁରକ୍ତ ହୁଅନ୍ତି-। ପ୍ରଭୁ-ପରାୟଣ ଭୃତ୍ୟମାନେ ଆପଣା ପ୍ରଭୁଙ୍କ ନିମନ୍ତେ ପ୍ରାଣାନ୍ତ ପର୍ଯ୍ୟନ୍ତ ସ୍ୱୀକାର କରନ୍ତି ।

Image

 

ଆଲଫନ୍‌ସୋ

 

ନେପଲସ୍‌ ଆଉ ସିସିଲିର ଆଧିପତି ଆଲଫନ୍‍ସୋ ପରମ ଦୟାଳୁ ଏବଂ ପ୍ରଜାରଞ୍ଜନ ଥିଲେ । ସିସିଲିର ଯୁଦ୍ଧକାଳରେ ବିପକ୍ଷମାନେ ନଦୀ ଉର୍ତ୍ତୀର୍ଣ୍ଣ କରାଇ ଦେବାରୁ, ତାଙ୍କୁ ସମସ୍ତ ଦିବସ ସୈନ୍ୟ ସହିତ ଅନାହାରରେ ନଦୀ-ତୀରରେ ଅବସ୍ଥାନ କରିବାକୁ ହେଲା । ସନ୍ଧ୍ୟାର ପୂର୍ବକାଳରେ ଜଣେ ସୈନିକ ପୁରୁଷ ଯତ୍କିଞ୍ଚିତ ଆହାର ଦ୍ରବ୍ୟ ପାଇ ତାଙ୍କୁ ଦେଲା । ଏମନ୍ତ ସମୟରେ ଅନେକ ଲୋକେ ତାହା ଆଗ୍ରହପୂର୍ବକ ଗ୍ରହଣ କରନ୍ତେ, ସନ୍ଦେହ ନାହିଁ । ମାତ୍ର ଆଲଫନ୍‍ସୋ ସୈନିକ ପୁରୁଷର ଏହି ପ୍ରଭୁ ଭକ୍ତିର ଯଥେଷ୍ଟ ପ୍ରଶଂସା କରି ସେ ଦ୍ରବ୍ୟ ଫେରାଇ ଦେଲେ ଏବଂ ଯେବେ ଅନାହାରରେ ପ୍ରାଣ ବିୟୋଗ ହେବ ତଥାପି ଏହି ସମସ୍ତ ସୈନ୍ୟ, ସେନାପତି ଓ ଅନ୍ୟାନ୍ୟ ଲୋକେ ଉପବାସ ଥାଉଁ ଥାଉଁ ଆମ୍ଭେ କଦାପି ଭୋଜନ କରିବା ନାହିଁ ବୋଲି କହିଲେ ।

 

ଏକ ସମୟରେ ସେ ଏକାକୀ ହୋଇ ଅଶ୍ୱାରୋହଣ ପୂର୍ବକ ଭ୍ରମଣ କରି କରି ଦେଖିଲେ, ଏକ ଅଶ୍ୱତର କର୍ଦ୍ଦମରେ ପଡ଼ିଅଛି, ପୁନଶ୍ଚ ଅଶ୍ୱତର-ସ୍ୱାମୀ ପ୍ରାଣପଣରେ ଟଣାଟଣି କରିଅଛି, କୌଣସି ପ୍ରକାରରେ ଉଠାଇ ପାରୁନାହିଁ । ରାଜମାର୍ଗରେ ଯେଉଁମାନେ ଗତାୟାତ କରୁଅଛନ୍ତି ସେମାନଙ୍କର ମଧ୍ୟରୁ ପ୍ରତ୍ୟେକ ଲୋକଙ୍କୁ ସାହାଯ୍ୟ-ପ୍ରାର୍ଥନା କଲା; କିନ୍ତୁ କେହି ତାହାର ପ୍ରାର୍ଥନା ଗ୍ରାହ୍ୟ କଲା ନାହିଁ । ସେ ବ୍ୟକ୍ତି ତାଙ୍କ ରାଜା ବୋଲି ଚିହ୍ନେ ନାହିଁ, ସୁତରାଂ ସାମାନ୍ୟ ଲୋକ ଜ୍ଞାନ କରି ତାଙ୍କୁ ସୁଦ୍ଧା ସାହାଯ୍ୟ କରିବାକୁ କହିଲା, ସେ ତତ୍‍କ୍ଷଣାତ୍‍ ଅଶ୍ୱରୁ ଓହ୍ଲାଇ ଅତିଶୟ ପରିଶ୍ରମ ଓ କ୍ଲେଶ ସ୍ୱୀକାର କରି ଅଶ୍ୱତରକୁ କର୍ଦ୍ଦମରୁ ଉଠାଇଲେ । ତଦନନ୍ତର ରାଜା ତାହା ଲାଗି ଏତାଦୃଶ ପ୍ରରିଶ୍ରମ କ୍ଳେଶ ସ୍ୱୀକାର କରିବା କଥା ଅବଗତ ହୋଇ ସେ ଅଶ୍ୱତର-ସ୍ୱାମୀ କୃତାଞ୍ଜଳିପୁଟରେ କ୍ଷମା ପ୍ରାର୍ଥନା କଲା । କିନ୍ତୁ ତୁମ୍ଭେ କୌଣସି ଅପରାଧ କର ନାହିଁ, କିହେତୁରୁ ଏତେ ବ୍ୟାକୁଳ ହେଉଅଛ, ରାଜା ଏହି କଥା କହି ତାହାର ଭୟ ଭଞ୍ଜନ କଲେ ।

Image

 

ପ୍ରଭୁଙ୍କ ନିମନ୍ତେ ଭୃତ୍ୟର ପ୍ରାଣଦାନ

 

କାର୍ପେଥିୟାନ ପର୍ବତରେ ଅନେକ କେନ୍ଦୁଆ ଥାନ୍ତି । ସେହିମାନେ ସ୍ୱଭାବରେ ଅତ୍ୟନ୍ତ କ୍ରୂର ଓ ବଳବାନ୍‍ । ବିଶେଷରେ ଶୀତର ପ୍ରାଦୁର୍ଭାବ ହେଲେ ଅତି ଭୟଙ୍କର ହୋଇ ଉଠନ୍ତି; ୧୭୭୬ ସାଲରେ ଶୀତକାଳରେ, କାଉଣ୍ଟ ପଡ଼ସ୍କି ନାମକ ଜଣେ ମର୍ଯ୍ୟାଦାବନ୍ତ ଲୋକ ସସ୍ତ୍ରୀକ ହୋଇ ଶକଟାରୋହଣ କରି ବିୟେନା ନଗରଠାରୁ ତ୍ରାକୋ ନଗରକୁ ଯାଇଥିଲେ । ଅସ୍ଉଇକ ଓ ଜେଟର ଏ ଦୁଇ ନଗର ମଧ୍ୟସ୍ଥଳରେ ଉପସ୍ଥିତ ହେଲାରୁ କେତେ ଗୋଟା କେନ୍ଦୁଆ ତାଙ୍କର ପଶ୍ଚାଦ୍‍ଗମନ କଲେ । ତାଙ୍କ ସଙ୍ଗରେ ଯେଉଁ ଅଶ୍ୱାରୋହୀ ଭୃତ୍ୟ ଥିଲା ସେ ଅତିଶୟ ପ୍ରଭୁଭକ୍ତ, ଏ ହେତୁରୁ ସେ ସର୍ବଦା ତାହାଠାରେ ପରମ ସନ୍ତୁଷ୍ଟ ଥାନ୍ତି । ସେ ଭୃତ୍ୟ କେନ୍ଦୁଆମାନଙ୍କୁ କ୍ରମେ ନିକଟବର୍ତ୍ତୀ ହେବାର ଦେଖି ନିବେଦନ କଲା, ଆପଣ ଅନୁମତି କଲେ ଆମ୍ଭେ ଘୋଟକକୁ ପରିତ୍ୟାଗ କରି ଶକଟର ପଶ୍ଚାଦ୍‍ଭାଗରେ ଆରୋହଣ କରିବୁଁ; ଘୋଟକ ପାଇଲେ ଏମାନେ ହଠାତ୍‌ କିଞ୍ଚିତ ଶାନ୍ତ ହେବେ, ଆମ୍ଭେମାନେ ସୁଦ୍ଧା ସେହି ଅବସରରେ ଜେଟର ନଗରରେ ପହୁଞ୍ଚି ପାରିବା । ସେ ତହିଁରେ ସମ୍ମତ ହେଲାରୁ ଭୃତ୍ୟ ଅଶ୍ୱ ପରିତ୍ୟାଗ କରି ଶକଟର ପଶ୍ଚାତ୍‍ ଭାଗରେ ଆରୋହଣ କଲା । କେନ୍ଦୁଆମାନେ ଅଶ୍ୱକୁ ଧରି ତତ୍‍କ୍ଷଣାତ୍‍ ଖଣ୍ଡ ଖଣ୍ଡ କରି ପକାଇଲେ । ଏହି ଅବସରରେ ସେମାନେ ନିକଟବର୍ତ୍ତୀ-ନଗର-ପ୍ରାପ୍ତି ଆଶାରେ ପ୍ରାଣପଣରେ ଶକଟ ଚଳାଇଲେ । ମାତ୍ର ଅଶ୍ୱମାନେ ଅତ୍ୟନ୍ତ ଶ୍ରମଯୁକ୍ତ ହୋଇଥିବାରୁ ଶୀଘ୍ରଯାଇ ପାରିଲେ ନାହିଁ । କେନ୍ଦୁଆମାନେ ଶୋଣିତର ଆସ୍ୱାଦ ପାଇ ପୂର୍ବାପେକ୍ଷା ଅଧିକ ଭୟାନକ ହୋଇ ପୁନର୍ବାର ଶକଟର ନିକଟବର୍ତ୍ତୀ ହେଲେ ।

 

ଏହି ବିଷମ ବିପଦ ଉପସ୍ଥିତ ହେବାର ଦେଖି ଭୃତ୍ୟ କହିଲା, ପ୍ରଭୋ ! ବର୍ତ୍ତମାନ ପରିତ୍ରାଣର କେବଳ ଏକ ଉପାୟ ଅଛି । ଆମ୍ଭ ସ୍ତ୍ରୀପୁତ୍ରମାନଙ୍କୁ ଯାବଜ୍ଜୀବନ ପ୍ରତିପାଳନ କରିବା ଲାଗି ଯେବେ ଆପଣ ସ୍ୱୀକାର କରିବେ, ତେବେ ଆମ୍ଭେ କେନ୍ଦୁଆମାନଙ୍କ ସମ୍ମୁଖକୁ ଯିବା । ଆମ୍ଭେ ନିଶ୍ଚୟ ମରିବା ସତ୍ୟ, ମାତ୍ର ଯେତେବେଳେ ସେମାନେ ଆମ୍ଭଙ୍କୁ ଆମନ୍ତ୍ରଣ କରିବେ ସେତିକିବେଳେ ଆପଣମାନେ ପଳାଇ ପାରିବେ । ସେ ହଠାତ୍‌ ସମ୍ମତ ହୋଇ ପାରିଲେ ନାହିଁ । କିନ୍ତୁ ଏରୂପ ନ କଲେ ଜଣକର ସୁଦ୍ଧା ବଞ୍ଚିବାର ସମ୍ଭାବନା ନାହିଁ, ଏକଥା ଭାବନା କରି ଅନାୟତ୍ତରେ ସମ୍ମତ ହେଲେ, ଏବଂ ଧର୍ମସାକ୍ଷୀ କରି ଅଙ୍ଗୀକାର କଲେ, ଯେବେ ତୁମ୍ଭେ ଆମ୍ଭମାନଙ୍କର ପ୍ରାଣରକ୍ଷା ନିମନ୍ତେ ପ୍ରାଣଦାନ କରିବ ତେବେ ଆମ୍ଭେ ଚିରକାଳ ତୁମ୍ଭ ପରିବାରର ଭରଣପୋଷଣ କରିବୁଁ । ଭୃତ୍ୟ ତତ୍‍କ୍ଷଣାତ୍‍ ଶକଟରୁ ଓହ୍ଲାଇ କେନ୍ଦୁଆମାନଙ୍କ ସମ୍ମୁଖରେ ଉପସ୍ଥିତ ହେଲା ସେମାନେ ମଧ୍ୟ ତତ୍‍କ୍ଷଣାତ୍‍ ତାକୁ ଆକ୍ରମଣ କଲେ । ଏହି ସମୟରେ କାଉଣ୍ଟ ମହାଶୟ ସସ୍ତ୍ରୀକ ହୋଇ ନିରାପଦରେ ଜେଟରେ ନଗରରେ ଉପସ୍ଥିତ ହେଲେ । ଅନନ୍ତର ସେ ଯେଉଁ ଧର୍ମ ପ୍ରମାଣେ ଆପଣା ପ୍ରତିଜ୍ଞା ପାଳନ କରିଥିଲେ ତାହା ନିର୍ଦ୍ଦେଶ କରିବା ଅନାବଶ୍ୟକ ଅଟେ ।

Image

 

ପରିଶ୍ରମ

 

ଆମ୍ଭମାନଙ୍କ ଜୀବନୋପାୟ, ଆରାମ ଆଉ ସୁଗମାର୍ଥେ ଯେଉଁ ସକଳ ପଦାର୍ଥ ଆବଶ୍ୟକ, ପୃଥିବୀରେ ସେ ସମୁଦାୟର ଉତ୍ପାଦନ କରିବା ଶକ୍ତି ଅଛି । କିନ୍ତୁ ମନୁଷ୍ୟର କାୟିକ ପରିଶ୍ରମ ବ୍ୟତିରେକେ ସେହି ସମସ୍ତ ପଦାର୍ଥ କୌଣସି ପ୍ରକାରରେ ଯଥେଷ୍ଟରୂପେ ଉତ୍ପନ୍ନ ପୁଣି ବ୍ୟବହାର-ଯୋଗ୍ୟ ହୋଇପାରେ ନାହିଁ । ଶ୍ରମ ସୁଦ୍ଧା କୃଷି ବ୍ୟତିରେକ ଶସ୍ୟ ଜନ୍ମେ ନାହିଁ । ପୃଥିବୀ ମଧ୍ୟରୁ ଧାତୁ-ଖନନ ଏବଂ ତଦ୍ଦ୍ୱାରା ଗୃହ ସାମଗ୍ରୀ ନିର୍ମାଣ, ବିନା ଶ୍ରମରେ ସମ୍ପନ୍ନ ହୁଏ ନାହିଁ । ପରିଶ୍ରମ ନ କଲେ ଶଣ, ଊର୍ଣ୍ଣା ଆଉ କାର୍ପାସରୁ ବସ୍ତ୍ର ହୁଏ ନାହିଁ । ଏହି ସକଳ ବ୍ୟାପାରରୁ ଅର୍ଥଲାଭ ହୁଏ । ଅର୍ଥ ଜୀବିକା ନିର୍ବାହରେ ଏକମାତ୍ର ଉପାୟ ଅଛି । ଅତଏବ ଯେଉଁ ବ୍ୟକ୍ତି ଇଚ୍ଛାରୂପ ଭୋଜନ, ବସନ, ଏବଂ ପ୍ରୟୋଜନୋପଯୋଗୀ ଅନ୍ୟାନ୍ୟ ଦ୍ରବ୍ୟ ଲାଭର ଆକାଂକ୍ଷା କରେ, ତାହାର ଆଳସ୍ୟ ତ୍ୟାଗ ଆଉ ପରିଶ୍ରମ କରିବା ଉଚିତ ଅଟେ; ତାହା ନହେଲେ ଧନପ୍ରାପ୍ତିର ଅନ୍ୟ ଉପାୟ ନାହିଁ ।

 

ଯେଉଁ ଦେଶର ଲୋକେ, ଶ୍ରମ ବିମୁଖ ହୋଇ କେବଳ ସ୍ୱଚ୍ଛନ୍ଦରେ ପ୍ରାପ୍ତି ଫଳ ମୂଳ ଅଥବା ମୃଗୟାଲବ୍ଧ ମାଂସ ଦ୍ୱାରା ଉଦର ପୂର୍ତ୍ତି କରନ୍ତି ସେମାନେ ଅସଭ୍ୟ । ଆମେରିକା ଆଉ ଅଷ୍ଟ୍ରେଲିୟାର ଆଦିମ ନିବାସୀ ଲୋକେ ପୁଣି କାଫ୍ରିଜାତି ଅଦ୍ୟାପି ଏହି ଅବସ୍ଥାରେ ଅଛନ୍ତି । ସେମାନେ ଅତିକଷ୍ଟରେ କାଳଯାପନ କରନ୍ତି; ଉତ୍ତମ ଭକ୍ଷ୍ୟ ଆଉ ପରିଧେୟ ବସ୍ତ୍ର ପାନ୍ତି ନାହିଁ; ଏବଂ ଅକାଳ ସକାଶେ କିଛି ସଂଗ୍ରହ କରି ରଖନ୍ତି ନାହିଁ; ଏଥିଲାଗି ସର୍ବଦା ଅନେକ ଲୋକେ ଅନାହାର ହେତୁରୁ ପ୍ରାଣ୍ୟ ତ୍ୟାଗ କରନ୍ତି ।

 

ମାତ୍ର ଯେଉଁ ସ୍ଥାନର ଲୋକେ ପରିଶ୍ରମ କରନ୍ତି ସେମାନଙ୍କ ଅବସ୍ଥା ଅନେକ ଅଂଶରେ ଭଲ । ପଶୁପାଳନ, କୃଷି, ବାଣିଜ୍ୟ ଇତ୍ୟାଦି ନାନା ଉପାୟ ଦ୍ୱାରା ସେମାନେ ଯେରୂପ ସୁଖସ୍ୱଚ୍ଛନ୍ଦରେ କାଳଯାପନ କରନ୍ତି, ତାହା ଅସଭ୍ୟ ଜାତି ସ୍ୱପ୍ନରେ ସୁଦ୍ଧା ଦେଖି ପାରନ୍ତି ନାହିଁ-। ବାସ୍ତବ ଯେଉଁ ଜାତି ଯେମନ୍ତ ପରିଶ୍ରମ କରନ୍ତି ସେମାନଙ୍କ ଅବସ୍ଥା ତେମନ୍ତ ଉତ୍ତମ ହୁଏ । ପୃଥିବୀ ମଧ୍ୟରେ ଜର୍ମାନ ସୁଇସ, ଫରାସି, ଓଲନ୍ଦାଜ, ଇଂରେଜ ଏହି କେତେକ ଜାତି ସର୍ବାପେକ୍ଷା ଅଧିକ ପରିଶ୍ରମୀ; ଏ ନିମନ୍ତେ ଏମାନଙ୍କ ଅବସ୍ଥା ସକଳ ଜାତି ଅପେକ୍ଷା ଉତ୍ତମ । ଯେଉଁ ବ୍ୟକ୍ତି ଶ୍ରମ ବିମୁଖ ହୋଇ ଆଳସ୍ୟରେ କାଳପେକ୍ଷ କରେ, ତାହାର ଚିରକାଳ ଦୁଃଖ ଏବଂ ଚିରକାଳ ଖାଦ୍ୟ ବସ୍ତ୍ରାଦିର ଅଭାବ ହୁଏ । ଯେ ଶ୍ରମ କରେ ସେ କଦାପି କଷ୍ଟ ପାଏ ନାହିଁ, ବରଂ ସ୍ୱଚ୍ଛନ୍ଦରେ କାଳଯାପନ କରେ-। ବାସ୍ତବ ଯେ ଯେମନ୍ତ ପରିଶ୍ରମ କରେ ତାହାର ସେହିରୂପ ସୁଖସମୃଦ୍ଧି ଲାଭ ହୁଏ ।

 

ସଂସାରର ଯାବନ୍ତ ଉତ୍ତମ ପଦାର୍ଥ ଶ୍ରମଦ୍ୱାରା ମିଳିପାରେ; ସୁତରାଂ ଶ୍ରମ ବ୍ୟତିରେକ ସେ ସକଳ ବସ୍ତୁ ଅନ୍ୟ ଉପାୟରେ ମିଳିପାରେ ନାହିଁ । ପରିଶ୍ରମ କରିବା ସୁଦ୍ଧା ଉଚିତ ନୁହେ । କାରଣ କି ତଦ୍ଦ୍ୱାରା ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଯାଏ ମଧ୍ୟ ରୋଗ ଜନ୍ମେ । ପ୍ରତିଦିନ ଦଶଘଣ୍ଟା ପରିଶ୍ରମ କଲେ ସ୍ୱାସ୍ଥ୍ୟ ଭଙ୍ଗର ସମ୍ଭାବନା ନାହିଁ ।

Image

 

ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌

 

ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ଉତ୍ତର ଆମେରିକାର ଅନ୍ତର୍ବର୍ତ୍ତୀ ବୋଷ୍ଟନ ନଗରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଅତି ଦରିଦ୍ର ଥିଲେ, ଚର୍ବି ବର୍ତ୍ତା ବ୍ୟବସାୟଦ୍ୱାରା ଜୀବିକା ନିର୍ବାହ କରୁଥିଲେ । ସେ ଫ୍ରାଙ୍କଲିନକୁ ମୁଦ୍ରାଯନ୍ତ୍ରାଳୟର କର୍ମ ଶିଖାଇଥିଲେ । ଫ୍ରାଙ୍କଲିନ୍‌ ଅଧ୍ୟୟନ ବିଷୟରେ ଅତିଶୟ ଅନୁରକ୍ତ ଥିଲେ, ଏବଂ ଯତ୍କିଞ୍ଚିତ୍ ଧନ ବଳାଇ ପାରୁଥିଲେ ତହିଁରେ ପାଠୋପଯୋଗୀ ପୁସ୍ତକ କ୍ରୟ କରୁଥିଲେ । କିନ୍ତୁ ସେ ଏହିରୂପେ ବିଦ୍ୟାଭ୍ୟାସରେ ଆସକ୍ତ ଥିଲେ ସୁଦ୍ଧା ଆପଣା କର୍ମରେ କିଞ୍ଚିନ୍ମାତ୍ର ଶୈଥିଲ୍ୟ କରୁ ନ ଥିଲେ । ସେ ଧନ ଆଉ ସମୟ କଦାପି ବୃଥା ନଷ୍ଟ କରୁ ନ ଥିଲେ । ସତର ବର୍ଷ ବୟସ ସମୟରେ ଫିଲାଡ଼େଲଫିୟା ନଗରୀକୁ ଯାଇ ବାସ କଲେ, ସେଠାରେ କିମର ନାମକ ଜଣକର ଯନ୍ତ୍ରାଳୟରେ କିଛିକାଳ କର୍ମ କଲେ ।

 

ସ୍ୱଭାବସିଦ୍ଧ ବୁଦ୍ଧିଶକ୍ତି ଆଉ ପରିଶ୍ରମ ବଳରେ ଫ୍ରାଙ୍କଲିନ୍‌ଙ୍କର ଏଥି ପୂର୍ବରେ ଇଂରେଜୀ ଭାଷାରେ ରୀତ୍ୟନୁସାରେ ଚିଠି ଲେଖିବାର ଉତ୍ତମ କ୍ଷମତା ଜନ୍ମିଥିଲା । ଦୈବଯୋଗରେ ସେଇ ପ୍ରଦେଶର ଶାସନକର୍ତ୍ତା ତାଙ୍କ ହାତ ଲେଖା ଖଣ୍ଡେ ଚିଠି ଦେଖି ଏମନ୍ତ ଚମତ୍କୃତ ହେଲେ, ଯେ ନିଜେ ତାଙ୍କ କର୍ମସ୍ଥାନକୁ ଯାଇ ତାଙ୍କ ସହିତ ସାକ୍ଷାତ୍‌ କଲେ, ମଧ୍ୟ ଡାକି କରି ଆପଣା ଘରଠାକୁ ଆଣିଲେ-

 

କେତେକ ଦିନ ଉତ୍ତାରୁ ଫ୍ରାଙ୍କଲିନ୍‌ ଲଣ୍ଡନ ନଗରକୁ ଯାଇ କିଛିକାଳ ସେଠାରେ ନାନା ଯନ୍ତ୍ରାଳୟରେ କର୍ମ କଲେ । ଅନ୍ୟାନ୍ୟ କର୍ମକାରକମାନେ ସୁରାପାନ ବିଷୟରେ ମାସରେ ଦଶ ବାର ଟଙ୍କା ଅପବ୍ୟୟ କରନ୍ତି ମଧ୍ୟ ଏହିରୂପେ ଅପରିମିତି ପାନ କରିବାରେ ଆପଣା ଆପଣା ବୁଦ୍ଧିବୃତ୍ତି ଭ୍ରଷ୍ଟ କରନ୍ତି । ଫ୍ରାଙ୍କଲିନ୍‌ ସୁରାପାନ-ବିଷୟରେ ନିତାନ୍ତ ପରାଙ୍ମୁଖ ଥିଲେ; ସୁତରାଂ ତାଙ୍କ ବୁଦ୍ଧି ଓ ଶାରୀରିକ ସ୍ୱାସ୍ଥ୍ୟର ସର୍ବଦା କୌଣସି ପ୍ରକାର କ୍ଷତି ହୁଏ ନାହିଁ, ଅଥଚ କିଞ୍ଚିତ୍ କିଞ୍ଚିତ୍ ଧନସୁଦ୍ଧା କଲେ ।

 

ବିଶଂତି ବର୍ଷ ବୟସ ସମୟରେ ସେ ଉତ୍ତମରୂପେ ଧନ-ସଞ୍ଚୟ କରି ଫିଲଡ଼େଲଫିୟା ନଗରକୁ ପୁନର୍ବାର ଆସି କିମର ସହିତ କର୍ମ ଆରମ୍ଭ କଲେ । ଏହି ସମୟରେ ସେ ଅତିଶୟ ପରିଶ୍ରମ କରିଥିଲେ ।

 

ପଡ଼ୋଶୀମାନେ ତାଙ୍କର ପରିଶ୍ରମ, ପ୍ରଖର ବୁଦ୍ଧି ଏବଂ ସରଳତା ଆଉ ବିଶୁଦ୍ଧ ବ୍ୟବହାର ଦେଖି ଅତିଶୟ ପ୍ରୀତ ହୋଇ, ଯେ ଯେତେ ପାରିଲା, ଅନୁସନ୍ଧାନ କରି ସେ ସେତେ କର୍ମ ଆଣି ଦେଲା । ସୁତରାଂ ତାଙ୍କର ଅବଲମ୍ୱିତ ବିଷୟ କର୍ମର କ୍ରମେ କ୍ରମେ ବୃଦ୍ଧି ହେଲା । ଏହି ସମୟରେ ସେ ଖଣ୍ଡେ ଖବରକାଗଜ ପ୍ରଚାର କଲେ; ତାହା ଏମନ୍ତ ସୁବିବେଚନା ଆଉ ନୈପୁଣ୍ୟରେ ଚଳାଇଲେ ଯେ, ତାହା ସର୍ବତ୍ର ଗ୍ରହଣ ହେଲା ଏବଂ ତହିଁରେ ତାଙ୍କର ଉତ୍ତମ ଲାଭ ହେଲା । ମାତ୍ର ଏତାଦୃଶ ଧନପ୍ରାପ୍ତି ହେଲେହେଁ ତାଙ୍କ ସ୍ୱଭାବ କୌଣସି ପ୍ରକାର ବଦଳ ହୋଇ ନାହିଁ ବୋଲି ଦେଖାଇବା ଲାଗି ସେ ଅତି ସାମାନ୍ୟ ବସ୍ତ୍ର ପିନ୍ଧି ଆଉ ପରିମିତବ୍ୟୟ କରି ସଂସାର ଯାତ୍ରା ନିର୍ବାହ କରିଥିଲେ; ଏବଂ କେବେ ଆପଣା ଆପଣା ମୁଦ୍ରାଯନ୍ତ୍ରାଳୟ ନିମନ୍ତେ କାଗଜ କ୍ରୟ କରି ଶକଟରେ ରଖି ନିଜେ ଟାଣି ଆଣନ୍ତି । ତଦନନ୍ତର ସେ କାଗଜ କଲମପ୍ରଭୃତିର ବ୍ୟବସାୟ ଆରମ୍ଭ କଲେ, ସାଧାରଣ ଲୋକଙ୍କ ସାହାଯ୍ୟରେ ଏକ ପୁସ୍ତକାଳୟ ସ୍ଥାପନ କଲେ ଏବଂ ପ୍ରତିବର୍ଷ ବିବିଧ ହିତୋପଦେଶ ପୂର୍ଣ୍ଣ ଏକ ଗ୍ରନ୍ଥ ପ୍ରକାଶ କରିବାର ଆରମ୍ଭ କଲେ ।

 

ଫ୍ରାଙ୍କଲିନ୍‌ ଏହିରୂପେ ନାନା ବିଷୟରେ ବ୍ୟାପାରୀ ହେଲେହେଁ ବିଦ୍ୟାଭ୍ୟାସରେ ଅଧିକ ସମୟ କ୍ଷେପଣ କରିଥିଲେ । ତିରିଶ ବର୍ଷ ବୟସରେ ସେ ସ୍ୱଦେଶବାସୀମାନଙ୍କ ନିକଟରେ ଏମନ୍ତ ମାନ୍ୟ ହୋଇଥିଲେ କି, କ୍ରମେ କ୍ରମେ ଦୁଇ ରାଜକର୍ମରେ ନିଯୁକ୍ତ ହେଲେ । ତାଙ୍କର ଯେରୂପ କ୍ଷମତା ଥିଲା, ତହିଁରେ ସ୍ୱଦେଶର ହିତ ସାଧନ ନିମନ୍ତେ ଯତ୍ନବାନ ହେବା ଅବଶ୍ୟ କର୍ତ୍ତବ୍ୟ କର୍ମ ଏହି ଚିନ୍ତା ତାଙ୍କ ଅନ୍ତଃକରଣରେ ସର୍ବଦା ଉପସ୍ଥିତ ଥିଲା । ଅତିଶୀଘ୍ର ସେ ସାହିତ୍ୟ ଓ ଦର୍ଶନଶାସ୍ତ୍ରର ଆଲୋଚନା ନିମନ୍ତେ ଏକ ସଭା ସ୍ଥାପନ କଲେ ଏବଂ ବାଳକମାନଙ୍କର ଉତ୍ତମରୂପେ ବିଦ୍ୟାଶିକ୍ଷା ସକାଶେ ଏକ ଉତ୍କୃଷ୍ଟ ବିଦ୍ୟାଳୟ ସଂସ୍ଥାପିତ କଲେ । ସେତେକିବେଳେ ଆଉ ଗୋଟାଏ ସଭା ସଂସ୍ଥାପିତ ହେଲା; ତହିଁରେ ଉଦ୍ଦେଶ୍ୟ ଏହି ଯେ, ଯେ ପ୍ରଦେଶନିବାସୀ ଲୋକ ଆପଣା ଆପଣା ଅର୍ଥ ଅନୁସାରେ ମାସିକାଦି ନିୟମରେ ଏହି ସଭାରେ କିଞ୍ଚିତ ପ୍ରଦାନ କରିବେ, ଅଗ୍ନିଦ୍ୱାରା ଯାହାର ଯେଉଁ କ୍ଷତି ହେବ, ସଭାଧ୍ୟକ୍ଷମାନେ ଏହିରୂପେ ସଂଗୃହୀତ ଅର୍ଥର ସେହି କ୍ଷତିପୂରଣ କରି ଦେବେ । ଏହି ସଭା ସଂସ୍ଥାପନ ବିଷୟରେ ପ୍ରଦାନ ଉଦ୍‍ଯୋଗୀ ଫ୍ରାଙ୍କଲିନ୍ ଥିଲେ । ସେ ସମୟରେ ସର୍ବସାଧାରଣଙ୍କ ହିତ ନିମନ୍ତେ ସେ ପ୍ରଦେଶରେ ଯେଉଁ ଯେଉଁ କର୍ମ କରାଯାଇଥିଲା ସେ ସମୁଦାୟର ଏକ ପ୍ରକାର କର୍ତ୍ତା ଥିଲେ ।

 

ସେ ବୃଦ୍ଧା ହେବା ସମୟରେ ଇଂରେଜମାନଙ୍କ ସହିତ ଆମେରିକାବାସୀମାନଙ୍କର ଯେଉଁ ସଂଗ୍ରାମ ଉପସ୍ଥିତ ହୋଇଥିଲା, ତହିଁରେ ସେ ଏକ ପ୍ରଧାନ କାର୍ଯ୍ୟରେ ଭାର ଗ୍ରହଣ କଲେ । ସେଇ ଯୁଦ୍ଧରେ ଆମେରିକା ଲୋକେ ଇଂଲଣ୍ଡ ଦେଶର ଅଧିପତିଙ୍କ ଆଜ୍ଞାରେ ମୁକ୍ତ ହୋଇ ସ୍ୱାଧୀନ ହେଲେ । ଫ୍ରାଙ୍କଲିନ୍‌ କେତକ ବର୍ଷ ସ୍ୱଦେଶର ଦୌତ୍ୟ କାର୍ଯ୍ୟ ସ୍ୱୀକାର କରି ଫ୍ରାନସ୍‌ ରାଜାଙ୍କ ନିକଟକୁ ଗତାୟାତ କରିଥିଲେ । “ଯେଉଁ ବ୍ୟକ୍ତି ଆପଣା କର୍ମରେ ତତ୍ପର ସେ ରାଜସମୀପରେ ମାନ୍ୟ ଓ ଆଦରଣୀୟ ହୁଏ” ଏହି ଉପଦେଶ ବାକ୍ୟ କେବେ ତାଙ୍କ ପିତା କହୁଥାନ୍ତି । ବର୍ତ୍ତମାନ ଏହି ଦୌତ୍ୟ କର୍ମରେ ନିଯୁକ୍ତି ହେବାର ଉକ୍ତି ଉପଦେଶ-ବାକ୍ୟ ଫ୍ରାଙ୍କଲିନ୍‌ଙ୍କର ସ୍ମରଣ ହେଲା । ଯେତେବେଳେ ସେ ଅତି ଦୀନହୀନ ଥିଲେ; କିନ୍ତୁ ପରିଶ୍ରମ, ପ୍ରଜ୍ଞା ଆଉ ମିତବ୍ୟୟଦ୍ୱାରା ଏରୂପ ଧନ ସଞ୍ଚୟ ପୁଣି ସମ୍ମାନ ଲାଭ କରି ଲୋକଯାତ୍ରା ନିର୍ବାହ କଲେ ଯେ, ସେତେବେଳେ ତାଙ୍କ ତୁଲ୍ୟ ଅତି ଅଳ୍ପ ଲୋକ ଦେଖା ଯାଉଥିଲେ ।

 

ଏହି ଭୂମଣ୍ଡଳରେ ଯେବେ କେହି ଧନ, ମାନ, ଖ୍ୟାତି ଲାଭ କରେ; ତେବେ କି ପ୍ରକାରେ ତାଙ୍କର ତାଦୃଶୀ ଉନ୍ନତି ହେଲା, ଇହା ଜାଣିବା ଲାଗି ସମସ୍ତଙ୍କ ଅନ୍ତକରଣରେ ଅଭିଳାଷ ଜନ୍ମେ । ଫ୍ରାଙ୍କଲିନ୍‌ କିରୂପେ ଜଗତବିଖ୍ୟାତ ହୋଇଥିଲେ, ଇହା ଜାଣିବା ନିମନ୍ତେ ଉତ୍ସାହ ହେଲେ ତାଙ୍କ ରଚିତ ଗ୍ରନ୍ଥ ପାଠ କଲାରୁ ଏ ବିଷୟରେ ପରିତୃପ୍ତି ହୋଇ ପାରେ । ସେଥିରେ ଲେଖାଅଛି “ଧନୋପାର୍ଜନର ମାର୍ଗ ହାଟକୁ ଯିବା ମାର୍ଗ ପରି ଅତି ସହଜ । ପରିଶ୍ରମ ଆଉ ପରିମିତ ବ୍ୟୟ କେବଳ ଏହି ଦୁହେଁ ଧନ ସଞ୍ଚୟର ପ୍ରଧାନ ଉପାୟ; ଅର୍ଥାତ୍‍ ସମୟ ଆଉ ଧନକୁ ବୃଥା ନଷ୍ଟ ନ କରି ଦୁହିଙ୍କି ଯଥୋପଯୁକ୍ତରୂପେ ନିୟୋଜିତ କରିବା ଉଚିତ ଅଟେ । ପରିଶ୍ରମ, ପରିମିତବ୍ୟୟ ଏ ଦୁହେଁ ଯେମନ୍ତ ତେମନ୍ତ ନିଷ୍ଠାବାକ୍ୟ ଆଉ ନ୍ୟାୟ ବ୍ୟବହାର ଇହଲୋକରେ ଉନ୍ନତି ଲାଭର ପ୍ରଧାନ ସାଧନ, ତଦ୍ରୁପ ଆଉ କିଛି ନାହିଁ ।” ସେ ଆହୁରି ମଧ୍ୟ ଲେଖିଅଛନ୍ତି, “ପରିଶ୍ରମ ସୌଭାଗ୍ୟର ଜନନୀସ୍ୱରୂପ’’ । କେବଳ ପରିଶ୍ରମୀ ଲୋକ ସକଳ ସୌଭାଗ୍ୟର ଭାଜନ ହୁଏ । ଯାହା କରିବାର ଉଚିତ ତାହା ଆଜି କର, କାରଣ କାଲି କେତେ ବିଘ୍ନ ଘଟି ପାରେ ତାହା ଜାଣ ନା । ଯେବେ ତୁମ୍ଭେ କାହାରି ଭୃତ୍ୟ ହୋଇ ଥାଅ ତୁମ୍ଭ ପ୍ରଭୁ ତୁମ୍ଭଙ୍କୁ ଅଳସ ହୋଇ ବସିଥିବାର ଦେଖନ୍ତି, ତେବେ ତୁମ୍ଭେ କି ଲଜ୍ଜିତ ହେବ ନାହିଁ ? ତୁମ୍ଭେ ଆପେ ଆପଣାର ପ୍ରଭୁ, ଅତଏବ ଆପେ ଆପଣାକୁ ଅଳସ ଦେଖି ତୁମ୍ଭର ସେହିରୂପ ଲଜ୍ଜିତ ହେବା ଉଚିତ ।”

Image

 

ସ୍ୱଚିନ୍ତା ଓ ସ୍ୱଅବଲମ୍ୱନ

 

ମନୁଷ୍ୟମାନଙ୍କର କର୍ତ୍ତବ୍ୟ ଏହି ଯେ, ଆପଣା ଜୀବିକା ନିର୍ବାହ ଆଉ ପ୍ରାଧାନ୍ୟ ପ୍ରାପ୍ତି ବିଷୟରେ ଅନ୍ୟ ଲୋକର ସାହାଯ୍ୟ ଅପେକ୍ଷା ନରଖି ଆପଣାର ଉଦ୍‌ଯୋଗ ପୁଣି ଉତ୍ସାହକୁ ମୁଖ୍ୟ ଉପାୟ ସ୍ୱରୂପ ଅବଲମ୍ୱନ କରିବେ । ଭୋଜନ,ବସନ ଅଥବା ଅନ୍ୟ ପ୍ରକାର ବାଞ୍ଛନୀୟ ଦ୍ରବ୍ୟ ଲାଭ ବିଷୟରେ ଅନ୍ୟ ବ୍ୟକ୍ତିର ସାହାଯ୍ୟ ଉପରେ ନିର୍ଭର କରିବା କଦାଚ ଉଚିତ ନୁହେଁ । ଆବଶ୍ୟକ ଯାବନ୍ତ ଦ୍ରବ୍ୟ ପରିଶ୍ରମଦ୍ୱାରା ମିଳି ପାରେ; ସୁତରାଂ ପରିଶ୍ରମ କଲେ ଅନାୟାସରେ ସକଳ ଦ୍ରବ୍ୟ ପ୍ରାପ୍ତ ହୋଇ ପାରେ । ବିଶେଷରେ ପରିଶ୍ରମ ବ୍ୟତିରେକେ ଜୀବିକା ନିର୍ବାହ ଆଉ ସାଂସାରିକ ସୁଖ ସମ୍ଭୋଗର ଅନ୍ୟ ଉପାୟ ନାହିଁ । ଅତଏବ ବାଲ୍ୟାବସ୍ଥାରୁ ଏରୂପ ଅଭ୍ୟାସ କରିବା ଅତି ଆବଶ୍ୟକ ଯେ, କୌଣସି ବିଷୟରେ ଅନ୍ୟର ସାହାଯ୍ୟ ଅପେକ୍ଷା କରିବାକୁ ହେବ ନାହିଁ । ବାଳକମାନଙ୍କୁ ନିଜେ ବସ୍ତ୍ର ପରିଧାନ, ସ୍ୱଂୟ ମୁଖପ୍ରକ୍ଷାଳନ ପୁଣି ସ୍ୱ ହସ୍ତରେ ଭକ୍ଷଣ କରିବାକୁ ଶିକ୍ଷା କରାଇବା ଉଚିତ । ଜନନୀ ଅଥବା ଦାସଦାସୀମାନେ ନିଶ୍ଚେ ସବୁ ଦିନ ସେଇ ସବୁ ବ୍ୟାପାର ନିର୍ବାହ କରିବେ ଏମନ୍ତ ଆଶା କରି ରହିବା କୌଣସି ପ୍ରକାରରେ ଉଚିତ ନୁହେଁ । ବାଲ୍ୟକାଳରେ ପରମ ଯତ୍ନରେ ବିଦ୍ୟାଭ୍ୟାସ ଆଉ ଜ୍ଞାନୋପାର୍ଜନ ସର୍ବତୋଭାବେ କର୍ତ୍ତବ୍ୟ; ତାହା ହେଲେ ସଂସାର କର୍ମରେ ପ୍ରଭୃତ୍ତ ହୋଇ ଅନାୟାସରେ ସ୍ୱ ସ୍ୱ ଜୀବିକା ନିର୍ବାହ କରିବା ପାଇଁ କୌଣସି ଭାବନା ନ ଥାଏ । ଯେଉଁ ବ୍ୟକ୍ତିର ଅନ୍ୟ ଲୋକ ଉପରେ ଅଧିକ ନିର୍ଭର ନ କରି ନିଜ ପରିଶ୍ରମାଦି ଦ୍ୱାରା ଜୀବିକା ନିର୍ବାହ କରି ପାରେ, ସେ ସମସ୍ତଙ୍କର ପ୍ରିୟ ପୁଣି ଆଦରଣୀୟ ହୁଏ । ଆଉ ସମସ୍ତେ ପରିଶ୍ରମ କରନ୍ତୁ, କେବଳ ଆମ୍ଭେ ସମସ୍ତଙ୍କ ପରି ବୁଦ୍ଧିସମ୍ପନ୍ନ ଏବଂ ହସ୍ତପଦାଦିବିଶିଷ୍ଟ ହୋଇ ଅଳସ ହୋଇ ବସିଥିବା, ଏବଂ ଅଳ୍ପ ପରିଶ୍ରମରେ ଯାହା ମିଳିବ ସେଥି ନିମନ୍ତେ ସୁଦ୍ଧା ଅନ୍ୟର ମୁଖକୁ ଚାହିଁ ବସିଥିବା, ଏ ବିଚାର ଅତ୍ୟନ୍ତ ଲଜ୍ଜାକର ଅଟେ ।

 

ଆମ୍ଭେମାନେ ଆପଣା କର୍ମ ସ୍ୱହସ୍ତରେ କଲେ ଯେତେ ଉତ୍ତମରେ ସମ୍ପନ୍ନ ହେବ, ଅନ୍ୟ ଉପରେ ଭାର ଦେଇ ନିଶ୍ଚିନ୍ତ ରହିଲେ ସେରୂପ ହେବା ସମ୍ଭାବିତ ନୁହେଁ; ହେଲେ ସମ୍ପନ୍ନ ହେବ ନାହିଁ-। ଅତଏବ ଆମ୍ଭମାନେ ସ୍ୱଂୟ ଯେଉଁ କର୍ମ ନିଷ୍ପନ୍ନ କରି ପାରିବା ସେ ବିଷୟର ଭାର ଅନ୍ୟ ଉପରେ ଦେବା କଦାପି ଉଚିତ ନୁହେ ।

Image

 

ସର୍‌ ରର୍ବଟ ଇନିସ୍‌

 

ସ୍କଟଲାଣ୍ଡର ଭାଗରେ ଅର୍ଟନ୍‌ ନାମରେ ନଗରୀ ଅଛି; ସେଠାରେ ଇନିସ୍‌ ନାମରେ ଜଣେ ସଂଭ୍ରାନ୍ତ ଲୋକ ଥିଲେ; ଇଂରେଜୀ ୧୭୨୨ ସାଲରେ ଇନିସର ଊନବିଂଶତି ବର୍ଷ ବୟସ ସମୟରେ ତାଙ୍କ ପିତା ମାତା ପରଲୋକ ଗମନ କଲେ । ସେମାନେ କିଛି ସମ୍ପତ୍ତି ରଖି ଯାଇ ନ ଥିଲେ, ସୁତରାଂ ଇନିସଙ୍କର କାଳଯାପନ ହେବା କଠିନ ହେଲା । ଏରୂପ ଅବସ୍ଥାରେ ପଡ଼ିଲେ ଅନେକ ଲୋକେ ଆତ୍ମୀୟମାନଙ୍କର ଗଲାରେ ଭାରସ୍ୱରୂପ ହୁଅନ୍ତି ମାତ୍ର ସେ ମନେ ମନେ ନିଶ୍ଚୟ କରିଥିଲେ ଯେ, କଦାପି ପରପ୍ରଯାଶୀ ହେବ ନାହିଁ । ସେ କୌଣସି ବ୍ୟବସାୟ ଅବା ବିଷୟ କର୍ମ ଶିଖି ନ ଥିଲେ, ଅତଏବ ବିବେଚନା କରି ଦେଖିଲେ ଯେ, ସୈନ୍ୟବୃତ୍ତି ଆଶ୍ରୟ କରିବା ତାଙ୍କ ପକ୍ଷରେ ସର୍ବାପେକ୍ଷା ଭଲ ହେବ । ତଦନୁସାରେ ସେ ଅଶ୍ୱାରୋହି ସୈନ୍ୟଦଳରେ ନିଯୁକ୍ତି ହେଲେ; ସେଠାରେ ତାଙ୍କର ଆପଣା ପାଳି ଅନୁସାରେ ପ୍ରହରୀ କର୍ମ କରିବାକୁ ହେଲା ।

 

ଦିନକରେ ସେ ପ୍ରହରୀ ହୋଇ ଦ୍ୱାରଠାରେ ଠିଆ ହୋଇ ଅଛନ୍ତି, ସେହି ସମୟରେ ଜଣେ ସଂଭ୍ରାନ୍ତ ବ୍ୟକ୍ତି ଆସି ତାଙ୍କୁ ପଚାରିରେ କର୍ଣ୍ଣେଲ ସାହେବ କେଉଁଠାରେ ? ତାଙ୍କଠାରେ ଆମ୍ଭର କିଛି କାର୍ଯ୍ୟ ଅଛି । ଏହି ଆଗନ୍ତୁକ ବ୍ୟକ୍ତି ଇନିସକୁ ପୂର୍ବରେ ଦେଖିଥିଲା, ମାତ୍ର ସେ ବର୍ତ୍ତମାନ ଏରୂପ କର୍ମ ସ୍ୱୀକାର କରି ଅଛନ୍ତି ବୋଲି ଜାଣନ୍ତି ନାହିଁ, ସୁତରାଂ ଚିହ୍ନି ପାରିଲେ ନାହିଁ । ସେତେବେଳେ କର୍ଣ୍ଣେଲ ସାହେବ ଅନ୍ୟ ଲୋକ ସଙ୍ଗେ କଥାବାର୍ତ୍ତା କରିଥିଲେ, ଇହା ଦେଖି ସେ ଆଗନ୍ତୁକ ବ୍ୟକ୍ତି ଇନିସ ନିକଟରେ ଠିୟା ହୋଇ କଥାବାର୍ତ୍ତା ଆରମ୍ଭ କଲେ ଏବଂ ଏହି ସର୍‌ ରର୍ବଟ ଇନିସ୍‌ ବୋଲି ଅତି ଶୀଘ୍ର ଜାଣି ପାରିଲେ, ତଦନନ୍ତର କର୍ଣ୍ଣେଲ ସାହେବଙ୍କ ସାକ୍ଷାତରେ ପହଞ୍ଚି କହିଲେ, ଅନେକ ରାଜାଙ୍କ ଅପେକ୍ଷା ଆପଣଙ୍କ ଗୌରବ ଅଧିକ; ଯେହେତୁରୁ, ଅତି ସଂଭ୍ରାନ୍ତ ଲୋକ ଆପଣଙ୍କର ପ୍ରହରୀ ହୋଇଅଛନ୍ତି । ସେ କର୍ଣ୍ଣୋଲଙ୍କ ନାମ ଉଇନ୍‌ରାମ । ଉଇନ୍‌ରାମ ଶୁଣି ଏବଂ ସବିଶେଷ ଅବଗତ ହୋଇ ଅତିଶୟ ବିସ୍ମାୟପନ୍ନ ହେଲେ, ଏବଂ ଅବିଳମ୍ୱରେ ଅନ୍ୟ ଜଣେ ଇନିସ୍‌ର କର୍ମରେ ନିଯୁକ୍ତି କରି ତାଙ୍କୁ ଆପଣା ସମ୍ମୁଖରେ ଉପସ୍ଥିତ ହେବାକୁ ଆଜ୍ଞା କଲେ । ସେ ଆସିଲା ମାତ୍ରେକେ କର୍ଣ୍ଣୋଲ ସାହେବ ପଚାରିଲେ ତୁମ୍ଭେ ନାମ ସର୍‌ ରବର୍ଟ ଇନିସ୍‌; ତୁମ୍ଭେ କି ହେତୁରୁ ଏମନ୍ତ ନୀଚକର୍ମ ସ୍ୱୀକାର କରିଅଛ ? ସେ ଯୁବା ପୁରୁଷ ଅତି ବିନୀତଭାବରେ କହିଲେ, ହାଁ ଅବଧାନ ! ଆମ୍ଭ ନାମ ସର୍‌ ରବର୍ଟ ଇନିସ୍‌ । ପିତାମାତା ମଲା ବେଳେ କିଛିମାତ୍ର ସଂଗ୍ରହ କରି ଯାଇ ନାହାନ୍ତି । ବର୍ତ୍ତମାନ ଆତ୍ମୀୟ ଲୋକମାନଙ୍କର ଗଳଗ୍ରହ ହେବା ଅପେକ୍ଷା, ଆପଣାର ମାନ, ସମ୍ଭ୍ରମ ଆଉ ପଦର ଗୌରବ ବିସ୍ମରଣ କରି ପରିଶ୍ରମଦ୍ୱାରା ଜୀବିକା ନିର୍ବାହ କରିବା ଉତ୍ତମ; ଏକଥା ବିବେଚନା କରି ଆମ୍ଭେ ଏକର୍ମ ସ୍ୱୀକାର କରିଅଛୁଁ ।

 

ଉଇନ୍‌ରାମ ପ୍ରଥମେ ଯେରୂପ ଚମତ୍କୃତ ହୋଇଥିଲେ ବର୍ତ୍ତମାନ ତାଙ୍କର ଏହି କଥା ଶୁଣି ତଦନୁରୂପେ ଆହ୍ଲାଦିତ ହେଲେ । ସେ ମନେ ମନେ ବିବେଚନ କଲେ, ଯେଉଁ ବ୍ୟକ୍ତିର ଏମନ୍ତ ରୀତି, ଚରିତ୍ର, ସେ ଅସାଧରଣ ଗୁଣସମ୍ପନ୍ନ ହୋଇଥିବ, ସନ୍ଦେହ ନାହିଁ । ସେ ତତ୍‍କ୍ଷଣାତ୍‌ ସେଦିନ ତାଙ୍କୁ ବିଦା କରିଦେଲେ, ଭୋଜନର ନିମନ୍ତ୍ରଣ କଲେ ଏବଂ କହିଲେ ଯେ କିଛି ବସ୍ତ୍ରାଦି ତୁମ୍ଭର ଇଚ୍ଛା ଅଛି ତାହା ଆମ୍ଭ ବସ୍ତ୍ରାଗାରରୁ ଗ୍ରହଣ କର । ମାତ୍ର ଇନିସ୍‌ କହିଲେ ଆମ୍ଭେ ଏଠାରେ ନିଯୁକ୍ତ ହେବା ପୂର୍ବରେ ଯେଉଁ ସବୁ ବସ୍ତ୍ର ପରିଧାନ କରିଥିଲୁଁ ତହିଁ ମଧ୍ୟରେ କିଛି କିଛି ଅଦ୍ୟାପି ଅଛି, ଅତଏବ ଆଉ ଆମ୍ଭର ଆବଶ୍ୟକ ନାହିଁ । ଏହିରୂପେ କର୍ଣ୍ଣୋଲ ସାହେବ ଉତ୍ତରୋତ୍ତାର ସେ ଯୁବା ପୁରୁଷଠାରେ ଅତିଶୟ ପ୍ରସନ୍ନ ହୋଇ ଶୀଘ୍ର ତାଙ୍କୁ ଏକ ଉତ୍ତମ ପଦରେ ଆରୋହଣ କରାଇଲେ ।

 

ଯେତେବେଳେ କର୍ଣ୍ଣେଲଙ୍କର ଦୁହିତା ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ, ତାହା ସହିତ ସାକ୍ଷାତ କରାଇ ଦେବା ନିମନ୍ତେ ସେ ଇନିସକୁ ସେଠାକୁ ଘେନି ଗଲେ; ସେ ଯୁବ ଯୁଗଳଙ୍କ ପରସ୍ପର ଅନୁରକ୍ତ ଦେଖି ସେ ଦୁହିଙ୍କ ବିବାହର ପ୍ରସ୍ତାବ କଲେ । ସେ ବିବେଚନା କଲେ କି, ଏହି ବିବାହ କୌଣସିରୂପେ ଅଯୋଗ୍ୟ ନୁହେଁ, କାରଣ କି, କନ୍ୟାର ଧନ ସମ୍ପତ୍ତି ଯଦ୍ରୂପ ବରର ନାମ ମର୍ଯ୍ୟାଦା ତଦ୍ରୂପ, ଏବଂ ସେ ସମ୍ପତ୍ତି ଆଉ ଇନିସର ବେତନ ଏ ଦୁଇଥିରେ ଦୁଇ ଜଣଙ୍କର ସ୍ୱଚ୍ଛନ୍ଦରେ କାଳଯାପନ ହୋଇପାରିବ । ସେଠାରେ ବରକନ୍ୟା ଦୁହେଁ ପରିଣୀତ ହୋଇ ପରମସୁଖରେ କାଳକ୍ଷେପ କଲେ ।

Image

 

ପ୍ରତ୍ୟୁତ୍ପନ୍ନମତିତବ

 

ଅର୍ଥାତ୍‌ ହଠାତ୍‌ ଆପଦ ବିପଦ ପଡ଼ିବା ସମୟରେ ବ୍ୟାକୁଳଚିତ୍ତ ନ ହୋଇ ଶୀଘ୍ର ଉପାୟ କରିବାର ଶକ୍ତି ।

 

ଯେଉଁ ସ୍ଥଳରେ ଆପଦ ପଡ଼ିପାରେ ଏବମ୍ପ୍ରକାର ସ୍ଥଳକୁ ଆପଣା ଇଚ୍ଛାରେ ଯିବାର ଅତି ମୂର୍ଖ ଲୋକର କର୍ମ । ମାତ୍ର ଆପଦ ପଡ଼ିଲେ ସାହସ ଆଉ ଧୈର୍ଯ୍ୟ ଅବଲମ୍ୱନ କରି ବ୍ୟାକୁଳଚିତ୍ତରେ ତହିଁର ପ୍ରତିକାର ଚେଷ୍ଟା କରିବା ଉଚିତ ଅଟେ । ଆମ୍ଭେମାନେ ଯେତେ ଇଚ୍ଛା ସେତେ ସାବଧାନ ହେଲେ ସୁଦ୍ଧା, ତଥାପି ଯାବଜ୍ଜୀବ ପର୍ଯ୍ୟନ୍ତ ଯେ କଦାପି କୌଣସି ଆପଦରେ ନ ପଡ଼ିବା ଏରୂପ ଆଶା କରା ଯାଇ ନପାରେ । ଆମ୍ଭମାନଙ୍କ ପିନ୍ଧିବା ବସ୍ତ୍ରରେ ଏବଂ ବାସଗୃହରେ ଅଗ୍ନି ଲାଗିପାରେ, ମଧ୍ୟ ଦୈବଘଟନାକ୍ରମରେ ଆମ୍ଭମାନଙ୍କର ଜଳମଗ୍ନ ହେବାର କିଛି ଅସମ୍ଭବ ନୁହେଁ । ଏହି ସବୁ ଅବସ୍ଥା ଘଟିଲେ ଆମ୍ଭମାନଙ୍କ ଶରୀରେ ଅତ୍ୟନ୍ତ ଆଘାତ ଲାଗି ପାରେ ଆଉ ତାହା ହେଲେ ପ୍ରାଣ ନାଶର ମଧ୍ୟ ଅଟକ ନାହିଁ । କିନ୍ତୁ ବିପଦ ପଡ଼ିଲେ ଯେବେ ଆମ୍ଭମାନେ ବିବେଚନାପୂର୍ବକ ସ୍ଥିର ଚିତ୍ତରେ ଆତ୍ମରକ୍ଷାର ଉପାୟ ଚିନ୍ତାରେ ତତ୍ପର ହୋଇଥିବା ତେବେ ତାଦୃଶ ଅନିଷ୍ଟ ଘଟିବାର ଆଶଙ୍କା ନାହିଁ ।

 

ବିପଦ ପଡ଼ିଲେ କୌଣସି କୌଣସି ଲୋକେ ଭୟରେ ଏମନ୍ତ ଅସ୍ଥିର ଆଉ ହତଜ୍ଞାନ ହୋଇଯାନ୍ତି କି, ସେମାନେ ଆତ୍ମରକ୍ଷା ନିମନ୍ତେ କିଛିମାତ୍ର ଉପାୟ କରିପାରନ୍ତି ନାହିଁ । ଏ ପ୍ରକାର ହେଲେ ବିପଦର ନିବାରଣ ନ ହୋଇ ବରଂ ବୃଦ୍ଧି ହୁଏ । ବିପଦକାଳରେ କାତର ନୋହିବା ଅତ୍ୟନ୍ତ ଆବଶ୍ୟକ । ସେହି ସମୟରେ ସ୍ଥିର ଆଉ ସାବଧାନ ରହିବା ଉଚିତ; ତାହା ହେଲେ ଉପସ୍ଥିତ ଅମଙ୍ଗଳ ମେଣ୍ଟଣ କରିବାର ଯେବେ କୌଣସି ଉପାୟ ଥାଏ ତେବେ ସେଥିର ଚିନ୍ତା ଆଉ ଅବଲମ୍ୱନ କରା ଯାଇପାରେ । ଏହି ଶକ୍ତିକୁ ପ୍ରତ୍ୟୁତ୍ପନ୍ନମତିତବ କହନ୍ତି । ଏହି ଗୁଣ ସର୍ବଦା ପ୍ରଂଶସାଯୋଗ୍ୟ ଅଟେ ।

 

ଯେବେ କଦାପି କାହାରି ଲୁଗାରେ ଅଗ୍ନି ଲାଗେ ତେବେ ଅନ୍ୟ ଲୋକର ସାହାଯ୍ୟ ନିମନ୍ତେ ଦୌଡ଼ି ବୁଲିବାର ବିହିତ ନୁହେଁ । ଠିଆ ହୋଇ ରହିଲେ ଅବା ଦୌଡ଼ି ଗଲେ ବସ୍ତ୍ର ଅତିଶୀଘ୍ର ଦଗ୍ଧ ହୁଏ ମଧ୍ୟ, ଶୀଘ୍ର ଦେହ ଦାହ କରେ । ସେହି ସମୟରେ ଭୂମିରେ ପଡ଼ି ଗଡ଼ାଗଡ଼ି ଦେବାର ଉଚିତ, ଏରୂପ କଲେ ସେତେ ଶୀଘ୍ର ଦାହ ହୋଇ ନ ପାରେ । ସେ ସମୟରେ ଯେବେ ଖଣ୍ଡେ ସତରଞ୍ଜୀ ଅବା ଗାଲିଚା ଦେହରେ ଘୋଡ଼ାଇ ଦିଆ ଯାଇପାରେ ତେବେ ତତ୍‍କ୍ଷଣାତ୍‍ ଅଗ୍ନି ନିର୍ବାଣ ହେବ ।

 

ଯେଉଁ ଗୃହ ଦଗ୍ଧ ହେଉ ଥାଏ ତହିଁରୁ ପଳାଇ ଯିବାବେଳେ ଯେବେ ସେ ଗୃହ ଧୂମପୂର୍ଣ୍ଣ ହୋଇଥିବ, ତେବେ ସୁଦ୍ଧା ଠିଆ ହୋଇ ଯିବାର ଉଚିତ ନୁହେଁ, ତହିଁରେ ଶ୍ୱାସ ବନ୍ଦ ହୋଇ ପ୍ରାଣ ନାଶର ସମ୍ଭାବନା ଘଟିପାରେ । ଏମନ୍ତ ସ୍ଥଳରେ ହାମୁଡ଼ାଇ ଯିବା ଅତି ଉତ୍ତମ; ଯେହେତୁରୁ ସେତେବେଳେ ଗୃହତଳରେ ନିର୍ମଳ ବାୟୁର ସଞ୍ଚାର ଥାଏ ।

 

ଯେବେ କୌଣସି ବ୍ୟକ୍ତି ଦୈବାତ ଜଳମଗ୍ନ ହୁଏ ଅଥଚ ପହଁରି ନ ଜାଣେ, ତେବେ ସେ ଭାସି ଉଠିବା ଲାଗି ଚେଷ୍ଟା କରିବା ଉଚିତ ନୁହେଁ । ସେତେବେଳେ କେବଳ ସ୍ଥିର ହୋଇ ଆଉ ନାଡ଼ୀମାନଙ୍କୁ ବାୟୁ ପୂର୍ଣ୍ଣ କରି ରହିବା ଆବଶ୍ୟକ । ଶରୀର ଜଳଠାରୁ ଲଘୁ; ସୁତରାଂ ଯେବେ ଅତି ବ୍ୟାକୁଳ ହୋଇ ହସ୍ତ ପାଦାଦି ନ ହଲାଇବ, ତେବେ ଶରୀର ଅବଶ୍ୟ ଜଳ ଉପରେ ଭାସି ଉଠିବ ପୁଣି ସେହିଠାରେ ରହିବ; କଦାପି ବୁଡ଼ିଯିବ ନାହିଁ ।

Image

 

ଦହ୍ୟମାନ ଗୃହସ୍ଥିତ ଦୁଇ ସ୍ତ୍ରୀଙ୍କର ଭିନ୍ନ ଭିନ୍ନ କର୍ମ

 

ଦିନକରେ ରାତ୍ରିକାଳରେ କୌଣସି ଗୃହରେ ଅଗ୍ନି ଲାଗି ଥିଲା । ଗୃହସ୍ୱାମିନୀ ଜାଗରିତ ହୋଇ ଦେଖିଲା, ଅଗ୍ନିଶିଖା ଅତି ପ୍ରଚଣ୍ଡ ବେଗରେ ଗବାକ୍ଷଦ୍ୱାର ବାଟେ ବାସଗୃହରେ ପ୍ରବେଶ କରୁଅଛି । ତାହା ପୁତ୍ରମାନେ ପାର୍ଶ୍ୱବର୍ତ୍ତୀ ଗୃହରେ ଶୟନ କରିଥିଲେ । ସେଇ ସମୟରେ ସେମାନଙ୍କୁ ଜାଗରିତ କରିଥିଲେ ଅନାୟାସରେ ସେମାନଙ୍କ ପ୍ରାଣରକ୍ଷା ହୋଇ ପାରିଥାନ୍ତା । ମାତ୍ର ସେ ଅତ୍ୟନ୍ତ ବ୍ୟାକୁଳ ହେବା ହେତୁରୁ ସେମାନଙ୍କୁ ବିସ୍ମରଣ କରି ନିଜେ ଅତିକଷ୍ଟରେ ଗୃହରୁ ବାହାରି ଆସି ଏକାବେଳକେ ରାଜପଥରେ ଉପସ୍ଥିତ ହେଲା । ସେଠାରେ ପହଞ୍ଚିଲାକ୍ଷଣି ପ୍ରାଣସମ ପୁତ୍ରମାନେ ତାହା ମନେ ପଡ଼ିଲେ । ସେତେବେଳେ ସେ ସେମାନଙ୍କୁ ବାହାର କରି ଆଣିବା ନିମନ୍ତେ ନିତାନ୍ତ ଉତ୍ସୁକ ଆଉ ବ୍ୟାକୁଳ ହେଲା; ମାତ୍ର ପୁର୍ନବାର ଗୃହରେ ପ୍ରବେଶ କରିବାର ଉପାୟ ନ ଦେଖି ହାହାକାର କଲା । ସେଠାରେ ପୁତ୍ରମାନେ ଅଗ୍ନିଦାହରେ ପ୍ରାଣତ୍ୟାଗ କଲେ ।

 

ଆଉ ଏକ ସମୟରେ ରାତ୍ରକାଳରେ ଅନ୍ୟ ଏକ ଗୃହରେ ଅଗ୍ନି ଲାଗିବାରେ ସେହି ଗୃହର କର୍ତ୍ତୀ ଜାଗରିତ ହୋଇ ଦେଖିଲା, ବାସଗୃହ ତଳେ ଅଗ୍ନି ଅତି ପ୍ରବଳ ହୋଇ ଉଠୁଅଛି । ତାହା ସ୍ୱାମୀ ଖିଡ଼ିକିଦ୍ୱାର ଫିଟାଉଥିଲା, ସ୍ତ୍ରୀ ନିବାରଣ କରି କହିଲା, ଦ୍ୱାର ଖୋଳିଲେ ଧୂମ ଆଉ ଅଗ୍ନି ଉତ୍ତାପ ଲାଗି କୌଣସିରୂପେ ଗୃହରେ ରହି ପାରିବା ନାହିଁ । ତାହାର କେତେ ଗୋଟି ପୁତ୍ର ଧାତ୍ରୀ ସହିତ ପାର୍ଶ୍ୱବର୍ତ୍ତୀ ଗୃହରେ ଶୋଇଥିଲେ । ଗୃହସ୍ୱାମିନୀ ସେମାନଙ୍କୁ ଜାଗରିତ କରିଦେଲା ଏବଂ କିଞ୍ଚିନ୍ମାତ୍ର ବ୍ୟାକୁଳା ନ ହୋଇ କେତେକ ଖଣ୍ଡ ଚାଦର କମ୍ୱଳ ପରସ୍ପର ବାନ୍ଧି ତହିଁର ଏକ ପ୍ରାନ୍ତ ନିଜେ ଧରି ଆର ପ୍ରାନ୍ତ ଭାଗ ଧାତ୍ରୀକୁ ଧରାଇ ଖିଡ଼ିକି ଦ୍ୱାର ବାଟେ ପ୍ରଥମେ ତାକୁ ତଳକୁ ଓହ୍ଲାଇ ଦେଲା; ଅବଶେଷରେ ସେ ସ୍ତ୍ରୀ ପୁରୁଷ ଦୁଇଜଣ ଓହ୍ଲାଇଲେ । ଏହିରୂପେ ସମସ୍ତଙ୍କ ପ୍ରାଣ ରକ୍ଷା ହେଲା । ମାତ୍ର ପୂର୍ବୋକ୍ତ ଉପାୟ ଚିନ୍ତା କରି ନ ଥିଲେ ଜଣକର ସୁଦ୍ଧା ପ୍ରାଣ ରକ୍ଷାର ସମ୍ଭାବନା ନ ଥିଲା, ଯେହେତୁରୁ କେତେକ ମୁହୂର୍ତ୍ତପରେ ସମୁଦାୟ ଗୃହ ଭସ୍ମାବଶେଷ ହେଲା ।

Image

 

ଜଣେ ଚିତ୍ରକରର ଭୃତ୍ୟ

 

ସର୍‌ ଜେମ୍‍ସ ଥରନ୍‌ହିଲ ନାମରେ ଜଣେ ସୁପ୍ରସିଦ୍ଧ ଚିତ୍ରକର ଥିଲା । ସେ କୌଣସି ଏକ ଦେବାଳୟ ଚିତ୍ରିତ କରିବା ଭାର ନେଇ ଥିଲା । ଦିନକରେ ସେ, ଚିତ୍ର କର୍ମ କେମନ୍ତ ହୋଇଅଛି ବୋଲି ଦେଖିବା ନିମନ୍ତେ, ଭାରା ଉପରେ ଚଢ଼ ଦେଖୁ ଦେଖୁ ପଛକୁ ଘୁଞ୍ଚି ଆସି କ୍ରମରେ ଭାରାର ନିତାନ୍ତ ପ୍ରାନ୍ତ ଭାଗରେ ଆସି ପହୁଞ୍ଚିଲା, ଆଉ ପାଦେ ଘୁଞ୍ଚିଲେ ଏକାବେଳକେ ଅଧଃପତିତ ହୋଇ ଧୂଳିସାତ୍‍ ହୋଇଥାନ୍ତା । ତାହା ଭୃତ୍ୟ ଏକ ବିପଦ ଉପସ୍ଥିତ ଦେଖିଲାକ୍ଷଣି ହଠାତ୍‌ ଚିତ୍ରକର୍ମ ଉପରେ ଗୋଟିଏ ରଙ୍ଗ ଘୁଡ଼ି ପକାଇ ଦେଲା । ଚିତ୍ରକର ଆପଣା ଭୃତ୍ୟରେ ଏହି ପ୍ରକାର ବ୍ୟାପାର ଦେଖି ଗର୍ହିତ ବୋଧ କରି କ୍ରୋଧରେ କମ୍ପାନ୍ୱିତ କଳେବର ଆଉ ପଶ୍ଚାତ୍‍ଗମନରେ ବିରତ ହୋଇ ତାକୁ ଦଣ୍ଡ ଦେବା ଲାଗି ସମ୍ମୁଖ ଦିଗକୁ ଧାଇଁଗଲା । କିନ୍ତୁ ତାହାର ଅଭିପ୍ରାୟ ଅବଗତ ହେଲାମାତ୍ରେ ତାକୁ ଅଶେଷ ଧନ୍ୟବାଦ ପ୍ରଦାନ ପୁଣି ତାହାର ପ୍ରତ୍ୟୁତ୍ପନ୍ନମତିତବର ଅତିଶୟ ପ୍ରଶଂସା କଲା ।

 

ଯେବେ ଭୃତ୍ୟ ଏପ୍ରକାର ଉପାୟ ନକରି ତାକୁ ସେହି ଉପସ୍ଥିତ ବିପଦ ଜଣାଇଥାନ୍ତା, ତେବେ ନିଃସନ୍ଦେହ ତ୍ରସ୍ତ ହୋଇ ତାହାର ପାଦ ଖସି ଯାଇ ସେ ତଳେ ପଡ଼ି ପଞ୍ଚତ୍ୱ ପ୍ରାପ୍ତ ହୋଇଥାନ୍ତା ଏହି ସ୍ଥଳରେ ଭାଗର ଯଦୃଚ୍ଛାରେ ସମ୍ମୁଖ ଦିଗକୁ ଯିବା ଛାଡ଼ି ତାହାର ପ୍ରାଣ ରକ୍ଷାର ଆଉ କୌଣସି ଉପାୟ ନ ଥିଲା ଅତଏବ ଚିତ୍ର ଉପରେ ରଙ୍ଗ ପକାଇ ଭୃତ୍ୟ ଉତ୍ତମ ବୁଦ୍ଧି ପ୍ରକାଶ କରିଥିଲା । ବାସ୍ତବ ଭୃତ୍ୟ ଏରୂପ ସାବଧାନ ଆଉ ପ୍ରତ୍ୟୁତ୍ପନ୍ନମତି ନୋହିଥିଲେ କୌଣସି ପ୍ରକାରର ଚିତ୍ରକରର ଅପମୃତ୍ୟୁ ନିବାରଣ ହୋଇ ନଥାନ୍ତ। ।

Image

 

ବିନୟ

 

ଯେବେ କେହି ଆପେ ଆପଣାର ପ୍ରଶଂସା କରେ, କିମ୍ୱା ଆପଣା କଥା ଅଧିକ କରି କହେ, ଅଥବା କୌଣସିରୂପେ ସେ ଆପେ ଆପଣାକୁ ବଡ଼ ଜ୍ଞାନ କରେ ବୋଲି ବ୍ୟକ୍ତ କରେ, ତେବେ ସେ ନିଃସନ୍ଦେହରୂପେ ଉପହାସ ଯୋଗ୍ୟ ହୁଏ । ଆମ୍ଭମାନଙ୍କର ଆପଣା ଆପଣାକୁ ସାମାନ୍ୟ ଜ୍ଞାନ କରିବା ଉଚିତ୍‌, ମଧ୍ୟ ଆମ୍ଭେମାନେ ଆପଣା ଆପଣାକୁ ସାମାନ୍ୟ ମନେ କରୁଁ ବୋଲି ଲୋକେ ସୁଦ୍ଧା ଯେମନ୍ତେ ଜାଣି ପାରିବେ । ଆଉ ଅନ୍ୟ ଲୋକେ ଯେତେବେଳେ ଆମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ବିନୀତ ହେବା ଉଚିତ । ବିନୟ ସଦ୍‌ଗୁଣର ଶୋଭାଜନକ ହୁଅ ବୋଲି ଅତିପ୍ରସିଦ୍ଧ କଥା ଅଛି । କିନ୍ତୁ ଯଥାର୍ଥ ସଦ୍‌ଗୁଣ ଆଉ ତାହା ଗରିମାପୂର୍ବକ ଆପେ ପ୍ରକାଶ ଯେ କରେ ସେ ସମସ୍ତଙ୍କର ଘୃଣିତ ହୁଏ । ପୁନଶ୍ଚ ଆମ୍ଭମାନଙ୍କର ଯେଉଁସବୁ ବିଦ୍ୟା, ଗୁଣ ଅଥବା ପଦ ନାହିଁ, ଯେବେ ଆମ୍ଭେମାନେ ତାହା ଅଛି ବୋଲି ଲୋକଙ୍କ ନିକଟରେ ବଡ଼ାଇ କରିବା, ତେବେ ଆମ୍ଭମାନେ ଆହୁରି ଉପହାସଯୋଗ୍ୟ ହେବା । ଯେହେତୁରୁ, ଆମ୍ଭମାନଙ୍କର ସେ ବଡ଼ାଇ ମିଥ୍ୟା ବୋଲି ଲୋକେ ଅନାୟାସରେ ଜାଣି ପାରିବେ । ଲୋକେ ନିର୍ଗୁଣ ବ୍ୟକ୍ତିକୁ ଯେତେ ଅବଜ୍ଞା ଓ ଘୃଣା କରନ୍ତି, ନିର୍ଗୁଣ ହୋଇ ଗୁଣ ଅଛି ବୋଲି ସେ ବଡ଼ାଇ କରେ ତାକୁ ତଦପେକ୍ଷା ଅଧିକ ଅବଜ୍ଞା ଆଉ ଅଧିକ ଘୃଣା କରନ୍ତି ।

 

ଆପଣା ବିଚାରକୁ ଅଖଣ୍ଡନୀୟବୋଧ କରି ପର ବିଚାର ତୁଚ୍ଛାଜ୍ଞାନ କରନ୍ତି, ଅନେକ ଲୋକଙ୍କର ଏରୂପ ଗୋଟିଏ ରୋଗ ଅଛି । କିନ୍ତୁ ଏହି ମହତ୍‍ ରୋଗ ପ୍ରତିକାର ବିଷୟରେ ସଯତ୍ନ ହେବା ଅତି କର୍ତ୍ତବ୍ୟ ଅଟେ । ଆମ୍ଭେମାନେ ଅଶୁଦ୍ଧ ବୋଧ କଲେହେଁ ସେମାନଙ୍କ ବିଚାର ବାସ୍ତବ ଶୁଦ୍ଧ ହୋଇ ପାରେ, ଆଉ ଆମ୍ଭମାନଙ୍କ ବିଚାରକୁ ଆମ୍ଭମାନେ ନିଜେ ଯଥାର୍ଥ ବୋଧ କଲେ ସୁଦ୍ଧା ବାସ୍ତବିକ ଅଯଥାର୍ଥ ହେବା ଅଟକ କି ? ସମସ୍ତଙ୍କର ବିଶେଷ ବିଶେଷ ମତ ଅଛି ଏବଂ ସମସ୍ତେ ଆପଣା ଆପଣା ମତିକୁ ଯଥାର୍ଥ ଜ୍ଞାନ କରି ପାରନ୍ତି ଅତଏବ ସମସ୍ତଙ୍କର ମତ ଭ୍ରମଯୁକ୍ତ କେବଳ ଆମ୍ଭରି ମତ ପ୍ରାମାଣିକ ଏକଥା କୌଣସିରୂପେ ହୋଇ ନ ପାରେ । ଆମ୍ଭର ଭୁଲ ହୋଇପାରେ ଏହିରୂପ ଭାବନା କରି କର୍ମ କରିବା ସମସ୍ତଙ୍କ ପକ୍ଷରେ ବିଶେଷ ଆବଶ୍ୟକ ଅଟେ ।

Image

 

ସାର ଆଇଜାକ୍‌ ନିଉଟନ

 

ଅସାଧାରଣ ବୁଦ୍ଧି ବିଦ୍ୟା ସମ୍ପନ୍ନ ସର୍ବଜନ ପ୍ରଶଂସନୀୟ ମହାତ୍ମାମାନେ ସାମାନ୍ୟ ଲୋକଙ୍କଠାରୁ ଅଧିକ ଶିଷ୍ଟ ଓ ନମ୍ର ହୁଅନ୍ତି, ଦେଖାଯାଉଅଛି । ମହାନୁଭାବ ସାର୍‍ ଆଇଜାକ୍‌ ନିଉଟନ୍‍ ଆପଣାର ଅସାଧାରଣ ବିଦ୍ୟା ଆଉ ବୁଦ୍ଧି ହେତୁରୁ ଜଗବିଖ୍ୟାତ ହୋଇଅଛନ୍ତି; ସେ ଅତିଶୟ ଶିଷ୍ଟ ପୁଣି ନମ୍ର ଥିଲେ । ଅତି ବାଲ୍ୟକାଳରେ ପଢ଼ିବା ସମୟରେ ସେ ଆପଣା ହସ୍ତରେ ଛୋଟ ଛୋଟ ଆଶ୍ଚର୍ଯ୍ୟ ଯନ୍ତ୍ର ନିର୍ମାଣ କରି ପାଠଶାଳାରେ ଥିବା ସମସ୍ତ ଲୋକଙ୍କୁ ଚମତ୍କାର କରାଉଥିଲେ ।

 

ନିଉଟନ୍‍ ଯେତେବେଳେ କିଞ୍ଚିତ ଅଧିକ ବୟସ୍କ ହୋଇ ବିଦ୍ୟାଳୟକୁ ଗଲେ, ସେତେବେଳେ ସେ ବାୟୁ, ଜଳ, ଜୁଆର ଭଟ୍ଟା, ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣ ବିଷୟରେ କିଛି କିଛି ଅବଗତ ହେବାକୁ ନିତାନ୍ତ ଅଭିଳାଷୀ ହୋଇଥିଲେ । ଦିନକରେ ସେ ଆପଣା ବଗିଚାରେ ବସିଥିଲେ, ଏମନ୍ତ ସମୟରେ ବୃକ୍ଷରୁ ଗୋଟିଏ ଫଳ ତଳେ ପଡ଼ିଗଲା, ଅଥବା ପୃଥିବୀର ଏମନ୍ତ କୌଣସି ଶକ୍ତି ଅଛି ଯେ ତାହା ଆକର୍ଷଣଦ୍ୱାରା ଫଳ ପଡ଼ିଲା । ଶେଷରେ ଅନେକ ବିବେଚନା କଲା ପରେ ନିର୍ଦ୍ଧାରିତ କଲେ ଯେ, ପୃଥିବୀର ଆକର୍ଷଣ ହେତୁରୁ ଫଳ ପଡ଼ିଲା, ଏବଂ ସେ ଆକର୍ଷଣ ପ୍ରକୃତିର ଏକ ନିୟମ; ତାହାଦ୍ୱାରା ସକଳ ପଦାର୍ଥ ତଳେ ପଡ଼େ, ଇତସ୍ତତଃ ଯାଇ ନ ପାରେ । ସେ ମଧ୍ୟ ପ୍ରକାଶ କରିଥିଲେ ଯେ, ସକଳ ବସ୍ତୁ ପରସ୍ପର ଆକର୍ଷଣ କରନ୍ତି ଏବଂ ସେମାନଙ୍କର ଆକାର ଆଉ ଦୂରତ୍ୱ ଅନୁସାରେ ଆକର୍ଷଣର ନ୍ୟୂନାଧିକ ହୁଏ । ଏହି ନିୟମ ପ୍ରମାଣେ, ଚନ୍ଦ୍ର ପୃଥିବୀର ଆକର୍ଷଣ ଦ୍ୱାରା ଏବଂ ପୃଥିବୀ ଆଉ ଅନ୍ୟାନ୍ୟ ଗ୍ରହଗଣ ସୂର୍ଯ୍ୟର ଆକର୍ଷଣ ଦ୍ୱାରା ନିୟନ୍ତ୍ରିତ ଏବଂ ପୃଥକ ପୃଥକ ଦୂର ଦେଶରେ ବ୍ୟବସ୍ଥିତ ଅଛନ୍ତି ।

 

ଲୋକମାନେ ନିଉଟନଙ୍କର ଏହି ସମସ୍ତ ପ୍ରକାଶିତ ବିଷୟକୁ ମହୋପକାର ବୋଲି ସ୍ୱୀକାର କରନ୍ତି । ଏହି ସକଳ କଥା ପ୍ରକାଶ କରିଅଛନ୍ତି ବୋଲି ଜ୍ଞାନି ଲୋକ ଚିରକାଳ ଭକ୍ତିପୂର୍ବକ ତାଙ୍କ ନାମ-କୀର୍ତ୍ତନ କରିବେ ।

 

ନିଉଟନ୍ ଅତି ଶାନ୍ତ ସ୍ୱଭାବ ଥିଲେ । କେହି କଦାପି ତାଙ୍କୁ କ୍ରୋଧାଦିର ବଶୀଭୂତ ହେବାର ଦେଖି ନ ଥିଲେ । ତାଙ୍କର ଗୋଟିଏ ଛୋଟ କୁକ୍କୁର ଥିଲା; ସେ ତାକୁ ଡାୟମଣ୍ଡ ବୋଲି ଡାକନ୍ତି । ଦିନକର ସେ କୌଣସି କାର୍ଯ୍ୟ କରିବା ଲାଗି ଆପଣଙ୍କ ପାଠଶାଳରୁ ବାହାରକୁ ଯାଇଥିଲେ । ଦୈବାତ ସେହି ସମୟରେ ଡାୟମଣ୍ଡ ମେଜ ଉପରକୁ ଯାଇ ଜଳନ୍ତା ବଳିତା ପକାଇ ଦେଲା, ତହିଁରେ ଅଳ୍ପକାଳ ମଧ୍ୟରେ ତାଙ୍କର ସମୁଦାୟ କାଗଜପତ୍ର ଭସ୍ମାବଶେଷ ହୋଇଗଲା । ଏହିରୂପେ ତାଙ୍କର ଅନେକ ବର୍ଷର ପରିଶ୍ରମ ବିଫଳ ହେଲା; ତଥାପି ନିଉଟନ ପାଠଗୃହକୁ ଯାଇ ଏହି ବ୍ୟାପାର ଅବଲୋକନ କରି କୁକ୍କୁରକୁ ପ୍ରହାର କଲେ ନାହିଁ, କେବଳ କହିଲେ ଡାୟମଣ୍ଡ ! ତୁମ୍ଭେ କି ପର୍ଯ୍ୟନ୍ତେ ଆମ୍ଭର କ୍ଷତି ଆଉ ଅପକାର କରିଅଛ ତାହା କିଛି ଜାଣ ନାହିଁ ।

 

ନିଉଟନ ଅତିଶୟ ଜ୍ଞାନୀ ଆଉ ବିଦ୍ୱାନ ଥିଲେ ସତ୍ୟ; କିନ୍ତୁ ଜ୍ଞାନ ପୁଣି ବିଦ୍ୟାର କିଛିମାତ୍ର ଅହଙ୍କାର କରି ନ ଥିଲେ । ସ୍ୱଭାବରେ ଅତିଶୟ ନମ୍ର ପୁଣି ବିନୀତ ଥିଲେ । କି ଧନବାନ୍‍, କି ଦରିଦ୍ର, କି ପଣ୍ଡିତ, କି ମୂର୍ଖ ସମସ୍ତଙ୍କଠାରେ ସମାନ ଦୟାଳୁ ଥିଲେ । ସେ ଯଦ୍ୟପି ସେ ସମୟର ସକଳ ଲୋକଙ୍କ ଅପେକ୍ଷା ଅଧିକ ବୁଦ୍ଧି, ବିଦ୍ୟା ସମ୍ପନ୍ନ ଥିଲେ, ତଥାପି ମରିବାର କିଞ୍ଚିତ୍‍ ପୂର୍ବରୁ କହିଥିଲେ, ଆମ୍ଭର ଯାହା ଶିଖିବାକୁ ବାକୀ ଅଛି ତାହା ସହିତ ତୁଳନା କଲେ, ଯାହା ଶିଖିଅଛୁଁ ତାହା ଅତ୍ୟଳ୍ପ ଅଟେ । କୌଣସି ବିଷୟ ଭାବନା କରିବାକୁ ବସି କେବେ କେବେ ସେ ତହିଁରେ ଏମନ୍ତ ମଗ୍ନ ହୁଅନ୍ତି କି, ତାଙ୍କର ଆହାର ସାମଗ୍ରୀ ପ୍ରସ୍ତୁତ ହୋଇ ପ୍ରାୟ ଏକ ପ୍ରହର ପଡ଼ି ରହେ, ଏଥିମଧ୍ୟରେ ତାଙ୍କୁ କେହି ଉଠାଇ ଆଣିପାରେ ନାହିଁ ।

Image

 

ଶିଷ୍ଟାଚାର

 

ମନୁଷ୍ୟମାନଙ୍କ ସ୍ୱଭାବ ଆଉ ମନର ଗତି ପୃଥକ୍‌ ପୃଥକ ଆପଣା ମନରେ ଯାହା ଉଦୟ ହୁଏ, ଏକ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଯେବେ ତାହା କହନ୍ତା ପରସ୍ପର ବିରୋଧ ଜାତ ହୁଅନ୍ତା, ସନ୍ଦେହ ନାହିଁ । ଏଥିଲାଗି ଯେତେବେଳେ ଆମ୍ଭେ ପାଞ୍ଚଜଣ ଏକତ୍ର ହୋଇଅଛୁଁ, ସେତେବେଳେ କେବଳ ଏମନ୍ତ କଥା କହିବା ଉଚିତ କି, ତାହା ଶୁଣି କୌଣସି ବ୍ୟକ୍ତିର ଅସନ୍ତୋଷ ନ ଜନ୍ମିବ ।

 

ଯେବେ କାହାରି ସଙ୍ଗେ ସାକ୍ଷାତ୍‌ ହୁଏ, ସେ ଯେରୂପ ଲୋକ, ତାହାର ତଦନୁରୂପ ମର୍ଯ୍ୟାଦା ଆଉ ସମାଦର କରିବା ଉଚିତ ଅଟେ । ଯେବେ ଅଭ୍ୟାସଗତ ଲୋକମାନ୍ୟ ହୁଏ, ତେବେ ତାଙ୍କୁ ଆପଣା, ଅବଧାନ, ଇତ୍ୟାଦି ସମ୍ମାନସୂଚକ ଶବ୍ଦ ପୁଣି ସମାନ ବ୍ୟକ୍ତି ହେଲେ ଭାଇ, ତୁମ୍ଭେ, ଇତ୍ୟାଦି ଆଦରସୂଚକ ବାକ୍ୟ କହିବା ଉଚିତ । ଅତି ସାମାନ୍ୟ ଲୋକ ହେଲେହେଁ ତାକୁ ଆପଣାର ସମାନ ଲୋକ ବିବେଚନା କରି ସମ୍ଭାଷଣ ଆଉ ସମ୍ୱୋଧନ କରିବା ବିହିତ ଅଟଇ । ଅନେକ ଲୋକେ ଏରୂପ ଲୋକଙ୍କୁ ଆରେ, ତୁ, ଇତ୍ୟାଦି ଅବଜ୍ଞାସୂଚକ ଶବ୍ଦରେ ଆହ୍ୱାନ ପୁଣି ସମ୍ୱୋଧନ କରନ୍ତି । କିନ୍ତୁ ତାହା ଅତ୍ୟନ୍ତ ଅନ୍ୟାୟ । ସେ ସେଇ ପ୍ରକାର କଥା କହେ, ତାହାର କିଛି ଲାଭ ନାହିଁ କିନ୍ତୁ ଯାହାକୁ ବୋଲା ଯାଏ, ସେ ତାକୁ ଅହଙ୍କାରୀ, ଅଶିଷ୍ଟ ଏବଂ ଅଭଦ୍ର ବୋଲି ଜାଣେ ମଧ୍ୟ ମନେ ମନେ ଅତ୍ୟନ୍ତ ଅସନ୍ତୁଷ୍ଟ ହୁଏ । କୌଣସି ଲୋକ ନିକଟକୁ ଚିଠି ଲେଖିବାକୁ ହେଲେ ଯଥୋଚିତ ବିନୟ, ଶିଷ୍ଟାଚାର ଓ ସମାଦରପୂର୍ବକ ଲେଖିବା ଉଚିତ । ଯେରୂପ ଲୋକ ତାକୁ ସେହିରୂପ ପାଠ ଲେଖିବା ଉଚିତ୍‌ ।

 

ଯେତେବେଳେ ଅନେକ ଲୋକେ ଏକତ୍ର ବସି କଥାବାର୍ତ୍ତା କରୁଥାନ୍ତି, ଯେତେବେଳେ ଯେଉଁବ୍ୟକ୍ତି ପ୍ରଥମେ କହିବାକୁ ଆରମ୍ଭ କରିଥିବ, ତାହା କଥା ସମାପ୍ତ ନୋହୁଣୁ ଆଉ କେହି କହିବାକୁ ଆରମ୍ଭ କରିବା ଉଚିତ ନୁହେଁ; କଲେ ଶିଷ୍ଟାଚାରର ବିପରୀତ କର୍ମ କରାଯାଏ । ଅନେକ ଲୋକେ ଏ ପ୍ରକାର ଶିଷ୍ଟାଚାର ଧାରା ମାନନ୍ତି ନାହିଁ, କିନ୍ତୁ ସେରୂପ ହେବା କଦାପି ଉଚିତ୍‌ ନୁହେଁ । କିପାଁ କି, ତହିଁରେ ପୂର୍ବ ବ୍ୟକ୍ତିର ଅନାଦର କରାଯାଏ ଅଥଚ ଆପେମଧ୍ୟ ଅସଭ୍ୟ ଆଉ ନିବୁର୍ଦ୍ଧି ବୋଲି ପ୍ରକାଶ ପାଏ । ବାସ୍ତବ ଏମନ୍ତ ସ୍ଥଳରେ ଆପଣାର ଇଚ୍ଛା ନିବର୍ତ୍ତ କରି ପରର କଥା ସମାପ୍ତି ପର୍ଯ୍ୟନ୍ତେ ଅପେକ୍ଷା କରିବା ଅତି ଆବଶ୍ୟକ । ତାହା ନ କରି ଅକାରଣରେ ଜଣକୁ କ୍ଷୋଭ ଦେବାର ନିତାନ୍ତ ମୂର୍ଖ ବ୍ୟକ୍ତିର କର୍ମ ଅଟଇ ।

 

ଯାହାର ଯେରୂପ ସଙ୍ଗ ତାହାର ପ୍ରାୟ ତଦନୁଯାୟୀ ସ୍ୱଭାବ ହୁଏ । ଯେଉଁ ସ୍ଥାନରେ ସର୍ବଦା ବିବାହ କଳହ ହେଉଥାଏ ସେଠାରେ ଯେବେ ଆମ୍ଭମାନେ ରହିବା, ତେବେ ଆମ୍ଭମାନଙ୍କ ଅନ୍ତଃକରଣ କର୍କଶ ଓ ରାଗାସକ୍ତ ହୋଇ ଉଠିବ । ପୁନଶ୍ଚ ସର୍ବଦା କୋମଳ ବାକ୍ୟ ଶ୍ରବଣ କଲେ ଆମ୍ଭେମାନେ ମୃଦୁସ୍ୱଭାବ ଆଉ ଶିଷ୍ଟ ହେବା । ଯେଉଁ ବ୍ୟକ୍ତି ସ୍ୱଭାବରେ କ୍ରୁଦ୍ଧ ଓ ଅଶାନ୍ତ ହୋଇଥାଏ ସେ ସର୍ବଦା ଶିଷ୍ଟ ଲୋକଙ୍କ ସଂସର୍ଗ କରେ ଶିଷ୍ଟ ଏବଂ ଶାନ୍ତ ହୁଏ । ସନ୍ଦେହ ନାହିଁ । ଏଥି ଲାଗି ନୀତିଜ୍ଞମାନେ ଅସତ୍‍ସଙ୍ଗ ପରିତ୍ୟାଗ ଆଉ ସତ୍‍ସଙ୍ଗ ଉଦ୍ଦେଶ୍ୟ କରିବା ନିମନ୍ତେ ବାରମ୍ୱାର ଉପଦେଶ ଦିଅନ୍ତି ।

 

ଶିଷ୍ଟାଚାର କରିବା ଅତି ଆବଶ୍ୟକ ଓ ଉଚିତ ଅଟେ, କିନ୍ତୁ ଯହିଁରେ ଲୋକେ ଚାଟୁପଣ ବୋଲି ଜାଣିବେ ଏରୂପ ଶିଷ୍ଟାଚାର ଅକର୍ତ୍ତବ୍ୟ । କାହାର ଦୁଷ୍ଟତା ଦେଖିଲେ ଅଥବା କର୍କଶ ଆଉ ନିନ୍ଦା-ବାକ୍ୟ ଶୁଣିଲେ ଲୋକେ ଯେରୂପ ଅସନ୍ତୋଷ ପୁଣି ଘୃଣା ପ୍ରକାଶ କରନ୍ତି, କାହାରିକୁ ଚାଟୁପଣ କରି ଅନ୍ୟର ଅନୁଗତ ହେବାର ଦେଖିଲେ ମଧ୍ୟ ସେହିରୂପ କରନ୍ତି ।

Image

 

ପାରସ୍ୟ-ଦେଶୀୟ କୃଷାଣ

 

ଯେ ଯେତେ ଇଚ୍ଛା ସେତେ ଉଚ୍ଚ ପଦାରୁଢ଼ ହେଉ, ତଥାପି ଅତି ଦୀନହୀନ ଲୋକର ସୌଜନ୍ୟ ଓ ଶିଷ୍ଟାଚାରରେ ମଧ୍ୟ ସେ ପ୍ରୀତ ହେବ । ଏବଂ ଯେ ଯେତେ ଇଚ୍ଛା ସେତେ ଦୀନହୀନ ହେଉ, ସେ ସୌଜନ୍ୟ ଦେଖାଇ ଆଉ ଶିଷ୍ଟାଚାରଦ୍ୱାରା ପ୍ରଶଂସା ପ୍ରାପ୍ତ ହୋଇପାରେ । ତହିଁର କାରଣ ଏହି, ଅନୁଗ୍ରହ ପ୍ରଦର୍ଶନ, କିମ୍ୱା ଶିଷ୍ଟାଚାର ଦ୍ୱାରା କେତେ ଲାଭ କିମ୍ୱା କେତେ ଉପକାର ହେଲା ଏପ୍ରକାର ଗଣନା କରାଯାଏ ନାହିଁ; ମାତ୍ର ସେ ବ୍ୟକ୍ତି ସେହି ଅନୁଗ୍ରହ ପ୍ରଦର୍ଶନ ଅବା ଶିଷ୍ଟାଚାର କି ଭାବରେ ମନରେ କଲା, ଏକଥା ପ୍ରଧାନରୂପେ ଗଣନୀୟ । ଏମନ୍ତେ ଅତି ଦୀନହୀନ ଲୋକେ ଅତି ସାମାନ୍ୟ ଉପକାର କଲେହେଁ ଯେରୂପ ପ୍ରଶଂସନୀୟ ଓ ଆଦରଣୀୟ ହୁଅନ୍ତି, ଅତି ସମୃଦ୍ଧ ଲୋକେ ଯଥାସାଧ୍ୟ ଯେତେ ପାରନ୍ତି ସେତେ ଉପକାର କରି ସୁଦ୍ଧା କେବେ କେବେ ସେରୂପ ହୋଇ ପାରନ୍ତି ନାହିଁ । ଏକ କାଳରେ ପାରସ୍ୟର ଅଧିପତି ଆର୍ଟଜରକ୍‌ସିସ୍‌ ଦେଶ ଭ୍ରମଣ କରିବାକୁ ଯାଇଥିଲେ । ଜଣେ କୃଷାଣ ତାଙ୍କୁ ଦେଖିଲା । ସେ ଦେଖିଲାମାତ୍ରେ ଅତିଶୟ ବ୍ୟଗ୍ର ହୋଇ ସମ୍ମୁଖରେ କୌଣସି ଦ୍ରବ୍ୟ ନ ପାଇ ନିକଟବର୍ତ୍ତୀ ନଦୀର ଅଞ୍ଜଳି ଜଳ ଆଣି ପାନ କରିବା ନିମନ୍ତେ ତାଙ୍କ ସାକ୍ଷାତରେ ଘେନି ଉପସ୍ଥିତ ହେଲା । ରାଜା ଏ ପ୍ରକାର ଅସଦୃଶ ଭେଟି ଦେଖି ମନ୍ଦ ହାସ କଲେ; କିନ୍ତୁ ତାହାର ଯଥେଷ୍ଟ ସମାଦର କରି କହିଲେ, ଯଦ୍ୟପି ଏ ଅତି ସାମାନ୍ୟ ଭେଟି ଅଟେ, ତଥାପି ତୁମ୍ଭର ଏଥିରୁ ଅତିଶୟ ସୌଜନ୍ୟ ପ୍ରକାଶ ପାଉଅଛି । ବାସ୍ତବ ଏହି କୃଷାଣ ଅବସ୍ଥା ପୁଣି ଆକାରରେ କୃଷାଣ ଥିଲା ସତ୍ୟ, କିନ୍ତୁ ତାହା ମନ ସ୍ୱଭାବରେ ବିଶିଷ୍ଟ ବ୍ୟକ୍ତି ପ୍ରାୟ ଥିଲା, ସନ୍ଦେହ ନାହିଁ ।

Image

 

ଚତୁର୍ଦ୍ଦଶ ଲୁଇ ମହାରାଜା

 

ଫ୍ରାନ୍‌ସର ଅଧିପତି ଚତୁର୍ଦ୍ଦଶ ଲୁଇଙ୍କର ଏରୂପ ଅନେକ ଦୋଷ ଥିଲା ଯେ, ତାଙ୍କୁ ପ୍ରଶଂସିତ ରାଜା ବୋଲି କୁହାଯାଏ ନାହିଁ । ମାତ୍ର ଦୟା ଆଉ ସୌଜନ୍ୟ ବିଷୟରେ ସେ ଅସାଧାରଣ ଥିଲେ । ଯାହା କହିଲେ କେହି ମନରେ ଦୁଃଖ ପାଇବ ଏମନ୍ତ କଥା ସେ ପ୍ରାୟ କେବେ କହନ୍ତି ନାହିଁ । ଦିନକରେ କେତେକ ଜଣ ନିମନ୍ତ୍ରିତ ଲୋକେ ତାଙ୍କ ଗୃହକୁ ଆଗମନ କରି ଆମୋଦ ପ୍ରମୋଦ କରୁଥିଲେ, ଏମନ୍ତ ସମୟରେ ସେ କଥା ପ୍ରସଙ୍ଗରେ ଗୋଟିଏ ଗଳ୍ପ ଆରମ୍ଭ କଲା । ସେ ମନେ କରିଥିଲେ, ଏ ସମସ୍ତଙ୍କର ବଡ଼ ହର୍ଷଜନକ ହେବ; କିନ୍ତୁ ତାହା ଅତ୍ୟନ୍ତ ନୀରସ ହୋଇ ଉଠିଲା । ପ୍ରାୟ କେହି ସନ୍ତୁଷ୍ଟ ହେଲେ ନାହିଁ । ମଧ୍ୟ ଜଣେ ଅସନ୍ତୁଷ୍ଟ ହୋଇ ସେଠାରୁ ଉଠି ଚାଲିଗଲା । ତାହା ଦେଖି ରାଜା ସେମାନଙ୍କୁ କହିଲେ ଆମ୍ଭ ଗଳ୍ପ ଯେ ଅତ୍ୟନ୍ତ ନୀରସ ହୋଇଅଛି ତାହା ତୁମ୍ଭେମାନେ ଅବଶ୍ୟ ଅନୁଭବ କରିଅଛ । ସେମାନେ ସମସ୍ତେ ଏକମନ ହୋଇ କହିଲେ, ମହାରାଜ ! ଆପଣଙ୍କର ଯାଦୃଶ ସୌଜନ୍ୟ ପ୍ରସିଦ୍ଧ ଅଛି, ଗଳ୍ପ ତଦନୁରୂପ ହେଲା ନାହିଁ । ରାଜା କହିଲେ ଏଥିରେ ଯେ ଅମୁକ ବ୍ୟକ୍ତି ପିତାର ନିନ୍ଦା ହେବ ଏକଥା ଗଳ୍ପ ଆରମ୍ଭ କରିବା ପୂର୍ବରେ ଆମ୍ଭେ ଜାଣି ପାରି ନ ଥିଲୁଁ । ସେ ଅସନ୍ତୁଷ୍ଟ ହୋଇ ଚାଲିଗଲାରୁ ଆମ୍ଭେ ତାହା ବୁଝିପାରିଲୁଁ । ବର୍ତ୍ତମାନ ଅନୁତାପ ଭିନ୍ନ ଆଉ କୌଣସି ଉପାୟ ନାହିଁ । ଗଳ୍ପ କରି କାହାରି ମନରେ ଦୁଃଖ ଦେବାଠାରୁ ଗଳ୍ପ ନ କରିବା ଭଲ । ବୋଧ କରୁଁ ଆମ୍ଭେ ଆଉ କଦାପି ଏରୂପ ଗଳ୍ପ କରିବା ନାହିଁ ।

 

ଲୁଇ ସ୍ୱଂୟ କାହାରିକୁ ଉପହାସ କରନ୍ତି ନାହିଁ, ଏବଂ ନିଜ ପରିବାର ମଧ୍ୟରେ କୌଣସି ବ୍ୟକ୍ତିକୁ ସୁଦ୍ଧା ଉପହାସ କରାଇ ଦିଅନ୍ତି ନାହିଁ । ସେ କହନ୍ତି ଉଚ୍ଚ ପଦାରୂଢ଼ ବ୍ୟକ୍ତିମାନଙ୍କର ଏମନ୍ତ ଆମୋଦ ସାମାନ୍ୟ ଲୋକଙ୍କ ପକ୍ଷରେ ବଜ୍ର ଆଉ ବିଷାକ୍ତ ବାଣ ତୁଲ୍ୟ ଅଟଇ । ଦିନକରେ ତାଙ୍କ ପୁତ୍ରବଧୂ କୌଣସି ବ୍ୟକ୍ତିକୁ ଲକ୍ଷ୍ୟ କରି କହୁଥିଲା କି, ଅମୁକ ବ୍ୟକ୍ତି ଅପେକ୍ଷା କୁତ୍ସିତ ପୁରୁଷ ଆମ୍ଭେ ଜନ୍ମାବଧି ଦେଖି ନାହୁଁ । ସେ ବ୍ୟକ୍ତି ଏହି କଥା ଶୁଣି ପାରିବାକ୍ଷଣି ସେ ଉଚ୍ଚ ସ୍ୱରରେ କହିଲା । ରାଜା ଶୁଣି ଅତିଶୟ ବିରକ୍ତ ହେଲେ, ଏବଂ ତତ୍‍କ୍ଷଣାତ୍‍ ପୁତ୍ରବଧୂଙ୍କୁ କହିଲେ, ଆମ୍ଭ ରାଜ୍ୟରେ ଯେତେ ଲୋକ ଅଛନ୍ତି ଆମ୍ଭେ ଏ ଲୋକଙ୍କୁ ସର୍ବାପେକ୍ଷା ସୁଶ୍ରୀ ଦେଖୁଁ । ଏ ଆମ୍ଭର ଜଣେ ଅତ୍ୟୁକୃଷ୍ଟ ସାହାସୀ ସେନାପତି, ଶତ୍ରୁକୁ ଆକ୍ରମଣ କଲାବେଳେ ଅଦ୍ୱିତୀୟ ସହାୟ । ଅତଏବ ଆମ୍ଭେ କହୁଅଛୁଁ ତୁମ୍ଭେ ଯେଉଁ ଅପରାଧ କରିଅଛି ଶୀଘ୍ର ତହିଁର କ୍ଷମା ପ୍ରାର୍ଥନା କର ।

Image

 

ପରିମିତାହାର

 

କି ବାଳକ, କି ଯୁବା, କି ବୃଦ୍ଧ ସମସ୍ତେ ଶରୀର ରକ୍ଷା ନିମନ୍ତେ କିଛି କିଛି ଆହାର କରନ୍ତି; କେହି ଅଳ୍ପ, କେହି ଅଧିକ । ଯେଉଁ ବ୍ୟକ୍ତି ବଳବାନ୍‌ ଓ ସୁସ୍ଥ, ଦୁର୍ବଳ ଆଉ କ୍ଷୀଣଜୀବୀ ପୁରୁଷ ଅପେକ୍ଷା ତାହାର ଅଧିକ ଭୋଜନ ଆବଶ୍ୟକ । ତାହା ନୋହିଲେ ଶରୀରରକ୍ଷା ହେବ ନାହିଁ-। ଯେତିକି ଖାଇଲେ କ୍ଷୁଧା ନିବୃତ୍ତି ଓ ତୃପ୍ତି ବୋଧ ହୁଏ ତାକୁ ପରିମିତ କହନ୍ତି । ସମସ୍ତଙ୍କର ପରିମିତ ଭୋଜନ କରିବା ଉଚିତ ଅଟେ । ଯେଉଁ ବ୍ୟକ୍ତି ସର୍ବଦା ପରିମିତ ଭୋଜନ କରେ ତାହାର ଶରୀର ସର୍ବଦା ସୁସ୍ଥ ଥାଏ । ଅପରିମିତ ଭୋଜନ କଲେ ସୁନ୍ଦରରୂପେ ପରିପାକ ହୁଏ ନାହିଁ; ସୁତରାଂ ସର୍ବଦା ଅସୁସ୍ଥ ଆଉ ରୋଗୀ ହେବାକୁ ହୁଏ । ଅତଏବ ଅପରିମିତ ଭୋଜନ କରିବା କଦାପି କର୍ତ୍ତବ୍ୟ ନୁହେଁ ।

 

ଅନେକ ଲୋକେ ଅପରିମିତ ଆହାରକୁ ଭଲ ଜାଣନ୍ତି; କିନ୍ତୁ ପରିଶେଷରେ ସେମାନଙ୍କୁ ସେହି ଅପରିମିତ ଆହାର ଦୋଷରେ ଯେଉଁ ଅଶେଷ କ୍ଳେଶ ପାଇବାକୁ ହୁଏ, ତାହା ଆହାର ସମୟରେ ସେମାନଙ୍କର ମନେ ପଡ଼େ ନାହିଁ; ବରଂ କେହି ମନା କଲେ ଉପହାସ କରନ୍ତି ମଧ୍ୟ ଅସନ୍ତୁଷ୍ଟ ହୁଅନ୍ତି ।

 

ଯେଉଁବ୍ୟକ୍ତି ଅପରିମିତ ଆହାର କରେ ତାକୁ ଉଦରମ୍ଭରି କହନ୍ତି । ସେ ପ୍ରକାର ଲୋକଙ୍କୁ କେହି ଆଦର କରନ୍ତି ନାହିଁ, ସମସ୍ତେ ତାକୁ ହେୟଜ୍ଞାନ କରନ୍ତି, ସେ ଚିରକାଳକୁ ଅକର୍ମଣ୍ୟ ହୋଇଯାଏ । ଉଦରମ୍ଭରିମାନେ ପ୍ରାୟ ଦୀର୍ଘଜୀବୀ ହୁଅନ୍ତି ନାହିଁ ।

 

କେହି କେହି ଆହାର ବିଷୟରେ ସର୍ବଦା ବ୍ୟସ୍ତ, ଆହାର ପ୍ରସ୍ତୁତି କରିବା ଲାଗି ବିଶେଷ ଯତ୍ନ ପୁଣି ଆୟାସ ସ୍ୱୀକାର କରନ୍ତି, ଏବଂ ଆହାରକୁ ପରମ ସୁଖ ସାଧନ ଜ୍ଞାନ କରନ୍ତି । ଏରୂପ ବ୍ୟକ୍ତିମାନଙ୍କ ଲୋକେ ଅସାର ଜାଣନ୍ତି । ଏମାନେ ମଧ୍ୟ ଏକ ପ୍ରକାର ଉଦରମ୍ଭରି ଅଟନ୍ତି ।

 

ଅତି ଭୋଜନ ଯେରୂପ ଦୋଷଯୁକ୍ତ ଆଉ ନିଷିଦ୍ଧ ଅଟେ, ସୁରାପାନ ତଦପେକ୍ଷା ଅଧିକ ଦୋଷଯୁକ୍ତ ଆଉ ଅଧିକ ନିଷିଦ୍ଧ । ସୁରାପାନରେ ରତ ହେଲେ କେତେ ଅପକାର ହୁଏ, ବର୍ଣ୍ଣନା କରାଯାଇ ନପାରେ; ସୁରାପାନ ଅଶେଷ ଦୋଷର ଖନି । ଯେଉଁ ବ୍ୟକ୍ତି ଅଧିକ ଦିନ ସୁରାପାନ କରେ ତାହା ଶରୀର ଚିରକାଳ ନିମନ୍ତେ ଦୁର୍ବଳ, ଅସୁସ୍ଥ ଏବଂ ରୋଗୀ ହୁଏ । ଅଧିକ ସୁରାପାନ କଲେ ମତ୍ତ ହୁଏ । ମତ୍ତ ହେଲେ ବୁଦ୍ଧି ବିଚଳିତ ହୁଏ; ବୁଦ୍ଧି ବିଚଳିତ ହେଲେ ଦିଗ୍‌ବିଦିକ୍‌ ଜ୍ଞାନ ରହେ ନାହିଁ । ମତ୍ତ ଲୋକେ ହଠାତ୍‌ ବିବାଦ କରନ୍ତି; ଅନେକ ନିନ୍ଦିତ କର୍ମରେ ପ୍ରବୃତ୍ତ ହୁଅନ୍ତି, ପଡ଼ିଲେ କେତେବେଳେ ହତ୍ୟାସୁଦ୍ଧା କରନ୍ତି । ଆଉ ଯଦ୍ୟପି ଅଳ୍ପସୁଦ୍ଧା ପାନ କରେ ତେବେହିଁ ପାଗଳ କରି କେତେ ବକେ, ଏବଂ ସେତେବେଳେ ଯେଉଁ ସବୁ କଥା କହେ, ପରିଶେଷରେ ସେଥି ନିମନ୍ତେ ଅତିଶୟ ଅନୁତାପ କରିବାକୁ ହୁଏ ।

 

ସୁରାର ଭାରୀ ଦୋଷ ଏହି, ପାନ କରିବାକୁ ଆରମ୍ଭ କଲେ କ୍ରମେ କ୍ରମେ ଅଭ୍ୟାସ ପଡ଼ିଯାଏ । ଅଭ୍ୟାସ ପଡ଼ିଗଲେ ତାହା ଆଉ ଛାଡ଼ି ଦେବା କଠିନ । କେହି କେହି ଅଧିକ ପାନ କଲେହେଁ ପାନ ଦୋଷରେ ଲିପ୍ତ ହୁଅନ୍ତି ନାହିଁ ସତ୍ୟ; ଅର୍ଥାତ୍‍ ପାଗଳ ପରି ବକନ୍ତି ନାହିଁ ଏବଂ କୌଣସି ମନ୍ଦ କରନ୍ତି ନାହିଁ । ମାତ୍ର ପରିଶେଷରେ ସେମାନଙ୍କୁ ନିଃସନ୍ଦେହରୂପେ ସୁରାପାନ ସମୁଦାୟ ଫଳ ଭୋଗ କରିବାକୁ ହୁଏ । ସେମାନଙ୍କର ଚିରକାଳ ବୁଦ୍ଧି ଠିକ୍‌ ଆଉ ଶରୀର ସୁସ୍ଥ ରହେ ନାହିଁ, ଅବଶ୍ୟ ସେମାନଙ୍କର ଶେଷରେ ଅସ୍ୱାସ୍ଥ୍ୟ ଆଉ ବୁଦ୍ଧିଭ୍ରଂଶ ହୁଏ । ସୁରାପାନରେ ରତ ହେଲେ ଲୋକେ ମତୁଆଲା ବୋଲି ଅତ୍ୟନ୍ତ ଘୃଣା କରନ୍ତି । ମତୁଆଲାକୁ କେହି କେତେବେଳେ ବିଶ୍ୱାସ କରେ ନାହିଁ । ସେ ଚିରକାଳକୁ ଅକର୍ମଣ୍ୟ ହୋଇଯାଏ; ସୁତରାଂ ତାହାର ଚିରକାଳ ଦୁଃଖ, କ୍ଲେଶ ହୁଏ । ଅତଏବ ସୁରାପାନ ବିଷୟରେ ପ୍ରବୃତ୍ତ ହେବା କଦାପି ଉଚିତ ନୁହେ ସୁରାକୁ ବିଷତୁଲ୍ୟ ଜ୍ଞାନ କରି ସର୍ବଦା ସାବଧାନ ରହିବା ଆବଶ୍ୟକ ଅଟଇ ।

Image

 

ଲୁଇ କର୍ଣ୍ଣରୋ

 

ଇଟାଲି ଦେଶରେ ବିନିସ୍‌ ନାମରେ ଏକ ସୁପ୍ରସିଦ୍ଧ ନଗର ଅଛି, ସେଠାରେ ଲୁଇ କର୍ଣ୍ଣରୋ ବୋଲି ସମ୍ଭ୍ରାନ୍ତ ବ୍ୟକ୍ତି ଥିଲା । ସେ ଚାଳିଶ ବର୍ଷ ବୟସ ପର୍ଯ୍ୟନ୍ତ ନିତାନ୍ତ ଉଦରପରାୟଣ ଥିଲା । ପ୍ରତିଦିନ ଅପରିମିତ ଭୋଜନ ଓ ସୁରାପାନ କରିଥିଲା; ଏ ସକାଶେ ସେ ଶୂଳ, ବାତ, ଜ୍ୱର ଇତ୍ୟାଦି ନାନା ରୋଗଗ୍ରସ୍ତ ଥିଲା । ଦିନେ ସୁଦ୍ଧା ତାହା ଦେହ ସୁସ୍ଥ ଆଉ ସ୍ୱଚ୍ଛନ୍ଦ ନ ଥିଲା । ଶେଷରେ ଚିକିତ୍ସକମାନେ ଉପଦେଶ ଦେବାରୁ ସେ ପରିମିତ ଭୋଜନ କରି ସୁରାପାନ ପରିଯାଗ କଲା । ଏଥିରୁ ଏହି ଲାଭ ହେଲା, ବର୍ଷକ ମଧ୍ୟରେ ସମୁଦାୟ ରୋଗରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣରୂପେ ସୁସ୍ଥ ହେଲା । ସେହିଦିନ ଠାରୁ ସେ ଆଉ ଅତିଭୋଜନରେ ଅବା ସୁରାପାନରେ ପ୍ରବୃତ୍ତ ହେଲା ନାହିଁ ଏବଂ ସେହେତୁରୁ ଚିରକାଳ ବଞ୍ଚିଲା, ଦିନେ ମଧ୍ୟ ରୋଗ ଭୋଗ କଲା ନାହିଁ । ମାତ୍ର ଯେବେ ସେ ପୂର୍ବ ପ୍ରାୟ ଅତିଭୋଜନ ଆଉ ସୁରାପାନରେ ଆସକ୍ତ ଥାନ୍ତା; ତେବେ କଦାପି ଏପ୍ରକାର ଦୀର୍ଘଜୀବୀ ହୋଇ ନ ଥାନ୍ତା; ଯେତେ ଦିନ ବଞ୍ଚିଥାନ୍ତା କେବଳ ରୋଗ ଭୋଗ କରିଥାନ୍ତା, ସନ୍ଦେହ ନାହିଁ ।

 

ସତୁରି ବର୍ଷ ବୟସ ସମୟରେ କୌଣସି ସ୍ଥାନରୁ ହଠାତ୍‌ ପଡ଼ିଯିବାରେ ତାହାର ଏକ ବାହୁ ପୁଣି ଗୋଟାଏ ପାଦ ଭାଙ୍ଗିଗଲା । ଏତେ ଅଧିକ ବୟସରେ ଏରୂପ ଆଘାତ ହେଲେ ଆରାମ ହେବା ଅତି କଠିନ; ହୁଏ ଯେବେ ସେଥିରେ ପ୍ରାଣ ଯାଏ । କିନ୍ତୁ କର୍ଣ୍ଣରୋ ଶରୀର ଆହାର ନିୟମ ଗୁଣରେ ସେକାଳ ପର୍ଯ୍ୟନ୍ତେ ଉତ୍ତମରୂପେ ଅରୋଗୀ ଥିବାରେ ସେ ଅତିଅଳ୍ପ କାଳ ମଧ୍ୟରେ ସୁସ୍ଥ ହେଲା । ପରିମିତାହାରର କି ଅନିର୍ବାଚନୀୟ ଗୁଣ ! ସେ ତେୟାଶୀ ବର୍ଷ ବୟସ ପର୍ଯ୍ୟନ୍ତେ ଏମନ୍ତ ସୁସ୍ଥ ଓ ସବଳ ଥିଲା ଯେ, ପର୍ବତ ଉପରେ ଭମ୍ରଣ କରିସୁଦ୍ଧା ଶ୍ରାନ୍ତ ହେଉ ନ ଥିଲା ଏବଂ ଭୂମିରୁ ଅନାୟସରେ ଅଶ୍ୱ ଉପରେ ଆରୋହଣ କରି ପାରୁଥିଲା । ସେ ସର୍ବଦା ଅକ୍ଷତ ଥିଲା । ଦିନେ ସୁଦ୍ଧା ଶରୀର କିମ୍ୱା ମନରେ କିଛି ଦୁଃଖ ପାଇଲା ନାହିଁ । ଶେଷରେ ସେ ଅଠାନବେ ବର୍ଷ ବୟସରେ ଶରୀର ତ୍ୟାଗ କଲା ।

Image

 

ସ୍ୱାସ୍ଥ୍ୟରକ୍ଷା

 

ସ୍ୱାସ୍ଥ୍ୟ ସକଳ ସୁଖର ମୂଳ ଅଟେ । ସର୍ବଦା ସୁସ୍ଥ ଶରୀରରେ ରହିବା ପରମ ସୌଭାଗ୍ୟ ବିଷୟ । ଶରୀର ସୁସ୍ଥ ଥିଲେ ବିଦ୍ୟାଲାଭ, ଧନୋପାର୍ଜନ ପ୍ରଭୃତି ସକଳ କଥା ସମ୍ପନ୍ନ ହୋଇପାରେ-। ଯାହାର ଶରୀର ସର୍ବଦା ଅସୁସ୍ଥ ଥାଏ ତାହା ଅପେକ୍ଷା ହତଭାଗ୍ୟ ଆଉ କେହି ନାହିଁ-। ସେ ଏକ ପ୍ରକାର ଜୀବନ୍ମୃତ; ତାହାର ବଞ୍ଚି ରହିବା ବିଡ଼ମ୍ୱନା ମାତ୍ର ।

 

ଯେଉଁ ସକଳ ମନ୍ଦ କର୍ମ କଲେ ଶରୀର ହୀନବୀର୍ଯ୍ୟ ଆଉ ଭଗ୍ନ ହୋଇଯାଏ ତଦ୍ୱିଷୟରେ ସାବଧାନ ହେଲେ ଆମ୍ଭମାନେ ଯାବଜ୍ଜୀବ ସୁସ୍ଥ ରହିପାରୁଁ । ଆଉ ଯେବେ ଆମ୍ଭେମାନେ ନିତାନ୍ତ ଅଚେତନ ହୋଇ ଶରୀରକୁ ନିର୍ବିଘ୍ନରେ ରଖିବାକୁ ଯତ୍ନ ନ କରିବା, ତେବେ କୌଣସି ପ୍ରକାରରେ ସୁସ୍ଥ ରହି ପାରିବା ନାହିଁ । ଦେଖ, ଯେବେ ଆମ୍ଭେମାନେ ସର୍ବଦା ଅଧିକ ଭୋଜନ କରିବା, ଅଥବା ଏମନ୍ତ ଦ୍ରବ୍ୟ ଆହାର କରିବା ଯେ, ତହିଁରେ ଅପକାର ଛାଡ଼ି ଉପକାର ନାହିଁ, ତେବେ ଆମ୍ଭମାନଙ୍କ ପାକସ୍ଥଳୀ ଅଜୀର୍ଣ୍ଣ ଦୋଷରେ ଦୂଷିତ ହେବ । ଅତିଶୟ ଭାବନା ଆଉ ଚିନ୍ତାରେ ଶରୀର କ୍ରମେ କ୍ରମେ ଜୀର୍ଣ୍ଣ ଆଉ ଦୁର୍ବଳ ହୋଇଯିବ । ଏହିରୂପ ନାନା ମନ୍ଦକର୍ମ କଲେ ରୋଗ ଜନ୍ମେ, ଏବଂ ସେଇ ରୋଗ ପ୍ରବଳ ଆଉ ଅଚିକିତ୍ସ୍ୟ ହେଲେ ମୃତ୍ୟୁ ଘଟେ । ଯେଉଁ ବ୍ୟକ୍ତି ଶରୀରର ବଳ ଓ ସ୍ୱାସ୍ଥରକ୍ଷା ବିଷୟରେ ହେଳା କରେ ତାକୁ ଆତ୍ମଘାତୀ ବୋଲା ଯାଇପାରେ । ଅତଏବ ଏ କଥା ସ୍ପଷ୍ଟ ପ୍ରତୀତ ହେଉଅଛି ଯେ, ସ୍ୱାସ୍ଥ୍ୟରକ୍ଷା କରିବାକୁ ହେଲେ ତହିଁର ଉପାୟ ସ୍ୱରୁପ କେତେଗୁଡ଼ିଏ ନିୟମ ପ୍ରତିପାଳନ କରିବାକୁ ହେବ ।

 

ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଯେଉଁ ସକଳ ନିୟମ ଅନୁସାରେ ଚଳିବା ଆବଶ୍ୟକ ତାହା ଏହି; ଯେଉଁ ସ୍ଥାନରେ ବାସ କରାଯାଏ ସେ ସ୍ଥାନ ଶୁଷ୍କ ହେବାର ଆବଶ୍ୟକ । ବାସଗୃହ ପରିଷ୍କୃତ କରି ରଖିବା ଆବଶ୍ୟକ । ସେ ଗୃହରେ ଅହୋରାତ୍ର ବିଶୁଦ୍ଧ ପବନର ସଞ୍ଚାର ଥିବା ଆବଶ୍ୟକ । ସମୁଦାୟ ଶରୀର ସର୍ବଦା ନିର୍ମଳ ରଖିବାକୁ ହେବ । ପ୍ରତିଦିନ ପରିମିତ ଭୋଜନ କରିବାକୁ ହେବ । ସର୍ବଦା ଠିକ୍‌ ଏକରୂପ ଦ୍ରବ୍ୟ କିମ୍ୱା ଏକାବେଳେକେ ନାନା ପ୍ରକାର ଦ୍ରବ୍ୟ ଭୋଜନ କରିବା ଅକର୍ତ୍ତବ୍ୟ । ମାଦକ ଦ୍ରବ୍ୟ ସେବା ପରିତ୍ୟାଗ କରିବା ଆବଶ୍ୟକ । ପ୍ରତିଦିନ ନିକୃଷ୍ଟ ଏକ ଘଣ୍ଟା ବାୟୁସେବନ କରିବାକୁ ହେବ । ଯହିଁରେ ଶରୀରର ଚାଲବୁଲ, ଏବଂ ମନର ପ୍ରବୃତ୍ତି ହେବ, ପ୍ରତ୍ୟହ ଆଠ ଦଶ ଘଣ୍ଟା ଏମନ୍ତ କୌଣସି କର୍ମ କରିବା ଆବଶ୍ୟକ । ଏରୂପ ପରିଶ୍ରମ କଲାପରେ ଅବକାଶ ସମୟରେ କିଛି କିଛି ନିର୍ଦ୍ଦୋଷ ଆମୋଦ ପ୍ରମୋଦ କରିବାକୁ ହେବ । ମୁହୂର୍ତ୍ତେ ସୁଦ୍ଧା ଆର୍ଦ୍ରବସ୍ତ୍ର ପିନ୍ଧିବା ଭଲ ନୁହେଁ । ପ୍ରତି ରାତ୍ରରେ ଛ ଘଣ୍ଟାରୁ ନୂନ୍ୟ ଆଠ ଘଣ୍ଟାର ଅଧିକ ନିଦ୍ରା କରିବା ଅବିହିତ-। ମନରେ ଅତିଶୟ ଚିନ୍ତା ଉଦୟ କରାଇ ନ ଦେବା ଭଲ । ଶୋକ ତାପ ବିଷୟ ଉପସ୍ଥିତ ହେଲେ ତହିଁରେ ନିତାନ୍ତ ଆକୁଳ ନ ହୋଇ ଧୈର୍ଯ୍ୟ ଅବଲମ୍ୱନ କରିବା ଆବଶ୍ୟକ । ଯେବେ ସକଳ ଲୋକେ ଏହି ସବୁ ନିୟମ ମାନି ଚଳିବେ, ତେବେ କାଳାନୁସାରେ ପୃଥିବୀରେ ରୋଗର ଏତେ ପ୍ରାଦୁର୍ଭାବ ରହିବ ନାହିଁ, ଏବଂ ଅନେକ ପ୍ରକାରରେ ମନୁଷ୍ୟର ସୁଖ ବୃଦ୍ଧି ହେବ ।

Image

 

ସ୍ୱାସ୍ଥ୍ୟରକ୍ଷାରେ ଅମନୋଯୋଗୀ ଜଣେ ଯୁବା ପୁରୁଷ

 

କୌଣସି ଯୁବା ବ୍ୟକ୍ତି ବିଷୟ କର୍ମରେ ନୂତନ ପ୍ରବୃତ୍ତ ହୋଇ କିଛି ଦିନ କର୍ମ କରିଥିଲା । ଏଥି ମଧ୍ୟରେ ଦିନେ ସାୟଂକାଳରେ ନାଟ୍ୟଶାଳାରୁ ଆପଣା ଗୃହକୁ ପ୍ରତ୍ୟାଗମନ କରିବା ସମୟରେ କିଛି ଶ୍ଳେଷ ଜଣାଗଲା । ଯେବେ ସେ ଆଉ ଦିନ କର୍ମସ୍ଥାନକୁ ନ ଯାଇ ଗୃହରେ ରହି ଯତ୍କିଞ୍ଚିତ ଔଷଧ ଭକ୍ଷଣ କରିଥାନ୍ତା, ତେବେ ଅନାୟାସରେ ତାହାର ପୀଡ଼ା ଶାନ୍ତ ହୋଇଥାନ୍ତା, ସନ୍ଦେହ ନାହିଁ-। ମାତ୍ର ସେ ପ୍ରତିଦିନ କର୍ମସ୍ଥାନରେ ଉପସ୍ଥିତ ରହି ଆପେ ସକଳ ବିଷୟର ଅନୁସନ୍ଧାନ ନ କଲେ ବେଧାରାରେ କର୍ମ ହେବ, ଏ ଅଭିପ୍ରାୟରେ ସେ ନିଶ୍ଚିନ୍ତ ହୋଇ ଗୃହରେ ରହି ପାରିଲା ନାହିଁ, ଯଥାକାଳରେ କର୍ମସ୍ଥାନକୁ ଗମନ କଲା । ସାୟଂକାଳରେ ପୀଡ଼ା କିଞ୍ଚିତ ଅଧିକ ହେଲା । ସ୍ୱାଭାବିକ ଅତ୍ୟନ୍ତ ଉତ୍ସାହ ଥିବାରୁ ସେ ପ୍ରତ୍ୟେହ ଯଥା ନିୟମରେ କର୍ମସ୍ଥାନକୁ ଗଲା, ଦିନେ ସୁଦ୍ଧା ନିବର୍ତ୍ତ ହେଲା ନାହିଁ । ଶେଷରେ ତାହା ଗଳା ଫୁଲିଗଲା; କିନ୍ତୁ ତାଦୃଶ ବେଦନା ନ ଥିଲା, ସୁତରାଂ ତଦ୍ଦ୍ୱାରା କୌଣସି ବିପଦ ଘଟିବ ବୋଲି ତାହା ମନରେ ବିଚାର ହେଲା ନାହିଁ । ସେ ଏତେକରୁ ନିବୃତ୍ତ ରହିଲା ଏମନ୍ତ ନୁହେ; କୌଣସି ବିଶେଷ କାର୍ଯ୍ୟ ଉପସ୍ଥିତ ହେବାରୁ ଦିନକରେ ରାତ୍ରରେ ଅନ୍ୟ ସ୍ଥାନକୁ ଗମନ କଲା । ତହିଁରେ ଅତ୍ୟନ୍ତ ହିମ ଓ ଶୀତଳ ପବନ ଲାଗିବାରେ ତାହାର ସ୍ୱର ବଦ୍ଧ ହୋଇ ବାକ୍ୟରୋଧ ହେଲା । ତଥାପି ସେ କାର୍ଯ୍ୟ କରିବାରୁ ନିବୃର୍ତ୍ତ ହେଲା ନାହିଁ । ଏହି ରୂପେ ତାହାର କ୍ରମେ କ୍ରମେ ପୀଡ଼ା ବଢ଼ିଲା ।

 

ଦୈବାତ୍ ଜଣେ ଚିକିତ୍ସକ ତାଙ୍କ କର୍ମସ୍ଥାନକୁ ଯାଇ ତାକୁ ପୀଡ଼ିତ ଦେଖି ପୂର୍ବାପର ସକଳ ବୃତ୍ତାନ୍ତ ଶୁଣି କରି କହିଲା, ଦେଖ, ତୁମ୍ଭେ ନିଜେ ଆପଣା ବିନାଶର ହେତୁ ହୋଇଅଛ; ଅବିଳମ୍ୱରେ ଗୃହରେ ଆମ୍ଭେମାନେ ଯେତେ ଧନାଢ଼୍ୟ ହେଉ; ତଥାପି ସାବଧାନ ହୋଇ ଉପଯୁକ୍ତ ବିଷୟରେ ଧନବ୍ୟୟ କରିବା ଉଚିତ କଥା । ଯେଉଁ ସବୁ ଆମୋଦ କର୍ମରେ ଅସାଧୁତା କିମ୍ୱା ନିର୍ବୁଦ୍ଧିତା ପ୍ରକାଶ ହୁଏ, ସେହି ସେହି କର୍ମରେ ଧନବ୍ୟୟ କଲେ ଧନ ଜଳରେ ପକାଇ ଦେବା ତୁଲ୍ୟ ଅଟେ; ବାସ୍ତବ ଏରୂପ ଅସଦ୍ୱ୍ୟୟ କରିବା ଲାଗି ପରିଶ୍ରମରେ ଉପାର୍ଜନ କରିବା କେବଳ ଶ୍ରମ ମାତ୍ର ସାର । ସେ ଦ୍ରବ୍ୟ ନା ଆମୋଦର ଉପକାରରେ ଆସେ, ନା ଜଗତର ଉପକାରରେ ଆସେ । ଯେଉଁ ଧର୍ମ ସତ୍‍ କର୍ମରେ ବ୍ୟୟ ହୁଏ ସେ ଧନ ସାର୍ଥକ । ଆମ୍ଭମାନେ ଯେ କିଛି ଅର୍ଥ କିମ୍ୱା ଦ୍ରବ୍ୟ ବଞ୍ଚାଇ ପାରିବା, ତାହା ଅସଦ୍ୱ୍ୟୟ ନକରି ଦୀନ, ଦରିଦ୍ର, ଅନାଥ ପ୍ରଭୃତିଙ୍କୁ ଦେବା ଅତିଶୟ ପ୍ରଂଶସନୀୟ କଥା ଅଟେ ।

Image

 

ପ୍ରଧାନ ପ୍ରଧାନ ଲୋକଙ୍କର ପରିମିତବ୍ୟୟିତା

 

ଏହି ଭୂମଣ୍ଡଳରେ କେହି କେହି ଅତ୍ୟନ୍ତ ଉଚ୍ଚ ପଦାରୁଢ଼ ହୋଇ ଅତିଶୟ ପରିମିତବ୍ୟୟୀ ଥିଲେ । ମହାବୀର ଆଲେକ୍‌ଜାଣ୍ଡର, ମାସିଡ଼ୋନିୟା ରାଜ୍ୟର ଅଧୀଶ୍ୱର ହେଲେହେଁ ଆପଣାର ସାମାନ୍ୟ ସେନାପତିମାନଙ୍କ ପରି ସାମାନ୍ୟ ପରିଚ୍ଛେଦ ପରିଧାନ କରିଥିଲେ-। ଅଗଷ୍ଟସ ମହାରାଜା ପ୍ରାୟ ସମୁଦାୟ ପୃଥିବୀର ସମ୍ରାଟ୍‍ ହୋଇ ତଥାପି ସୁନ୍ଦର ପରିଚ୍ଛଦ ନିମନ୍ତେ କିଛିମାତ୍ର ବ୍ୟୟ କରି ନ ଥିଲେ । ସେ ଯେଉଁ ଶଯ୍ୟାରେ ଶୟନ କରୁଥିଲେ ତହିଁର ମୂଲ୍ୟ ସାମାନ୍ୟ ଲୋକଙ୍କ ଶଯ୍ୟା ଅପେକ୍ଷା ଅଧିକ ନ ଥିଲା । ଜର୍ମାନର ସମ୍ରାଟ୍‍ ରଡ଼ଲ୍‌ଫ ଏପ୍ରକାର ସାମାନ୍ୟରୂପ ପରିଚ୍ଛଦ ପରିଧାନ କରୁଥିଲେ ସେ ଦିନକରେ ସେ ବହ୍ନି ସେବା ନିମନ୍ତେ ଜଣେ ଚାଟୀଉଆଲ ଦୋକାନକୁ ଗଲାରୁ ତାହା ସ୍ତ୍ରୀ ତାଦୃଶ ପରିଚ୍ଛଦ ଦେଖି ଅତି ତୁଚ୍ଛ ଲୋକ ଜ୍ଞାନ କରି ତିରସ୍କାର ପୂର୍ବକ ତାଙ୍କୁ ଆପଣା ଦୋକାନରୁ ବାହାର କରିଦେଲା । ଜର୍ମାନି ଆଉ ସ୍ପେନ ରାଜ୍ୟର ଅଧୀଶ୍ୱର ପଞ୍ଚମ ଚାରଲ୍‌ସ ଏବଂ ଫ୍ରାନ୍‌ସର ଅଧିପତି ଏକାଦଶ ଲୁଇ ଏମାନେ ଅତି ସାମାନ୍ୟ ପରିଚ୍ଛଦ ପରିଧାନ କରୁଥିଲେ ।

 

ପୃଥିବୀର ଆରମ୍ଭଠାରୁ ଯେତେବେଳେ ଯେତେ ରାଜା ହୋଇ ଯାଇଅଛନ୍ତି, ଏମାନେ ପ୍ରାୟ ସେମାନଙ୍କ ମଧ୍ୟରେ କାହାରିଠାରୁ ଆଧିପତ୍ୟ ସମ୍ପତ୍ତି ଆଉ ପ୍ରତାପରେ ନ୍ୟୂନ ନ ଥିଲେ । ଏମାନେ ମଧ୍ୟ ପରିଚ୍ଛଦ ନିମନ୍ତେ ଅଧିକ ବ୍ୟୟ କରିବା ଅସଦ୍ୱ୍ୟୟ ଜ୍ଞାନ କରିଥିଲେ । ଏମାନଙ୍କ ପରିଚ୍ଛଦ ସୌନ୍ଦର୍ଯ୍ୟ ବିଷୟରେ ଏରୂପ ଅଯତ୍ନ ପୁଣି ଅନାଦର ଦେଖି ଅନେକ ଲୋକେ ମନେ କରି ପାରନ୍ତି, କି ଏମାନେ ଅତ୍ୟନ୍ତ କୁଣ୍ଠିତ ଆଉ କୃପଣ ଥିଲେ; କିନ୍ତୁ ତାହା ନୁହେଁ । ଏମାନେ ଅନାବଶ୍ୟକ ବୋଲି ସେ ପ୍ରକାର ବ୍ୟୟରେ ସମ୍ମତ ନ ଥିଲେ; ନତୁବା ଆବଶ୍ୟକ ଏବଂ ଉଚିତ ବିଷୟରେ ସର୍ବସ୍ୱ ବ୍ୟୟ କରିବା ଲାଗି କୁଣ୍ଠିତ ନ ଥିଲେ ।

Image

 

ଦୟା

 

ସଂସାରରେ ଏତେ ଆପଦ ବିପଦ ଅଛି ଯେ, ଅତ୍ୟନ୍ତ ସତର୍କ ଆଉ ସାବଧାନ ହେଲେହେଁ ତାହା ସବୁ ଅତିକ୍ରମଣ କରିବା ଦୁଃସାଧ୍ୟ ଅଟେ । ଆମ୍ଭେମାନେ ରୋଗରେ ଆକୁଳ ଏବଂ ଆଘାତ ପ୍ରାପ୍ତ ହୋଇପାରୁଁ । ଆମ୍ଭେମାନେ ଉତ୍ତମ ଉତ୍ତମ ବାସନା ସବୁ ବିଫଳ ହୋଇପାରେ-। ଆମ୍ଭମାନଙ୍କର ନିତାନ୍ତ କ୍ଳେଶ ଘଟିପାରେ । ଯେତେବେଳେ କେହି ଏହି ସକଳ ବିପଦରେ ପଡ଼େ, ସେତେବେଳେ ଯଥାସାଧ୍ୟ ତାହାର ସାହାଯ୍ୟ କରିବା ଉଚିତ କର୍ମ । ଯେଉଁ ବ୍ୟକ୍ତିକୁ ସାହାଯ୍ୟ କରାଯାଏ ସେ ଉପସ୍ଥିତ କ୍ଳେଶରୁ ମୁକ୍ତ ହୁଏ ଅଥଚ ଯେ ସାହାଯ୍ୟ କରେ ସେ ଲୋକ ସୁଦ୍ଧା ଆନ୍ତରିକ ସୁଖ ଲାଭ କରେ । ଅନ୍ୟ ଲୋକର ଦୁଃଖ ନିବାରଣ କରିବା ପରମ ସୁଖର ବିଷୟ ଅଟେ-

 

ସ୍ୱଭାବରେ ମନୁଷ୍ୟମାନଙ୍କର ଅବସ୍ଥା ସମାନ ନୁହେଁ । କେହି ବଳବାନ, କେହି ଦୁର୍ବଳ ଅଛି; କେହି ବୁଦ୍ଧିମାନ୍‍, କେହି ନିର୍ବୋଧ । କେତେ ଲୋକଙ୍କର ପ୍ରାୟ କେତେବେଳେ କୌଣସି ବିଷୟରେ ଭ୍ରମ ହୁଏ ନାହିଁ, କେତେ ଗୁଡ଼ିଏ ଲୋକଙ୍କର ପ୍ରାୟ ସକଳ ବିଷୟରେ ସର୍ବଦା ଭ୍ରମ ଜନ୍ମେ । କେହି ଯଥେଷ୍ଟ ପୈତୃକ ସମ୍ପତ୍ତି ପାଏ, କେହି କିଛି ପାଏ ନାହିଁ; କୌଣସି ଲୋକକୁ ସେମାନଙ୍କ ପିତା ମାତା ଉତ୍ତମରୂପେ ବିଦ୍ୟା ଶିଖାଇଯାନ୍ତି, କୌଣସି କୌଣସି ଲୋକେ ମୂର୍ଖ ହୋଇଥାନ୍ତି । ସୁତରାଂ ସ୍ୱତଃ ପ୍ରଧାନ ହୋଇ ଅନାୟାସରେ ସଂସାରଯାତ୍ରା ନିର୍ବାହ କରିବା ସମସ୍ତଙ୍କର ସହଜ ନୁହେଁ । ଅତଏବ ପରସ୍ପର ଉପକାର ବିଧାନରେ ଚେଷ୍ଟା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ବଳବାନ ବ୍ୟକ୍ତିର ଦୁର୍ବଳର ସାହାଯ୍ୟ କରିବା ଉଚିତ; ସାଧୁମାନଙ୍କର ଅସଚ୍ଚରିତ୍ର ନିବାରଣ କରିବା ଆବଶ୍ୟକ; ଧନବାନ୍ ଲୋକର ଦରିଦ୍ରର ଉପକାର କରିବା ଉଚିତ; ପଣ୍ଡିତର ମୂର୍ଖକୁ ଜ୍ଞାନଦାନ କରିବା ବିହିତ ଅଟେ । ଏହି ସକଳ ବିଷୟ ସମ୍ପନ୍ନ କରିବା ପାଇଁ ଅନାୟାସରେ ପ୍ରବୃତ୍ତି ଜନ୍ମିବାର ଉପାୟସ୍ୱରୂପ ଆମ୍ଭମାନଙ୍କ ଶରୀରରେ ଦୟା ଅଛି । ଦୟା ଅତି ପ୍ରଧାନ ଗୁଣ, ଯାହା ଶରୀରରେ ଦୟା ନାହିଁ ସେ ପଶୁ ସମାନ ।

 

ଦୟାଳୁ ହେଲେ ଦାତା ହୁଅନ୍ତି । ଦୟାଳୁ ବ୍ୟକ୍ତି ସ୍ୱଧନ ଦାନ-ଦ୍ୱାରା ଦୀନ, ଦୁଃଖି, ଅନାଥ ପ୍ରଭୃତିଙ୍କ ଦୁଃଖ ମୋଚନ କରି ପରମ ପ୍ରୀତି ପ୍ରାପ୍ତ ହୁଏ । ଦାନ ଯଦ୍ୟପି ଅତି ସତ୍କର୍ମ ପୁଣି ପ୍ରଧାନ ଧର୍ମ ଅଟେ, ତଥାପି ତଦ୍ୱିଷୟରେ ବିବେଚନା ପୂର୍ବକ ଚଳିବା ଉଚିତ । ଯେଉଁ ବ୍ୟକ୍ତି ପରିଶ୍ରମ କଲେ ଆପଣା କ୍ଳେଶ ନିବାରଣରେ ସମର୍ଥ କିନ୍ତୁ ଅନାୟାସରେ ଅନ୍ୟ ଲୋକର ଆନୁକୂଲ୍ୟ ପାଏ ବୋଲି ଆଳସ୍ୟ କାଳକ୍ଷେପ କରେ, ପ୍ରାଣାନ୍ତ ହେଲେ ହେଁ ପରିଶ୍ରମ କରିବାକୁ ଚାହେଁ ନାହିଁ, ଅଥବା ଯେଉଁ ବ୍ୟକ୍ତି ଅନ୍ୟ ଲୋକର ଦତ୍ତ ଅର୍ଥ ନେଇ ଅସତ୍‍ କର୍ମରେ ବ୍ୟୟ କରେ, ତାକୁ ଦାନ ଦେବା କଦାପି ଉଚିତ ନୁହେଁ । ଆମ୍ଭମାନେ ଯେଉଁ ବ୍ୟକ୍ତିକୁ ଯାହା ଦାନ କରିବା, ତଦ୍ଦ୍ୱାରା ତାହାର କ୍ଲେଶ ନିବାରଣ ଆଉ ଯଥାର୍ଥ ଉପକାର ହେବ, ଏକଥା ବୁଝି ଦାନ କରିବା ଉଚିତ । ପୁନଶ୍ଚ ଯାହା ଦାନ କରୁଁ ତାହା ଅନାୟାସରେ ଅର୍ଥାତ୍ ଆପଣା ନିଜ ଗୃହାଦି ବ୍ୟୟ ଉପଲକ୍ଷ୍ୟରେ ଅକ୍ଳେଶରେ ଦାନ ହୋଇପାରେ କି ନାହିଁ, ଏ ବିଷୟ ବୁଝି ଦାନ କରିବା ଉଚିତ । ଯେବେ ଋଣ ଥିବ, ପ୍ରଥମେ ତାହା ପରିଶୋଧ ନ କରି ଦାନ କରିବା ଅତି ଅନ୍ୟାୟ କର୍ମ । ଯେଉଁ ବ୍ୟକ୍ତି ଋଣ ପରିଶୋଧ ନ କରି ଅଥବା ଋଣ କରି ଦାନ କରେ, ତାହାର ନିଜ ଧନ ଦାନ କରାଯାଏ ନାହିଁ । ଏରୂପ ଲୋକଙ୍କୁ ଦାତା ନ ବୋଲି ପରଦ୍ରବ୍ୟାପହାରୀ ଚୋର କହିବା ଉଚିତ ।

Image

 

Unknown

ଜନ୍‌ ହାଉଆର୍ଡ଼

 

ଇଙ୍ଗଲଣ୍ଡ ଦେଶୀୟ ଜନ୍‌ ହାଉଆର୍ଡ଼ ଧନବାନ ଆଉ ପରମ ଦୟାଳୁ ଥିଲା । ସେ ମନୁଷ୍ୟମାନଙ୍କ ଦୁଃଖ ମୋଚନ ନିମନ୍ତେ ଯେଉଁ ଅଶେଷ ପରିଶ୍ରମ ଏବଂ କ୍ଳେଶ ସ୍ୱୀକାର କରିଥିଲା ତଦ୍ଦ୍ୱାରା ଜଗଦ୍ୱିଖ୍ୟାତ ହୋଇଅଛି । ସେ ଯୌବନାବସ୍ଥାରେ ଜଳପଥରେ ପର୍ତ୍ତୁଗାଲର ରାଜଧାନୀ ଲିସ୍‍ବନ୍‌ ନଗରକୁ ଯାଉଥିଲା । ମାର୍ଗରେ ଫରାସୀମାନେ ତାକୁ ଅଟକ କରି ବ୍ରେଷ୍ଟ ନଗରର ଏକ ଅତି କ୍ଳେଶଦାୟକ କାରାଗାରରେ ବନ୍ଦ କରି ରଖିଲେ । ସେଠାରେ ତାକୁ ଏବଂ ତାହା ସହଚରମାନଙ୍କୁ ଅନାହାରରେ ମୃତ ପ୍ରାୟ ହୋଇ, ଭୂମି ଶଯ୍ୟାରେ ଶୟନ କରି ଅତି କଷ୍ଟରେ କେତେକ ରାତ୍ରଯାପନ କରିବାକୁ ହେଲା । ଅନ୍ୟାନ୍ୟ କରାରୁଦ୍ଧ ଲୋକେ ଯେ ଅସହ୍ୟ କ୍ଳେଶ ପାଉଥିଲେ ତାହା ସେ ଦେଖିଲା ଏବଂ ସେ ନିଜେ ଯଦ୍ରୂପ ଦୁଃସହ ଯନ୍ତ୍ରଣା ଭୋଗ କରିଥିଲା ତାହା ସମୁଦାୟ ତାହା ଅନ୍ତଃକରଣରୁ କଦାପି ବିସ୍ମରଣ ହେଲା ନାହିଁ, ତଦନୁସାରେ ସେ କରାଗାରର ଦୁଃଖ ନିବାରଣ କରିବା ପାଇଁ ସଂକଳ୍ପ କଲା । ଇଉରୋପର ଯେଉଁ ରାଜ୍ୟରେ ଯେତେ କରାଗାର ଥିଲା ସେହି ସବୁ ସ୍ଥାନକୁ ସ୍ୱୟଂ ଯାଇ ସେ ସେ କାରାଗାରର ଅବସ୍ଥା ସ୍ୱଚକ୍ଷୁରେ ପ୍ରତ୍ୟକ୍ଷ ପରୀକ୍ଷା କରିବାକୁ ଲାଗିଲା । ଏବଂ ଅତିଶୟ ଯତ୍ନ ଆଉ ଉଦ୍‌ଯୋଗ କରି ଦୁଃସହ କରାବାସ କ୍ଳେଶର ଅନେକ ଭାଗରେ ନିବାରଣ କଲା । ଏ ବିଷୟରେ ତାହାର କେତେ ପରିଶ୍ରମ କେତେ ଅର୍ଥବ୍ୟୟ, କେତେ କଷ୍ଟ ହୋଇଥିଲା, ତାହା ଏଥିରୁ ସ୍ପଷ୍ଟ ପ୍ରତୀତ ହେଉଅଛି କି ଏହି କର୍ମସାଧନ ନିମନ୍ତେ ସେ ଏକବିଂଶତି ସହସ୍ର କ୍ରୋଶ ପର୍ଯ୍ୟଟନ କରିଥିଲା । ପରର କ୍ଳେଶ ନିବାରଣ ନିମନ୍ତେ ଏତେ ଦୂର ପର୍ଯ୍ୟନ୍ତେ କରିବା ସାମାନ୍ୟ ଦୟାର କର୍ମ ନୁହେଁ ।

 

ଯେତେବେଳେ ହାଉଆର୍ଡ଼ ସାହେବ, କାର୍ଡ଼ିଂଟନ୍‌ ନାମକ ସ୍ଥାନରେ ବାସ କରୁଥିଲା, ସେତେବେଳେ ଯଥାସାଧ୍ୟ ସେଠାରେ ସମସ୍ତ ଲୋକଙ୍କର ସୁଖ ସମୃଦ୍ଧି ବୃଦ୍ଧି କଲା । ସେ ଆପଣା ଭୂମିରେ ଗୃହ ନିର୍ମାଣ କରାଇ କେତେ ଗୁଡ଼ିଏ ଦୀନ, ଦରିଦ୍ର, ଅନାଥ ଲୋକଙ୍କୁ ରଖାଇଲା; ଏବଂ ସେମାନେ ଯହିଁରେ ସୁଖସ୍ୱଚ୍ଛନ୍ଦରେ ରହି ପାରିବେ ତଦ୍‍ବିଷୟରେ ନିତାନ୍ତ ଯତ୍ନବାନ୍‍ ଥିଲା । ସେ ବାଳକମାନଙ୍କ ବିଦ୍ୟାଶିକ୍ଷା ନିମନ୍ତେ ଆପଣା ବ୍ୟୟରେ ସ୍ଥାନେ ସ୍ଥାନେ ଅବୈତନିକ ପାଠଶାଳ ସ୍ଥାପନ କରିଦେଲା । ସ୍ୱଂୟ ପରିମିତ ବ୍ୟୟରେ ସଂସାରଯାତ୍ରା ନିର୍ବାହ କରି ପ୍ରାୟ ସମୁଦାୟ ଆୟ ଦୀନ, ଦରିଦ୍ର, ଅନାଥ ପ୍ରଭୃତିଙ୍କୁ ଦାନ କରୁଥିଲା । କାହାରି ପୀଡ଼ା ଶୁଣିଲେ ତତ୍‌କ୍ଷଣାତ୍‌ ସେଠାରେ ଉପସ୍ଥିତ ହୁଏ, ଏବଂ କାୟିକ ପରିଶ୍ରମ ଆଉ ଅର୍ଥବ୍ୟୟଦ୍ୱାରା ତାକୁ ରୋଗମୁକ୍ତ ଆଉ ସୁସ୍ଥ କରିବାର ଚେଷ୍ଟା କଲେ ।

 

ହାଉଆର୍ଡ଼ ସାହେବ ଲୋକର କ୍ଳେଶ, ବିପଦ କଥା ଶୁଣି ନିଶ୍ଚିନ୍ତ ରହି ନ ପାରେ । ଦିନେ ଜଣେ ସ୍ତ୍ରୀଲୋକ ଅତିବିଷମ ମହାମାରୀ ରୋଗରେ ଆକ୍ରାନ୍ତ ହୋଇଥିଲା । ସେ ହାଉଆର୍ଡ଼ ସାହେବଙ୍କୁ ଅନାଥର ନାଥ ଜାଣି ତାହା ନିକଟକୁ ଆପଣା ପୀଡ଼ାର ସମ୍ୱାଦ ପଠାଇ ଦେଲା; ମହାମାରୀ ରୋଗଗ୍ରସ୍ତ ବ୍ୟକ୍ତିର ସଂସ୍ପର୍ଶ ଓ ସହବାସରେ ଉକ୍ତ ରୋଗ ଜନ୍ମିବା ପୁଣି ପ୍ରାଣନାଶ ପର୍ଯ୍ୟନ୍ତ ଘଟିବାର ସମ୍ଭାବନା । କିନ୍ତୁ ଏହି ଦୟାସାଗର ମହାପୁରୁଷ ତାହା ଥରେ ମାତ୍ର ମନେ ନ କରି ତାହା ରୋଗଶାନ୍ତିର ଉପାୟ କରିବା ଲାଗି ତତ୍‍କ୍ଷଣାତ୍‌ ସେ ସ୍ତ୍ରୀ ଘରଠାକୁ ଗଲା, ମଧ୍ୟ ଶୀଘ୍ର ସେହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇ ଆପେ ଆପେ ପଞ୍ଚତ୍ୱ ପ୍ରାପ୍ତ ହେଲା ।

Image

 

ସର୍‌ ଫିଲିପ୍‌ ସିଡ଼ିନି

 

ଏହି ବ୍ୟକ୍ତି ଅତି ସାହାସୀ, ଯୋଦ୍ଧା, କବି ଏବଂ ଆପଣାର ସମବୟସ୍କ ଲୋକଙ୍କର ଅପେକ୍ଷା ସଭ୍ୟ ଥିଲେ । ସେ ଏକ ଯୁଦ୍ଧରେ ଆହାତ ହୋଇ ଛାଉଣିକି ଅଣା ଗଲେ । ଯୁଦ୍ଧରେ ଯେଉଁମାନେ ଆହତ ହୁଅନ୍ତି ସେମାନଙ୍କୁ ଅତ୍ୟନ୍ତ ତୃଷା ହୁଏ । କିନ୍ତୁ ସେ ସମୟରେ ଅନାୟାସରେ ଜଳ ମିଳେ ନାହିଁ । ସର୍‌ ଫିଲିପ୍‌ ଆପଣା ତୃଷା ନିବାରଣ ନିମନ୍ତେ ଅତ୍ୟଳ୍ପମାତ୍ର ଜଳ ପ୍ରାପ୍ତ ହୋଇଥିଲେ । ସେ ସମୟରେ ଆଉ ଜଣେ ସାମାନ୍ୟ ସୈନିକ ପୁରୁଷ ଆହତ ହୋଇ ଛାଉଣିକ ଆଣାଗଲା । ସେ ମଧ୍ୟ ପିପାସାରେ ଅତିଶୟ ବ୍ୟାକୁଳ ହୋଇଥିଲା । ସର୍‌ ଫିଲିପ୍‌ ଜଳପାନ କରିବାର ଉଦ୍ୟମ କରିଅଛି ଏହି ସମୟରେ ଉକ୍ତ ସୈନିକ ପୁରୁଷ ତୃଷାପୀଡ଼ିତ ନୟନରେ ଫିଲିପ୍‍ର ହସ୍ତସ୍ଥିତ ଜଳପାତ୍ରକୁ ଚାହିଁଲା । ତାହା ଦେଖି ମହାତ୍ମା ସିଡ଼ନି ସ୍ୱଂୟ ସେହି ଜଳ ପାନ ନ କରି, ଆମ୍ଭ ଅପେକ୍ଷା ତୁମ୍ଭର ତୃଷା ଅଧିକ ଏ କଥା କହି ତତ୍‍କ୍ଷଣାତ୍‍ ସେହି ଜଳପାତ୍ର ସେହି ସୈନିକ ପୁରୁଷ ହସ୍ତରେ ଦେଲେ ।

 

ସାର ଫିଲିପ୍‌ ସେହି ଆଘାତରେ ପ୍ରାଣତ୍ୟାଗ କଲେ । ସେହି ସମୟରେ ତାଙ୍କର ତେତିଶ ବର୍ଷ ବୟସମାତ୍ର ହୋଇଥିଲା । ତାଙ୍କ ନାମ ଚିରସ୍ମରଣୀୟ ହେବାଭଳି, ସେ କୌଣସି ବିଶେଷ କର୍ମ କରି ଯାଇ ନାହାନ୍ତି; ତଥାପି ସେ ଯେ ମୁମୂର୍ଷୁ ସୈନିକ ପୁରୁଷଠାରେ ଦୟା ପ୍ରକାଶ କରିଥିଲେ, ତଦ୍ୱାରା ଅଦ୍ୟାବଧି ସର୍ବଜନ ପ୍ରଂଶସନୀୟ ହୋଇ ଆସିଅଛନ୍ତି; ଏବଂ ଯାବତ ଭୂମଣ୍ଡଳରେ ସତ୍‍କର୍ମର ଆଦର ଏବଂ ଗୌରବ ଥିବ, ତାବତ କେହି କଦାପି ତାଙ୍କ ନାମ ବି ସ୍ମରଣ କରିବ ନାହିଁ ବୋଲି ଅନୁମାନ ହେଉଅଛି ।

Image

 

ଟାଇଟସ୍‌

 

ରୋମ ରାଜ୍ୟର ସମ୍ରାଟ ଟାଇଟସ୍‌, ଅତିଶୟ ଦୟାଳୁ ଏବଂ ପରୋପକାରୀ ଥିଲେ । ପ୍ରଜାମାନଙ୍କ ଉପକାର ବିଧାନ ବ୍ୟତିରେକେ ତାଙ୍କର ଆଉ କୌଣସି ଭାରୀ ଇଚ୍ଛା ନ ଥିଲା । ଦିନେ ସାଂୟକାଳରେ ତାଙ୍କର ମନେ ପଡ଼ିଲା, ସେଦିନ କାହାରି କିଛି ଉପକାର କରାଯାଇ ନାହିଁ । ସେତେବେଳେ ସେ ଆପଣା ଅମାତ୍ୟମାନଙ୍କୁ ଡାକି କରି କହିଲେ, ହେ ବନ୍ଧୁମାନେ ! ଆଜି ଦିନ ବୃଥା ଯାଇଅଛି ।

Image

 

କ୍ରୋଧସମ୍ୱରଣ-କ୍ଷମା

 

ଆମ୍ଭମାନଙ୍କ ମନର ସ୍ୱାଭାବିକ ଗତି ଏହି ଯେ, କୌଣସି ଅସନ୍ତୋଷର କାରଣ ଉପସ୍ଥିତ ହେଲେ ବିରକ୍ତ ଓ କୁପିତ ହେଉଁ, ପୁନଶ୍ଚ କୌଣସି ସନ୍ତୋଷର କାରଣ ଦେଖିଲେ ପ୍ରୀତି ଓ ପ୍ରଫୁଲ୍ଲ ହେଉଁ । ଯେବେ ଆମ୍ଭମାନେ କୌଣସି ବ୍ୟକ୍ତିକୁ ନ୍ୟାୟ ପଥରେ ଚଳୁଥିବା ଅଥବା କୌଣସି ସତ୍‍କର୍ମ କରୁଥିବାର ଦେଖୁଁ, ତେବେ ଅନ୍ତଃକରଣ ପ୍ରୀତ ଆଉ ପ୍ରଫୁଲ୍ଲ ହୁଏ, ମାତ୍ର ତଦ୍‍ବିପରୀତ ଦେଖିଲେ ଅସନ୍ତୋଷ ଆଉ କ୍ରୋଧ ଜନ୍ମେ ।

 

କ୍ରୋଧର ଉତ୍ତମ ପ୍ରୟୋଜନ ଦେଖା ଯାଉଅଛି । କ୍ରୋଧ, ଅନ୍ୟାୟ ଓ ମନ୍ଦାଚରଣ ନିବାରଣର ଏକ ପ୍ରଧାନ ଉପାୟ ଅଟେ । ଯେତେ ଲୋକଙ୍କୁ ପୂଜ୍ୟ ଆଉ ଆଦରଣୀୟ ଜ୍ଞାନ କରୁଁ, ସେମାନଙ୍କ ମଧ୍ୟରେ କାହାରି ମନ୍ଦାଚରଣ ପୁଣି ଅନାଦର କରିବାର ଦେଖିଲେ ହେଁ ଯେବେ ଅନ୍ତଃକରଣରେ କ୍ରୋଧୋଦୟ ନ ହୁଅନ୍ତା, ତେବେ ଆମ୍ଭେମାନେ ଅତି ଅମନୁଷ୍ୟ ବୋଲି ପରିଗଣିତ ହୁଅନ୍ତୁ ।

 

ଯଦ୍ୟାପି ସମୟ ବିଶେଷରେ କ୍ରୋଧ କରିବା ଦୂଷ୍ୟ ନୁହେ ସତ୍ୟ, ତଥାପି କ୍ରୋଧରେ ଅନ୍ଧ ହୋଇ ହଠାତ୍‌ କୌଣସି ଅବିବେଚନାପୂର୍ବକ କର୍ମ କରିବା ଓ ବୈରସାଧନରେ ପ୍ରବୃତ୍ତ ହେବା କୌଣସିରୂପେ ଉଚିତ୍‌ ନୁହେଁ । କ୍ରୋଧର କାରଣ ଗଲେ କ୍ରୋଧକୁ ଅନ୍ତଃକରଣରୁ ଦୂର କରିବା ଉଚିତ । କ୍ରୋଧ ଜନ୍ମିଲେ ତାକୁ ପୋଷି କରି ରଖିବା ଅତି ଅସତ୍‍ କର୍ମ ଅଟେ ।

 

ଯାହାର ଯେରୂପ ସ୍ୱଭାବ, କ୍ରୋଧ ହେଲେ ସେ ତଦନୁରୂପେ କର୍ମ କରେ । ଅସଭ୍ୟ ଇତର ଲୋକ କ୍ରୋଧ ହେଲେ ତର୍ଜନ ଗର୍ଜନ କରି କଟୁବାକ୍ୟ କହେ ଏବଂ ମାରେ । ଭଦ୍ରଲୋକେ ତାହା ନ କରି ଶିଷ୍ଟ ବାକ୍ୟରେ ଭର୍ତ୍ସନା କରନ୍ତି । କ୍ରୋଧ ପ୍ରକାଶର ଏହି ଦୁଇ ପ୍ରକାର ରୀତି ଗର୍ହିତ । ତର୍ଜନ ଗର୍ଜନ, କଟୁବାକ୍ୟ କହିବା, ପ୍ରହାର, ଭର୍ତ୍ସନାରେ ଲାଭ କିଛି ନାହିଁ, ବରଂ ପୂର୍ବାପେକ୍ଷା ଆହୁରି ମନ୍ଦ ହୋଇ ଉଠେ । ଅତଏବ ଯହିଁରେ କୌଣସି ଅନିଷ୍ଟ ନ ଘଟେ ବରଂ ଅପରାଧକାରୀର ଦୋଷ ମାର୍ଜନା ହୋଇ ପାରେ, ସ୍ଥିର ଚିତ୍ତରେ ପୁଣି ସରଳ ବାକ୍ୟରେ ସେହି ରୂପେ ଆପଣା ମନର ଭାବ ପ୍ରକାଶ କରିବା କ୍ରୋଧ ପ୍ରକାଶର ଯଥାର୍ଥ ମାର୍ଗ ।

 

ଯେବେ ସୁଖୀ ହେବାର ଇଚ୍ଛା ଥାଏ, ତେବେ କ୍ରୋଧର ବଶ ଓ ବୈର ସାଧନରେ ତତ୍ପର ନ ହୋଇ ଧୀର ଆଉ କ୍ଷମାବାନ୍‍ ହେବା ଆବଶ୍ୟକ । ସଂସାର ଯେ ରୂପେ ସ୍ଥାନ, ତହିଁରେ ପ୍ରାୟ ପ୍ରତିଦିନ ଆମ୍ଭମାନଙ୍କର ନାନା ଅପ୍ରିୟ ବିଷୟ ଘଟିପାରେ । ଯେବେ ଆମ୍ଭମାନେ ସେହି ପ୍ରତ୍ୟେକ ବିଷୟରେ ବିରକ୍ତ ଓ କ୍ରୋଧାନ୍ୱିତ୍ୱ ହେବା, ତେବେ ନିଜେ ବାସ୍ତବ ଅତ୍ୟନ୍ତ ଅସୁଖୀ ହେବା, ଏବଂ ଅନ୍ୟାନ୍ୟ ଲୋକଙ୍କର ସୁଦ୍ଧା ଅସୁଖଜନକ ହେବ। ।

 

କ୍ଷମା ଅତି ପ୍ରଧାନ ଗୁଣ । ଯାହାର କ୍ଷମାଗୁଣ ଅଛି, ସେ ଅତି ସତ୍‍ସ୍ୱଭାବ ସନ୍ଦେହ ନାହିଁ-। ସକଳ ଲୋକଙ୍କର ଅପରାଧୀ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି; ଅତଏବ ଆମ୍ଭମାନଙ୍କର ପରସ୍ପରରେ କ୍ଷମା ଦେଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ । କ୍ଷମା ଦେଖାଇଲେ ଶତ୍ରୁସୁଦ୍ଧା ମିତ୍ର ହୁଏ । ଆମ୍ଭମାନଙ୍କୁ କ୍ଷମାଶୀଳ ଦେଖିଲେ ଅନ୍ୟାନ୍ୟ ଲୋକେମଧ୍ୟ କ୍ଷମାଗୁଣ ଅବଲମ୍ୱନ କରିବେ; ପୁନଶ୍ଚ ତାହା ହେଲେ ଭୂମଣ୍ଡଳରେ ଦୟା ଶାନ୍ତି ସର୍ବତ୍ର ବ୍ୟାପ୍ତ ହେବ ।

Image

 

ସକ୍ରେଟିସ୍‌

 

ଗ୍ରୀସ-ଦେଶୀୟ ସୁବିଖ୍ୟାତ ପଣ୍ଡିତ ସକ୍ରେଟିସ୍‌ଙ୍କର ସ୍ୱଭାବିକ ଅତ୍ୟନ୍ତ କ୍ରୋଧ ଥିଲା; କିନ୍ତୁ ସେ ଅଭ୍ୟାସ ଓ ଯତ୍ନ ବଳରେ କ୍ରୋଧକୁ ନିତାନ୍ତ ବଶୀଭୂତ କରି ଆଣିଥିଲେ । ସେ ଆପଣା ବନ୍ଧୁମାନଙ୍କୁ ପୂର୍ବରୁ କହିଥାନ୍ତି ଆମ୍ଭର କ୍ରୋଧୋଦୟ ଦେଖିଲେ ତୁମ୍ଭେମାନେ ଆମ୍ଭଙ୍କୁ କହିବ । କ୍ରୋଧ ସମୟରେ ସେମାନେ ଇଙ୍ଗିତଦ୍ୱାରା ଜଣାଇଲାରୁ ସେ ତତ୍‍କ୍ଷଣାତ୍‍ କ୍ରୋଧ ସମ୍ୱରଣ କରନ୍ତି । ଥରେ ସେ କୌଣସି ଭୃତ୍ୟ ଉପରେ କ୍ରୋଧାନ୍ନିତ୍ୱ ହୋଇ କହିଲେ, ଯେବେ ଆମ୍ଭର କ୍ରୋଧ ନ ହୁଅନ୍ତା, ତେବେ ତୁମ୍ଭଙ୍କୁ ପ୍ରହାର କରନ୍ତୁ । ଦିନକରେ କୌଣସି ବ୍ୟକ୍ତି ତାଙ୍କ କର୍ଣ୍ଣମୂଳରେ ମୁଷ୍ଟି ପ୍ରହାର କରିବାରେ, ସେ ହାସ୍ୟ ମୁଖରେ ଏତିକିମାତ୍ର କହି ନିବୃତ୍ତ ରହିଲେ, କେଉଁ ସମୟରେ ଯୁଦ୍ଧସଜ୍ଜା କରିବାକୁ ହୁଏ, ତାହା ନ ଜାଣିବା ଅତ୍ୟନ୍ତ ଦୁଃଖର ବିଷୟ । ଏକ ଦିନ ସକ୍ରେଟିସ୍‍ ମାର୍ଗରେ କୌଣସି ସମ୍ଭ୍ରାନ୍ତ ବ୍ୟକ୍ତିକୁ ଦେଖି ନମସ୍କାର କଲେ; ମାତ୍ର ଲୋକେ ଅବଶ୍ୟ କର୍ତ୍ତବ୍ୟ ପ୍ରତିନମସ୍କାର, ସମ୍ଭାଷଣ କିଛି କଲା ନାହିଁ । ତାହା ଦେଖି ତାଙ୍କ ସହଚରମାନେ ତାଙ୍କୁ କହିଲେ ଏ ବ୍ୟକ୍ତିର ଅସଭ୍ୟତା ଦେଖି ଆମ୍ଭମାନଙ୍କର ଏମନ୍ତ କ୍ରୋଧ ଜନ୍ମୁଅଛି କି, ତାକୁ ଏଥିର ପ୍ରତିଫଳ ଦେବାକୁ ବଡ଼ ଇଚ୍ଛା ହେଉଅଛି । ମାତ୍ର ସକ୍ରେଟିସ୍‌ ଅତି ପ୍ରଶାନ୍ତ ଭାବରେ ଉତ୍ତର କଲେ, ଯେବେ ତୁମ୍ଭେମାନଙ୍କ ଅପେକ୍ଷା କାହାରି ଶରୀର ତୁଚ୍ଛନୀୟ ଦେଖିବ, ତେବେ କି ସେହେତୁରୁ ତାହା ଉପରେ କ୍ରୋଧ କରିବ; ଯେବେ ତାହା ନ କରିବ, ତେବେ ତୁମ୍ଭେମାନଙ୍କ ଅପେକ୍ଷା ଯାହାର ମନ ତୁଚ୍ଛନୀୟ, ତାକୁ ଦେଖି କ୍ରୋଧ କରିବାର କି ବିଶେଷ ହେତୁ ଉପସ୍ଥିତ ହୋଇପାରେ ?

 

ସକ୍ରୋଟିସ୍‌ଙ୍କ ଗୃହରେ ଯେଉଁ ସବୁ ଭାରୀ ଅସନ୍ତୋଷ ଜନକ କଥା ଉପସ୍ଥିତ ହୁଏ, ତାହା ସମୁଦାୟ ସେ ଅବିରକ୍ତ ଚିତ୍ତରେ ସହ୍ୟ କରନ୍ତି, ତଦ୍ୱାରା ସେ କେମନ୍ତ ଧୈର୍ଯ୍ୟ ଆଉ କ୍ଷମାଶୀଳ ଥିଲେ ଉତ୍ତମ ରୂପେ ଦେଖାଯାଏ । ତାଙ୍କ ବିନିତା ଜଣ୍ଟିପିଙ୍କର କନ୍ଦଳାନୁରାଗ ଅକାରଣରେ କ୍ରୋଧ ଓ ଉଗ୍ର ସ୍ୱଭାବଦ୍ୱାରା ତାଙ୍କ ଧୈର୍ଯ୍ୟ ଆଉ କ୍ଷମାଗୁଣ ଉତ୍ତମରୂପେ ପରୀକ୍ଷା କରାଯାଇଅଛି । ଏହି ସ୍ତ୍ରୀସମାନ କ୍ରୋଧପରବଶ ଏବଂ କଦର୍ଯ୍ୟସ୍ୱଭାବ ଆଉ ଦ୍ୱିତୀୟ ନାରୀ କହାରି ଦୃଷ୍ଟିଗୋଚର ହୋଇନାହିଁ । ଯେତେପ୍ରକାର କଟୁକ୍ତି ଓ କୁବ୍ୟବହାର ଘଟିପାରେ, ତାହା ସମୁଦାୟ ପତିଙ୍କୁ କହେ । ଦିନକରେ ସେ ପତିଙ୍କ ଉପରେ ଏମନ୍ତ କ୍ରୁଦ୍ଧ ହେଲା କି, ରାଜପଥରେ ଠିଆ ହୋଇ ତାଙ୍କ ଦେହରୁ ସମସ୍ତ ବସ୍ତ୍ର ଖଣ୍ଡ ଖଣ୍ଡ କରି ଚିରି ପକାଇଲା । ତାହା ଦେଖି ତାଙ୍କର କେତେ ଜଣ ବନ୍ଧୁ କହିଲେ, ଏରୂପ ଆଚରଣ ଅସହ୍ୟ; ଅତଏବ ଏହି ଅପରାଧର ପ୍ରତିଫଳସ୍ୱରୂପ ତାକୁ ଯଥାର୍ଥରୂପେ ପ୍ରହାର କରିବା ଉଚିତ ଅଟେ । ତହିଁରେ ସକ୍ରେଟିସ୍‌ କହିଲେ, ହାଁ ଇହା ବାସ୍ତବିକ ଉତ୍ତମ ଆମୋଦ ଓ କୌତୁକ ହେଉଅଛି । ଆମ୍ଭେ ସ୍ତ୍ରୀ ପୁରୁଷ ପିଟାପିଟି ହେଉଅଛୁଁ, ତୁମ୍ଭେମାନେ ସୁଦ୍ଧା ଆମ୍ଭମାନଙ୍କୁ ପ୍ରବର୍ତ୍ତାଉ ଥାଅ; କେହି କହିବ, ସକ୍ରେଟିସ ବଡ଼ ପାରିଲାର; କେହି କହିବେ ବାହାବା ଜଣ୍ଟିପି ।

 

ଦିନକରେ ଜଣ୍ଟିପି ଅତିଶୟ କ୍ରୁଦ୍ଧ ହୋଇ ପତିଙ୍କୁ ଯାହାଇଚ୍ଛା ତାହା ତିରସ୍କାର ଓ ଭର୍ତ୍ସନା କରିବାରେ, ସକ୍ରୋଟିସ୍‌ ଗୋଟିଏ ସୁଦ୍ଧା କଥା ନ କହି, ଗୃହରୁ ବାହାରି ଯାଇ ଦ୍ୱାରଦେଶରେ ଉପବିଷ୍ଟ ହେଲେ । ସକ୍ରେଟିସଙ୍କର ଏପ୍ରକାର ଶାନ୍ତସ୍ୱଭାବ ଦେଖି ସେ ଆହୁରି କ୍ରୁଦ୍ଧ ହେଲା, ଏବଂ ତତ୍‍କ୍ଷଣାତ୍‌ ଗୃହର ଉପର ଭାଗକୁ ଚଢ଼ିଯାଇ ସେଠାରୁ ଏକ କଳଶୀ ମୟଲା ଜଳ ସ୍ୱାମୀଙ୍କ ମସ୍ତକରେ ଢାଳି ଦେଲା, ସକ୍ରେଟିସ କିଞ୍ଚିତ୍‍ ହାସ୍ୟ କରି ଏତିକିମାତ୍ର କହିଲେ, ଏଡ଼େ ଗର୍ଜନ ହେଲେ ବୃଷ୍ଟି ହେବାର ସନ୍ଦେହ କି ?

Image

 

ଏବରେଟ୍‌

 

ଜେନିବା ନଗରରେ ଏବରେଟ୍‍ ନାମରେ ଜଣେ ପଣ୍ଡିତ ଥିଲା । ସେ ଜନ୍ମାବଧି କଦାପି କ୍ରୋଧ କରେ ନାହିଁ । ଏକ ଦାସୀ ତିରିଶ ବର୍ଷ ତାଙ୍କ ଘରେ ଥିଲା; ସେ ଏତେ ଦୀର୍ଘକାଳ ମଧ୍ୟରେ ଦିନେ ସୁଦ୍ଧା ତାକୁ କୁପିତ ହେବାର ଦେଖିନାହିଁ । ଏବରେଟ୍‍କୁ କୌଣସିରୂପେ କ୍ରୋଧାନ୍ନିତ୍ୱ କରାଯାଇ ପାରିବ କି ନାହିଁ, ଏକଥା ପରୀକ୍ଷା କରି ଦେଖିବାଲାଗି, କେତେଗୁଡ଼ିଏ ଲୋକ ପରାମର୍ଶ କରି ସେ ଦାସୀକୁ କହିଲେ, ଯେବେ ତୁମ୍ଭେ କୌଣସିରୂପେ ତାହାକୁ ତାହାଙ୍କୁ କ୍ରୁଦ୍ଧ କରାଇପାର, ତେବେ ଆମ୍ଭମାନେ ବିଶେଷ ପୁରସ୍କାର ଦେବା । ତହିଁରେ ସେ ସମ୍ମତା ହେଲା ।

 

ଏବରେଟ୍‌ ଉତ୍ତମ ଶଯ୍ୟା ନୋହିଲେ, ଶୟନ କରିପାରେ ନାହିଁ; ସୁତରାଂ ଶଯ୍ୟା ବିଷୟରେ ଅଯତ୍ନ କଲେ ସେ ଅବଶ କ୍ରୋଧ କରିବ, ଏକଥା ମନେ କରି ଦାସୀ ଦିନକରେ ପୂର୍ବପରି ଶଯ୍ୟା ପ୍ରସ୍ତୁତ କରି ରଖିଲା ନାହିଁ । ଆରଦିନ ପ୍ରାତଃକାଳରେ ଏବରେଟ୍ ଦାସୀକି ଶଯ୍ୟା କଥା କହିଲା । ସେ କହିଲା, ଆମ୍ଭେ ପାସୋରି ଯାଇଥିଲୁଁ । ତାହା ଆରଦିନ ସାୟଂକାଳରେ ମଧ୍ୟ ଶଯ୍ୟା ପ୍ରସ୍ତୁତ କରି ରଖିଲା ନାହିଁ । ଏବରେଟ୍ ଆରଦିନ ପ୍ରାତଃକାଳରେ ପୁନରାୟ ଦାସୀକି କହିଲାରୁ ସେ କିଞ୍ଚିତ୍ ଅନାଦର ପ୍ରକାଶ କରି ଶଯ୍ୟା ପ୍ରସ୍ତୁତ କରି ନ ରଖିବାର ଅତି ସାମାନ୍ୟ ହେତୁ ଦେଖାଇଲା । ଅନନ୍ତର ତୃତୀୟ ଦିନରେ ସୁଦ୍ଧା ସେ ପୁନର୍ବାର ସେହିରୂପ କରିବାରେ ଏବରେଟ୍ ତାକୁ କହିଲା, ତୁମ୍ଭେ ଅଦ୍ୟାବଧି ଆମ୍ଭର ଶଯ୍ୟା ପ୍ରସ୍ତୁତ କଲ ନାହିଁ, ଜଣାଯାଏ ଶଯ୍ୟା ପ୍ରସ୍ତୁତ କରିବାରେ ତୁମ୍ଭର ଅତିଶୟ କ୍ଲେଶ ହୁଏ, ଅତଏବ ପାର ନା । ଯାହା ହେଉ, ଏଥିଉତ୍ତାରୁ ଆଉ ତାହା ପ୍ରତିଦିନ ପ୍ରସ୍ତୁତ କରିବାର ଆବଶ୍ୟକ ନାହିଁ, ଆମ୍ଭେ ଏହିରୂପ ଶଯ୍ୟାରେ ଶୟନ କରିବାକୁ ଅଭ୍ୟାସ କରିଅଛୁଁ । ଦାସୀ ଶୁଣି ବିସ୍ମୟାପନ୍ନ ହେଲା, ତାଙ୍କୁ କ୍ରୁଦ୍ଧ କରାଇବା ଅସମ୍ଭବ ବୋଧ କରି ତାହା ପାଦତଳେ ପଡ଼ି ଆଦ୍ୟପ୍ରାନ୍ତ ସକଳ ବିଷୟ ନିବେଦନ କରି କୃତାଞ୍ଜଳିପୁଟରେ କ୍ଷମା ପ୍ରାର୍ଥନା କଲା ।

Image

 

ସହିଷ୍ଣୁତା ବିଷୟରେ ଉତ୍ତମ ଦୃଷ୍ଟାନ୍ତ

 

ଏକ କାଳରେ ଚୀନ ଦେଶର ସମ୍ରାଟ ଭ୍ରମଣ କରି କରି ଜଣେ ଗୃହସ୍ଥ ଘରଠାରେ ଉପସ୍ଥିତ ହେଲେ । ଦେଖିଲେ, ଗୃହସ୍ଥ ବ୍ୟକ୍ତି ଆପଣାର କଳତ୍ର, କେତେ ଗୁଡ଼ିଏ ପୁତ୍ର, ପୁତ୍ରବଧୁ, ପୌତ୍ର ଓ ଦାସଦାସୀ ଘେନି ଏକତ୍ର ନିର୍ବିବାଦରେ କାଳଯାପନ କରୁଅଛି । ରାଜା ଚତ୍ମକୃତ ହୋଇ ଗୃହସ୍ଥକୁ ପଚାରିଲେ, ତୁମ୍ଭେ କି ଉପାୟରେ ଏହି ସକଳ ଲୋକଙ୍କୁ ଏକତ୍ର ଶାନ୍ତ ରଖିଅଛ ? ଗୃହସ୍ଥ ବଚନଦ୍ୱାରା କିଛି ଉତ୍ତର ନ ଦେଇ କେବଳ ଏହି ତିନିଟି କଥା ଲେଖି ସମ୍ରାଟଙ୍କ ସମ୍ମୁଖରେ ରଖି ଦେଲା, ସହିଷ୍ଣୁତା, ସହିଷ୍ଣୁତା, ସହିଷ୍ଣୁତା ।

Image

 

ସୁଶୀଳତା

 

କର୍କଶ ଆଉ ଗର୍ବିତ ହେବା ଅପେକ୍ଷା, ସୁଶୀଳ ଆଉ ଶିଷ୍ଟ ହେଲେ ଅନେକ ସ୍ଥଳରେ ଆଦରଣୀୟ ଏବଂ ଅଭିଳଷିତ ଅର୍ଥ ସାଧନରେ କୃତକାର୍ଯ୍ୟ ହେବାର ଅଧିକ ସମ୍ଭାବନା ଅଛି । ତହିଁର କାରଣ ଏହି ଯେ, ବଳାତ୍କାର ଅଥବା ଭୟ ଦେଖାଇ କାହାରିକୁ କୌଣସି କର୍ମ କରାଇବାକୁ ଚେଷ୍ଟା କଲେ ସେ ନିଃସନ୍ଦେହ ତହିଁରେ ଅବଶ୍ୟ ଅସମ୍ମତ ହୁଏ, ପୁଣି ଆପଣାକୁ ଅପମାନଗ୍ରସ୍ତ ବୋଧ କରେ ସୁତରାଂ ତଦନୁଯାୟୀ କାର୍ଯ୍ୟ ସମ୍ପାଦନରେ କୌଣସିରୂପେ ତାହାର ପ୍ରବୃତ୍ତି ଜନ୍ମେ ନାହିଁ । ଆଉ ଯେବେ ଅନାୟତ୍ତ ହୋଇ ସମ୍ମତ ହୁଏ, ତେବେ ନିତାନ୍ତ ଅନିଚ୍ଛାପୂର୍ବକ ହେବ, ସନ୍ଦେହ ନାହିଁ, ଏବଂ ସେ ବ୍ୟକ୍ତି ସେହି କର୍ମ ଏମନ୍ତ ଅସୁନ୍ଦରରୂପେ କରିବ କି, ତାହା ଦେଖିଲେ ସନ୍ତୁଷ୍ଟ ନ ହୋଇ ବରଂ ବିରକ୍ତ ହେବାକୁ ହେବ । ମାତ୍ର ଯେବେ ଆମ୍ଭେମାନେ, ସୁଶୀଳତା ଓ ଶିଷ୍ଟାଚାର ଦେଖାଇ କାହାରିକୁ କୌଣସି କାର୍ଯ୍ୟ କରାଇବା, ତେବେ ସେ ପ୍ରସନ୍ନମନ ଓ ସନ୍ତୁଷ୍ଟ ଚିତ୍ତରେ ସେ କାର୍ଯ୍ୟ ସମ୍ପନ୍ନ କରିବ, ସନ୍ଦେହ ନାହିଁ ।

Image

 

ଆଲ୍‌ଫନ୍‌ସୋ

 

ବର୍ତ୍ତମାନ ସମୟରେ ଆଲ୍‌ଫନ୍‌ସୋ ଜଣେ ବଡ଼ ଭାଗ୍ୟବାନ୍ ରାଜା ଥିଲେ ନମ୍ରପ୍ରକୃତି ଓ ଦୟାଳୁସ୍ୱଭାବ କେବଳ ତାଙ୍କ ଉନ୍ନତିର ପ୍ରଧାନ କାରଣ । ଯେତେବେଳେ ସେ କେବଳ ଆରାଗନ୍‍ ପ୍ରଦେଶର ରାଜା ଥିଲେ, ସେତେବେଳେ ପ୍ରଜାମାନଙ୍କ ଅନୁରାଗ ଉପରେ ନିର୍ଭର କରି ନିଶ୍ଚିନ୍ତ ରହିଥିଲେ, ସୈନ୍ୟ ଲୋକାଦି ସଙ୍ଗେ ନ ନେଇ ନିଃଶଙ୍କୋଚିତ୍ତରେ ଏକାକୀ ସର୍ବତ୍ର ଗତାୟାତ କରନ୍ତି । ଦିନକରେ କୌଣସି ବ୍ୟକ୍ତି ତାଙ୍କୁ କହିଲା, ମହାରାଜ ! ଏରୂପ ଅସହାୟ ହୋଇ ଭ୍ରମଣ କଲେ ବିପଦ ଘଟିବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି । ତହିଁରେ ସେ ଉତ୍ତର କଲେ, ପୁତ୍ରମାନଙ୍କଠାରୁ ପିତାର କିଛି ଭୟ ନାହିଁ । ଏଥିର ଅଭିପ୍ରାୟ ଏହି ଯେ ତାଙ୍କର ନିଶ୍ଚୟ ଥିଲା, ଆମ୍ଭେ ପ୍ରଜାମାନଙ୍କୁ ପୁତ୍ରସମାନ ପ୍ରତିପାଳନ କରିଅଛୁଁ, ସେମାନେ କାହିଁକି ଆମ୍ଭର ଅମଙ୍ଗଳ ଚେଷ୍ଟା କରିବେ ?

 

ଏକ ସମୟରେ ଖଣ୍ଡେ ଜାହାଜ କେତେ ଗୁଡ଼ାଏ ଲୋକ ଓ ସୈନ୍ୟ ସହିତ ଜଳରେ ମଗ୍ନ ହେଉଥିବାର ଦେଖି ସେ ଏକ କ୍ଷୁଦ୍ର ନୌକାରେ ଚଢ଼ି ଏହି କଥା କହି ସେମାନଙ୍କ ପ୍ରାଣ ରକ୍ଷା ନିମନ୍ତେ ଗଲେ, ଆମ୍ଭେ ସମ୍ମୁଖରେ ଥାଇ ଏମାନଙ୍କର ବିପଦ ଦେଖି ପାରିବା ନାହିଁ, ବରଂ ସେମାନଙ୍କ ସହିତ ପ୍ରାଣତ୍ୟାଗ କରିବା । ସେ ଆପଣା ଅପକାରିମାନଙ୍କୁ କ୍ଷମା କରିବା ଲାଗି ମୁହୂର୍ତ୍ତେ ସୁଦ୍ଧା ପରାଙ୍‌ମୁଖ ନ ଥାନ୍ତି । କେତେ ସମ୍ଭ୍ରାନ୍ତ ଲୋକ ତାଙ୍କୁ ରାଜ୍ୟଚ୍ୟୁତ କରିବା ମାନସରେ ଗୁପ୍ତ ବିଚାର କରିଥିଲେ । ସେମାନଙ୍କ ନାମ ଆଉ ଅଭିପ୍ରାୟ ସମ୍ୱଳିତ ଖଣ୍ଡେ ପତ୍ର ତାଙ୍କ ହସ୍ତକୁ ଆସିବାରେ ସେ ତହିଁରେ ଦୃଷ୍ଟିପାତ ନ କରି ତତ୍‍କ୍ଷଣାତ୍‍ ଖଣ୍ଡ ଖଣ୍ଡ କରି ଚିରି ପକାଇ ଦେଲେ । ତାଙ୍କର ଏହି ସିଦ୍ଧାନ୍ତ ଥିଲା ଯେ, ସଜ୍ଜନମାନେ ନ୍ୟାୟ ଆଉ ଦୁର୍ଜନମାନେ ଦୟା ପ୍ରକାଶଦ୍ୱାରା ବଶୀଭୂତ ହୁଅନ୍ତି ।

 

ନେପ୍‌ଲସ୍ ଆଉ ସିସିଲିର ପୂର୍ବ ସ୍ୱାମୀ, ଆଲଫନ୍‍ସୋଙ୍କୁ ଆପଣା ରାଜ୍ୟାଧିକାର ପ୍ରଦାନ କରି ଯାଇଥିଲେ, ସୁତରାଂ ସେ ଉକ୍ତ ଉଭୟ ରାଜ୍ୟର ଯଥାର୍ଥ ଅଧିକାରୀ ଥିଲେ, ତଥାପି ତାଙ୍କୁ ତାଙ୍କୁ ଜଣେ ଶତ୍ରୁ ସଙ୍ଗେ ଯୁଦ୍ଧ କରି ରାଜ୍ୟାଧିକାର କରିବାକୁ ହୋଇଥିଲା । ସେଇ ଯୁଦ୍ଧରେ ତାଙ୍କ ଦୟା, ତାଙ୍କ ବଳବିକ୍ରମ ଅପେକ୍ଷା ଅଧିକ ସଫଳ ହୋଇଥିଲା । କେବଳ ଗୋଟିଏ ଦୟା କାର୍ଯ୍ୟଦ୍ୱାରା ସେ ଉତ୍କୃଷ୍ଟ ଜିଟା ନଗର ଅଧିକାର କରିଥିଲେ । ପ୍ରଥମେ ଶତ୍ରୁମାନେ ତାଙ୍କୁ ଉକ୍ତ ନଗର ସମର୍ପଣ କଲେ ନାହିଁ, ତଦନନ୍ତର ଆହାର ସାମଗ୍ରୀ ଅତ୍ୟଳ୍ପ ମିଳିବା ହେତୁରେ ଇଚ୍ଛାନୁସାରି ଭୋଜନାଭାବ ବଶରୁ ଅତ୍ୟନ୍ତ କ୍ଲେଶ ପାଇବାକୁ ହେଲା । ଆହାର ସାମଗ୍ରୀ ଅଧିକ ଦିନ ରହିବ ଏହି ଆଶୟରେ ସୈନ୍ୟମାନେ ଯାବନ୍ତ ସ୍ତ୍ରୀ, ବାଳକ, ଆଉ ବୃଦ୍ଧମାନଙ୍କୁ ନଗରରୁ ବାହାର କରି ଦେଲେ ଇଚ୍ଛା ହେଲେ ନଗରରେ ପ୍ରବେଶ କରାଇ ପାରିଥାନ୍ତେ, ତାହା ହେଲେ ଅତିଶୀଘ୍ର ବିପକ୍ଷମାନଙ୍କୁ ନଗର ସମର୍ପଣ କରିବାକୁ ହୋଇଥାନ୍ତା । ତାଙ୍କ ସେନାପତିମାନେ ସୁଦ୍ଧା ଏବିଷୟରେ ଅନେକ ଉପରୋଧ କରିଥିଲେ । କିନ୍ତୁ ତଦ୍ଦ୍ୱାରା ସେ ପୁରବାସୀମାନଙ୍କର କି ଦୂରାବସ୍ଥା ଘଟିବ ତାହା ଚିନ୍ତା କରି ତାଙ୍କର ହୃଦୟ ଦୟାରେ ତରଳ ହେଲା । ସେ କହିଲେ, ଶତସଂଖ୍ୟକ ଜିଟା ନଗର ଲାଭ ଅପେକ୍ଷା ଏତେ ଲୋକଙ୍କ ପ୍ରାଣ ରକ୍ଷା ଆମ୍ଭେ ଅଧିକ ଲାଭ ବୋଧ କରୁଁ । ଅନନ୍ତର ସେ ଉକ୍ତ ସମସ୍ତ ସ୍ତ୍ରୀ, ବାଳକ, ବୃଦ୍ଧମାନଙ୍କୁ ଆପଣା ଛାଉଣି ମଧ୍ୟକୁ ସ୍ୱଚ୍ଛନ୍ଦରେ ଯିବାଲାଗି ମାର୍ଗ ଛାଡ଼ି ଦେଲେ । ତାଙ୍କର ଏହିରୂପ ବ୍ୟବହାର ଦେଖି ପ୍ରଥମେ ସମସ୍ତେ ତାଙ୍କୁ ଉନ୍ମତ୍ତ ବୋଲି ସ୍ଥିର କଲେ । ମାତ୍ର କିଞ୍ଚିତ୍‍ କାଳ ପରେ ବୁଝି ପାରିଲେ, ଏଥିରେ କେବଳ ଦୟା ପ୍ରକାଶ ହୋଇଅଛି ଏମନ୍ତ ନୁହେଁ, ତହିଁରେ ଯଥେଷ୍ଟ ବିଜ୍ଞତାସୁଦ୍ଧା ପ୍ରକାଶ ପାଇଅଛି । ଯେହେତୁରୁ ପୁରବାସୀମାନେ ତାଙ୍କର ତାଦୃଶ ଦୟାଳୁତା ଦେଖିବାରେ ମୁଗ୍ଧ ହୋଇ ଆପଣା ଇଚ୍ଛାରେ ତାଙ୍କ ହସ୍ତରେ ନଗର ସମର୍ପଣ କଲେ ।

 

ଇଂରେଜୀ ୧୪୪୨ ସାଲରେ ଆଲ୍‌ଫନ୍‌ସୋ ନିର୍ବିବାଦରେ ନେପ୍‌ଲସ୍‌ ନଗରରେ ଆପେ ଅଧିକାର କଲେ । ସେହି ଦିନଠାରୁ ମରଣ ପର୍ଯ୍ୟନ୍ତେ ଛବିଶ ବର୍ଷ ଯାଏ ସେ ଇଟାଲି ଦେଶ ମଧ୍ୟରେ ଜଣେ ଅତି ପ୍ରଧାନ ଆଉ ପରାକ୍ରାନ୍ତ ନଗରପତି ବୋଲି ପରିଗଣିତ ହୋଇଥିଲେ । ଇତିହାସମାନଙ୍କରେ ଏହି ରାଜା ମହାତ୍ମା ଆଲ୍‍ଫନ୍‌ସୋ ବୋଲି ବିଖ୍ୟାତ ଅଟନ୍ତି ।

Image

 

ପରଦ୍ରବ୍ୟ ବିଷୟରେ ନ୍ୟାୟ

 

ପରିଶ୍ରମ କରି ଯେ ଯାହା ଲାଭ କରେ, ଅଥବା ଅନ୍ୟ ଲୋକଠାରୁ ଯାହା ପାଏ, ତାହା ତାହାରି ଦ୍ରବ୍ୟ, ଅନ୍ୟର ସେଥିରେ ଅଧିକାର ନାହିଁ । ଯେବେ ଅନ୍ୟ ଲୋକ ବଳାତ୍କାର ଅଥବା ଛଳରେ କିମ୍ୱା ନ ଜାଣିବାରେ ସେ ଦ୍ରବ୍ୟ ନିଏ, ତେବେ ତାକୁ ଚୋରୀ କହନ୍ତି । ବାଳିକାମାନେ ପିତାମାତାଠାରୁ ପଢ଼ିବା ନିମନ୍ତେ ପୁସ୍ତକ ପାନ୍ତି, ଲେଖିବାଲାଗି କାଗଜ କଲମ ପାନ୍ତି, ଏବଂ କୌଣସି କୌଣସି ବିଷୟରେ ବ୍ୟୟ କରିବାପାଇଁ କେବେ କେବେ ଟଙ୍କା ପଇସାସୁଦ୍ଧା ପାନ୍ତି । ଏହିରୂପେ ଯେଉଁ ବାଳକ ଯେଉଁ ଦ୍ରବ୍ୟ ପାଏ, ତାହା ତାହାରି ହୁଏ । ଯେବେ କୌଣସି ଦୁଷ୍ଟ ବାଳକ ସେ ବାଳକର ଅସମ୍ମତିରେ ତାହା ପୁସ୍ତକ, କାଗଜ, କଲମ, ଟଙ୍କା ଅଥବା ପଇସା ଘେନି ଯାଏ ତେବେ ତାକୁ ଚୋରୀ କଲା ବୋଲି କହନ୍ତି । ସେହିରୂପେ ଯେବେ କୌଣସି ବ୍ୟକ୍ତି ପରିଶ୍ରମ କରି ନ୍ୟାୟ ମାର୍ଗରେ ଧନ ଉପାର୍ଜନ କରେ, ପୁନଶ୍ଚ ଆଉ ଜଣେ ତାହା ଅସମ୍ମତିରେ ସେଇ ଧନ ଘେନି ଯାଏ, ତେବେସୁଦ୍ଧା ଚୋରୀ ବୋଲି କୁହାଯାଏ ।

 

ଚୋରୀ କରିବା ଅତି ମନ୍ଦ କର୍ମ । ଦେଖ, ଯେଉଁ ଲୋକ ପ୍ରାଣପଣରେ ପରିଶ୍ରମ କି ଉପାର୍ଜନ କଲା, ସେ ଆପଣା ପରିଶ୍ରମାର୍ଜିତ ଧନ ଭୋଗ କରି ପାରିଲା ନାହିଁ, ଆଉ ସେ ଧନ ଉପାର୍ଜନ କରିବାଲାଗି ଯେ ମୁହୂର୍ତ୍ତେସୁଦ୍ଧା ପରିଶ୍ରମ କରି ନାହିଁ, ସେ ଅନାୟାସରେ ସେ ଧନକୁ ହସ୍ତଗତ କରି ଭୋଗ କଲା । ବିବେଚନା କରି ଦେଖିଲେ ଇହାଠାରୁ ଆଉ କି ଅନ୍ୟାୟ ଅଛି ? ଏହେତୁରୁ ନୀତିଜ୍ଞମାନେ ପରଦ୍ରବ୍ୟ ଚୋରୀ ନ କରିବାପାଇଁ ଏତେ ନିଷେଧ କରିଅଛନ୍ତି, ମଧ୍ୟ ଏହି ହେତୁରୁ ଚୋରମାନେ ରାଜଦ୍ୱାରେ ଦଣ୍ଡ ପାଉଅଛନ୍ତି ।

 

କେହି କଦାପି ପରଦ୍ରବ୍ୟ ଅପହରଣ କରିବ ନାହିଁ, ମନୁଷ୍ୟ ମାତ୍ରର ଏହି ନିୟମ ପ୍ରତିପାଳନ କରିବା ଆବଶ୍ୟକ ଅଟେ । ଯେବେ ଏ ନିୟମ କେହି ନ ମାନିବ, ଅର୍ଥାତ୍ ସମସ୍ତେ ଆପଣା ଆପଣା ଇଚ୍ଛା ପ୍ରମାଣେ ପରଦ୍ରବ୍ୟ ହରଣ କରିବାର ଆରମ୍ଭ କରିବେ, ତେବେ ପରିଶ୍ରମ ବୋଲି ଯେଉଁ ପ୍ରଥା ଅଛି ତାହା ଏକାବେଳକେ ରହିତ ହୋଇଯିବ । ଯେହେତୁରୁ ଯାବନ୍ତ ଲୋକେ ଏହି ମାନସରେ ପରିଶ୍ରମ କରି ଧନ ଉପାର୍ଜନ କରନ୍ତି ଯେ, ସେମାନେ ଆପଣା ଆପଣା ପରିଶ୍ରମଲବ୍ଧ ଧନର ଅଧିକାରୀ ହେବେ, ନିର୍ବିବାଦରେ ତାହା ଭୋଗ କରିବେ, ଏବଂ କୌଣସି ବିପଦ କିମ୍ବା କିଛି ବିଶେଷ ଦୁଃଖ ଉପସ୍ଥିତ ହେଲେ ତହିଁରେ ତାହା ନିବାରଣ ହୋଇପାରିବ । ମାତ୍ର ଯେବେ ସେମାନେ ଅନ୍ୟାୟରୂପେ ଆପଣା ପରିଶ୍ରମସାଧ୍ୟ ଧନରେ ବଞ୍ଚିତ ହେବେ, ତେବେ ଆଉ କାହିଁକି ବୃଥା ପରିଶ୍ରମ କରିବାକୁ ସେମାନଙ୍କର ପ୍ରବୃତ୍ତି ଜନ୍ମିବ, ମଧ୍ୟ ଅନ୍ୟ ଲୋକେ ବା ଦେଖି, ଶୁଣି ଆଉ କାହିଁକି ପରିଶ୍ରମ କରିବାକୁ ପ୍ରବର୍ତ୍ତ ହେବେ ?

 

କିନ୍ତୁ ଏଥିଉତ୍ତାରୁ ଆଉ ଯେବେ କେହି ପରିଶ୍ରମ ନ କରିବ ତେବେ ସଂସାର ଅଳ୍ପକାଳ ମଧ୍ୟରେ ନିଃସନ୍ଦେହ ରୂପେ ଦୁଃଖର ସ୍ଥାନ ହେବ । ସମସ୍ତେ ପରିଶ୍ରମର ବିମୁଖ ହେଲେ, କିଏ କୃଷି କର୍ମ ନିର୍ବାହ କରିବ ? କିଏ ଗୃହାଦି ନିର୍ମାଣ କରିବ ? କିଏ ଲୁଗା ବୁଣିବ ? ଅର୍ଥାତ୍‍ ଏ ପ୍ରକାର ହେଲେ ଅଶନ, ବସନ, ବାସଗୃହ ପ୍ରଭୃତି ସକଳ ବିଷୟର ଅଭାବ ଏବଂ ସେହେତୁରୁ ବିଶେଷ କ୍ଲେଶ ହେବ । ଅତଏବ ପ୍ରଶାନ୍ତ ହେଲେହେଁ ପରିଦ୍ରବ୍ୟ ସ୍ପର୍ଶ କରିବା ଉଚିତ୍ ନୁହେଁ । ଏ ବିଷୟରେ ଏମନ୍ତ ସାବଧାନ ହେବା ଆବଶ୍ୟକ ଯେ, ପରର ଗୋଟିଏ ତୃଣ ସୁଦ୍ଧା ତାହା କର୍ତ୍ତାର ବିନାନୁମତିରେ ଗ୍ରହଣ କରିବାକୁ ହେବ ନାହିଁ ।

 

ଅନେକ ବାଳକଙ୍କର ଏରୂପ ସ୍ୱଭାବ ଅଛି ଯେ, ପରଦ୍ରବ୍ୟ ଦେଖିଲା ମାତ୍ରେ ତାହା ନେବା ଲାଗି ନିତାନ୍ତ ଚଞ୍ଚଳ ହୁଅନ୍ତି । କେହି କେହି ସୁଯୋଗ ପାଇଲେ ଚୋରୀ କରନ୍ତି । ମାତ୍ର ସେ ରୂପ ଦୁଷ୍ଟ ବାଳକ ଏ କଥା ମନେ ରଖୁ, କି ଅନ୍ୟ ବାଳକ କିମ୍ବା ବାଳିକା ତାହାର କୌଣସି ଦ୍ରବ୍ୟ ଚୋରୀ କଲେ ସେ କି ମନେ କରନ୍ତା ? ସେ କି ତହିଁରେ ସନ୍ତୁଷ୍ଟ ହେବ, ଆଉ ଚୋର ବାଳକକୁ ସୁଶୀଳ ପୁଣି ସଚ୍ଚରିତ୍ର କହିବ ? କଦାପି ନୁହେଁ । ସେ ଅବଶ୍ୟ ଦୁଃଖିତ ଆଉ ଅସନ୍ତୁଷ୍ଟ ହେବ, ଏବଂ କ୍ଷତି ହେଲା ବୋଲି ଜାଣିବ, ମଧ୍ୟ ଚୋରକୁ ଅତି ଦୁଶ୍ଚରିତ୍ର ଓ ଅଧମ କହିବ । ସେହି ରୂପେ ସେ ଯାହାର କୌଣସି ଦ୍ରବ୍ୟ ଚୋରୀ କରିବ, ସେ ଲୋକସୁଦ୍ଧା ସେହି ରୂପ ଦୁଃଖିତ ଆଉ ଅସନ୍ତୁଷ୍ଟ ହେବ, ଏବଂ ତାକୁ ଚୋର ବୋଲି ଘୃଣା କରିବାର ସନ୍ଦେହ କି ?

 

ବାସ୍ତବ ଚୋର ହେବା କିମ୍ବା ଚୋରୀର ଇଚ୍ଛା କରିବା ଅତି ମନ୍ଦ କର୍ମ । ଦେଖ, ଧରାପଡ଼ିଲେ ଚୋରର କେତେ ଦଣ୍ଡ । କେବେ କେବେ ଚୋରକୁ ଚିରକାଳ ଅର୍ଥାତ୍‍ ଯାବଜ୍ଜୀବନ କଏଦ ରହିବାକୁ ହୁଏ । କାରାଗାରରେ କ୍ଲେଶର ସୀମା ନାହିଁ । ପିତାମାତା ଭାଇ ବନ୍ଧୁ, ଆତ୍ମୀୟ ସ୍ୱଜନ, କାହାରି ସଙ୍ଗେ ସାକ୍ଷାତ ହୁଏ ନାହିଁ । ଖାଇବା, ଶୋଇବାରେ ଅତି ଦୁଃଖ ଏବଂ ସର୍ବଦା ମାନସିକ ପୀଡ଼ା ହୁଏ, ଚୋର ଯେତେବେଳେ ଚୋରୀ କରିବାକୁ ଯାଏ, ମନେ କରେ କଦାପି ଧରାପଡ଼ିବ ନାହିଁ । ମାତ୍ର କେମନ୍ତ ଧର୍ମର ବଳ, ପ୍ରାୟ କୌଣସି ଚୋର ଧରା ନ ପଡ଼ି ପଳାଇ ଯାଇ ନ ପାରେ । ତାକୁ ଧରିବା ଲାଗି ଏତେ ଉପାୟ ଓ ମାର୍ଗ ଅଛି ଯେ, ତାହା ସବୁ ସେ ସ୍ୱପ୍ନରେ ଜାଣି ନ ଥାଏ । ଚୋର ଧରା ପଡ଼ିଲେ ସେ କେତେ ତିରସ୍କାର ପୁଣି ଦଣ୍ଡ ଭୋଗ କରେ ।

 

ଯେ ନ୍ୟାୟ ଅନ୍ୟାୟ ନ ଜାଣେ ସେ ଚୋର ହୁଏ । ଯେଉଁ ଲୋକ ନ୍ୟାୟ ମାର୍ଗରେ ଚାଲେ, ତାକୁ ନ୍ୟାୟପରାୟଣ କହନ୍ତି । ନ୍ୟାୟ ପରାୟଣ ଲୋକର ପରଦ୍ରବ୍ୟ ଚୋରୀ କରିବା ଅନ୍ୟାୟ ବୋଲି ବୋଧ ଥାଏ ଅତଏବ ପ୍ରଶାନ୍ତ ହେଲେ ମଧ୍ୟ ପରଦ୍ରବ୍ୟ ହରଣ କରିବାକୁ କାହାର ପ୍ରବୃତ୍ତି ହୁଏ ନାହିଁ । ଏହି ରୂପେ ପ୍ରବୃତ୍ତି ନ କରିବାକୁ ପରଦ୍ରବ୍ୟ ବିଷୟିଣୀ ନ୍ୟାୟପରତା କହନ୍ତି ।

Image

 

ନ୍ୟାୟପରାୟଣ ଜଣେ ଦ୍ୱାରୀ

 

ଯେଉଁ ଦ୍ରବ୍ୟରେ ଯାହାର ଅଧିକାର ଅଛି, ଅଧିକାରୀ ଆପଣା ଇଚ୍ଛାରେ ସ୍ୱତଃ ତ୍ୟାଗ ନ କଲେ ସେ ଦ୍ରବ୍ୟ ତାହାରି ହୁଏ । ଅତଏବ ଯେବେ କେହି କୌଣସି ଦ୍ରବ୍ୟ ହଜାଏ, ପୁଣି ସେ ଦ୍ରବ୍ୟ ଆମ୍ଭମାନଙ୍କ ହସ୍ତରେ ପଡ଼େ, ତେବେ ପୂର୍ବସ୍ୱାମୀ ଉପସ୍ଥିତ ହେଲା କ୍ଷଣି ତାକୁ ତାହା ଫେରି ଦେବାର ଉଚିତ୍ ।

 

ମିଲାନ ନଗରରେ କୌଣସି ଘରର ଦ୍ୱାରୀ ଦୈବାତ୍ ଦ୍ୱାରଦେଶରେ ଅନେକ ମୁଦ୍ରାପୂର୍ଣ୍ଣ ଗୋଟିଏ ଥଳି ପାଇଲା । କିନ୍ତୁ ତାହା ଆପେ ରଖିବ ବୋଲି ମନେ ସୁଦ୍ଧା ନ କରି ସେ ତତ୍‍କ୍ଷଣାତ୍‍ ଉକ୍ତ ବିଷୟର ଘୋଷଣା କରିଦେଲା । ଧନସ୍ୱାମୀ ସମ୍ବାଦ ପାଇଲା ମାତ୍ରେ ଦ୍ୱାରୀ ନିକଟରେ ଉପସ୍ଥିତ ହୋଇ ଆପେ ସେ ଧନର ଅଧିକାରୀ ବୋଲି ପ୍ରମାଣ କରି ଆପଣା ଧନ ପ୍ରାପ୍ତ ହେଲା ।

 

ଦ୍ୱାରୀର ଏହି ଅସାଧାରଣ ସାଧୁତା ଦେଖି ପ୍ରୀତ ଓ ଚମକୃତ ହୋଇ କୃତଜ୍ଞତା ଦେଖାଇବା ଲାଗି ସେ ତାକୁ ପଚାଶ ଟଙ୍କା ପାରିତୋଷିକ ସ୍ୱରୂପ ଦେବାକୁ ଉଦ୍ୟତ ହେଲା । କିନ୍ତୁ ଦ୍ୱାରୀ କହିଲା, ଆପଣା କର୍ତ୍ତବ୍ୟ କର୍ମ ମାତ୍ର କରିଅଛୁଁ, କି ହେତୁରୁ ପାରିତୋଷିକ ନେବା ? ଏ କଥା ଶୁଣି ସେ ବ୍ୟକ୍ତି ତୁମ୍ଭେ ଅବଶ୍ୟ ବାରଟି ଟଙ୍କା ନିଅ ବୋଲି କହିଲା । ମାତ୍ର କର୍ତ୍ତବ୍ୟ କର୍ମ ନ କରି ପାରିତୋଷିକ ନେବା ଅନୁଚିତ୍, ଏହି କଥା ବିବେଚନା କରି ଦ୍ୱାରବାନ୍ ତାହା ସୁଦ୍ଧା ନେବାକୁ ସ୍ୱୀକାର ନ କରିବାରେ ସେ ମୁଦ୍ରାଯାକ ତଳେ ପକାଇ ଦେଇ କହିଲା, ଯେବେ କିଛି ନ ନେବ ତେବେ ଆମ୍ଭେସୁଦ୍ଧା ନେବା ନାହିଁ, ଏ ଆମ୍ଭର ଧନ ନୁହେଁ । ଧାର୍ମକି ଦ୍ୱାରବାନ୍‍ ଧନସ୍ୱାମୀର ସନ୍ତୋଷ ନିମନ୍ତେ ଅନାୟତ୍ତ ହୋଇ ବାର ଟଙ୍କା ନେଲା, ମାତ୍ର ତତ୍‍କ୍ଷଣାତ୍‍ ସେ ଟଙ୍କା ଦୀନ ଦରିଦ୍ର ଅନାଥ ଲୋକଙ୍କୁ ଦାନ କରି ଦେଲା ।

Image

 

ମୋଜେସ୍ ରଥ୍‌ଚାଇଲ୍ଡ଼୍

 

ଜର୍ମନି ଦେଶରେ ରାଜଧାନୀ ଫ୍ରାଙ୍କଫୋର୍ଟ ନଗରରେ ମୋଜେସ୍ ରଥ୍‌ଚାଇଲ୍ଡ଼୍ ବୋଲି ଜଣେ ଯିହୁଦୀ-ଜାତୀୟ ବଣିକ ଥିଲା । ସେ ତାଦୃଶ୍ୟ ଭାଗବନ୍ତ ନ ଥିଲା, କିନ୍ତୁ ଧର୍ମ ପରାୟଣ ବୋଲି ତାହାର ବିଶେଷ ଖ୍ୟାତି ଥିଲା । ଫରାସୀ ସୈନ୍ୟ ଜର୍ମନି ଆକ୍ରମଣ କଲାରୁ, ହେସିକାସଲର ରାଜା ଆପଣା ରାଜ୍ୟ ପରିତ୍ୟାଗ କରି ପଳାଇଗଲେ । ଫ୍ରାଙ୍କଫୋର୍ଟ ନଗର ମଧ୍ୟରେ ଯିବାବେଳେ, ପଛେ ସକଳ ସମ୍ପତ୍ତି ଶତ୍ରୁ ହସ୍ତରେ ପତିତ ହେବ, ଏହି ଭୟରେ ସେ ରଥ୍‌ଚାଇଲ୍ଡ଼୍ ନିକଟକୁ ଯାଇ କହିଲେ, ଆମ୍ଭର ଅନେକ ଟଙ୍କା ଏବଂ କେତେଗୁଡିଏ ମହାମୂଲ୍ୟ ରତ୍ନ ଅଛି, ତୁମ୍ଭକୁ ତାହା ସବୁ ରଖିବାକୁ ହେବ । ରଥ୍‍ଚାଇଲ୍ଡ଼୍ ଇଦୃଶ୍ୟ ଗୁରୁତର ଭାର ଗ୍ରହଣ କରିବାରେ ପ୍ରଥମେ ଅସମ୍ମତ ହେଲା; କିନ୍ତୁ ରାଜାଙ୍କୁ ନିତାନ୍ତ ବ୍ୟାକୁଳ ଦେଖି ଶେଷରେ ସେହି ଭାର ଗ୍ରହଣ କରିବାକୁ ସମ୍ମତ ହୋଇ କହିଲା, ଆମ୍ଭେ ଆପଣଙ୍କ ସମ୍ପତ୍ତି ରଖୁଅଛୁଁ, ମାତ୍ର ଧାରାନୁସାରେ ତାହା ପାଇବାର ସ୍ୱୀକାରପତ୍ର ଦେଇପାରିବୁଁ ନାହିଁ । ବିବେଚନା କରିବା ହେଉ, ଯେରୂପ ବିଷମ ସମୟ ଉପସ୍ଥିତ ହୋଇଅଛି, ତହିଁରେ ଆମ୍ଭେ ଏହି ସମ୍ପତ୍ତି ରକ୍ଷା କରି ମହାରାଜାଙ୍କ ପ୍ରତ୍ୟାର୍ପଣ କରିବୁଁ ବୋଲି ଲେଖି ଦେଇ ପାରିବୁଁ ନାହିଁ । ରାଜା ତାଙ୍କ ଧର୍ମପରାୟଣତା ଖ୍ୟାତି ଉପରେ ନିର୍ଭର କରି ତହିଁରେ ସମ୍ମତ ହେଲେ, ଏବଂ ବହୁ ଲକ୍ଷ ଟଙ୍କାର ସମ୍ପତ୍ତି ତାଙ୍କ ହସ୍ତରେ ସମର୍ପଣ କରି ଚାଲି ଗଲେ ।

 

ଫରାସୀ ସୈନ୍ୟ ଫ୍ରାଙ୍କଫୋର୍ଟ ନଗରରେ ପହଞ୍ଚିବା ମାତ୍ରେ ରଥଚାଇଲ୍ଡ଼୍ ସତ୍ୱର ହୋଇ ଆପଣା ଉଦ୍ୟାନର ଏକ କୋଣରେ ସେହି ଅପରିମିତ ରାଜସମ୍ପତ୍ତି ପୋତି ପକାଇଲା; କିନ୍ତୁ ଆପଣା ସମ୍ପତ୍ତି ଲୁଚାଇଲା ନାହିଁ । ଆପଣାର ଷାଠିଏ ସହସ୍ର ଟଙ୍କାର ସମ୍ପତ୍ତି ଥିଲା । ଫରାସୀମାନେ ଆସି କେବଳ ତାକୁ ଘେନି ଚାଲି ଗଲେ, ତାହାଠାରେ ଆଉ ଅଧିକ ସମ୍ପତ୍ତି ଅଛି ବୋଲି ସନ୍ଦେହ କଲେ ନାହିଁ । ମାତ୍ର ଯେବେ ସେ ଆପଣା ସମ୍ପତ୍ତି ସୁଦ୍ଧା ଲୁଚାଇ, କିଛି ନାହିଁ ବୋଲି କହିଥାନ୍ତା, ତେବେ ସୈନ୍ୟମାନେ ନିଃସନ୍ଦେହ ସ୍ଥାନେ ସ୍ଥାନେ ଖୋଜିଥାନ୍ତେ ଏବଂ ତାହାର ଓ ରାଜାର ଦୁଇ ଜଣଙ୍କର ସମ୍ପତ୍ତି ଘେନି ଯାଇଥାନ୍ତେ । ସୈନ୍ୟମାନେ ନଗରରୁ ବାହାରିଗଲା ପରେ, ରଥଚାଇଲ୍ଡ଼୍ ରାଜାଙ୍କ ଧନ ବାହାର କରି ତହିଁରୁ କିଛି ନେଇ ଆପଣା କାର୍ଯ୍ୟରେ ଲଗାଇଲା, ଏବଂ କ୍ରମେ କ୍ରମେ ତାହା ବିଷୟ ବ୍ୟାପାର ଭାରି ହୋଇ ଯିବାରେ ଅଳ୍ପ ଦିନ ମଧ୍ୟରେ ବଡ଼ ଭାଗ୍ୟବନ୍ତ ହେଲା-

 

କେତେକ ବର୍ଷ ବାଦ ସନ୍ଧି ସ୍ଥାପନ ହେଲାରୁ, ହେସିକାସଲର ରାଜା ଆପଣା ରାଜ୍ୟକୁ ପୁନରାଗମନ କଲେ । ସେ ରଥଚାଇଲ୍ଡ଼୍ ଠାରେ ସମ୍ପତ୍ତି ରଖିଥିବା କଥା କହିବାକୁ ଭୟ କଲେ । ସେ ମନେ କରିଥାନ୍ତି କି, ଯଦ୍ୟପି ଫରାସୀମାନେ ଆମ୍ଭ ସମ୍ପତ୍ତି ଲୁଟି କରିନଥିବେ, ତଥାପି ତାହା ଘେନି ଯାଇ ଅଛନ୍ତି ବୋଲି ସେ କହିପାରେ । ମଧ୍ୟ ଏହିରୂପ କହି ଆମ୍ଭର ସମୁଦାୟ ସମ୍ପତ୍ତି ସେ ଆପଣାର କରିପାରିବେ । ବାସ୍ତବିକ ରଥଚାଇଲ୍ଡ଼୍‍ର୍‍ ଧର୍ମଜ୍ଞାନ ଅପେକ୍ଷା ଧନଲୋଭ ପ୍ରବଳ ହେଲେ ସେ କଦାପି ଲୋଭ ସମ୍ଭାଳି ପାରିନଥାନ୍ତା । ମାତ୍ର ଯେତେବେଳେ ରଥଚାଇଲ୍ଡ଼୍ ତାଙ୍କୁ କହି ପଠାଇଲେ ଆପଣଙ୍କର ସମୁଦାୟ ସମ୍ପତ୍ତି ଆମ୍ଭଠାରେ ନିର୍ବିଘ୍ନରେ ଅଛି, ବର୍ତ୍ତମାନ ସମୁଦାୟ ଟଙ୍କା ଶତକଡ଼ା ପାଞ୍ଚ ଟଙ୍କା ସୁଧ ସହିତ ଫେରାଇ ନେବା ହେଉ, ସେତେବେଳେ ସେ ନିତାନ୍ତ ବିସ୍ମୟାପନ୍ନ ହୋଇ ରଥଚାଇଲ୍ଡ଼୍ ଯେରୂପେ ରାଜାଙ୍କ ସମ୍ପତ୍ତି ରକ୍ଷା କରିଥିଲା, ତାହା ସମୁଦାୟ କହିଲା, ଆପଣଙ୍କର ଧନ ବଞ୍ଚାଇବାରେ ଆମ୍ଭର ସର୍ବନାଶ ହୋଇ ଯାଇଥିଲା, ସେହେତୁରୁ ଋଣ ସ୍ୱରୂପ ମହାରାଜାଙ୍କ ଧନରୁ କିଞ୍ଚିତ୍‍ ନେଇ ଆପଣାର କାର୍ଯ୍ୟ ବ୍ୟାପାର କରିଥିଲୁଁ, ଅପରାଧ କ୍ଷମା କରିବା ହେବ ।

 

ରଥଚାଇଲ୍‍ଡ୍‍ର ଏହି ଅସାଧାରଣ ସରଳତା ଆଉ ଧର୍ମପରାୟଣତା ଦେଖି ରାଜା ଏ ରୂପ ମୁଗ୍ଧ ହେଲେ ଯେ, ସେ ଆପଣାର ସମୁଦାୟ ସମ୍ପତ୍ତି ଅତି ଅଳ୍ପ ସୁଧରେ ଉକ୍ତ ଧାର୍ମିକ ଠାରେ ରଖାଇ ଦେଲେ, ଏବଂ କୃତଜ୍ଞତା ଦେଖାଇବା ଲାଗି ଅନେକ ୟୁରୋପୀୟ ରାଜାଙ୍କଠାରେ ତାକୁ ଉତ୍ତମ ଋଣଦାତା ବୋଲି ପରିଚୟ କରାଇ ଦେଲେ । ପ୍ରୟୋଜନ ହେଲା ସମୟରେ ସମସ୍ତ ରାଜାମାନେ ଋଣ ଗ୍ରହଣ କରିବାର ଆରମ୍ଭ କଲେ । ଏହି ରୂପେ ରଥଚାଇଲ୍ଡ଼୍ ଅନେକ ଟଙ୍କା ସୁଧରେ ଲଗାଇ ଭାଗ୍ୟବନ୍ତ ହେଲା । କ୍ରମେ କ୍ରମେ ସେ ଅପରିମିତ ଧନ ସଞ୍ଚୟ କଲା ଏବଂ ତାହାର ତିନି ପୁତ୍ରଙ୍କୁ ଲଣ୍ଡନ, ପ୍ୟାରିସ୍ ଓ ବିୟେନା, ଇଉରୋପର ଏହି ତିନି ପ୍ରଧାନ ରାଜଧାନୀରେ ସେଇ ବ୍ୟବସାୟରେ ନିଯୁକ୍ତ କଲା । ସେ ତିନି ଜଣ ଏମନ୍ତ ଐଶ୍ୱର୍ଯ୍ୟଶାଳୀ ହୋଇଥିଲେ କି ଭୂମଣ୍ଡଳରେ ଆଉ କେହି କଦାପି ସେ ରୂପ ହୋଇନାହିଁ । ଯେ ଲଣ୍ଡନ ନଗରରେ ଥିଲା ସେ ମରିବା ସମୟରେ ସାତ କୋଟି ଟଙ୍କାର ସମ୍ପତ୍ତି ରଖି ଯାଇଥିଲା । ଆଉ ଦୁଇଜଣଙ୍କର ସମ୍ପତ୍ତି ବୋଧ ହୁଏ କି ତାହାଠାରୁ ନୂନ୍ୟ ନ ଥିଲା । ଏହି ସକଳ ସମ୍ପତ୍ତିର ମୂଳ କାରଣ ମୋଜେସ୍ ରଥଚାଇଲ୍‍ଡ୍‍ର ଅସାଧାରଣ ଧର୍ମପରାୟଣତା ।

Image

 

ପରକୀୟା ଖ୍ୟାତି ବିଷୟିଣୀ ନ୍ୟାୟପରତା

 

ଧନ, ଗୃହ, ଭୂମି ପ୍ରଭୃତି ସମ୍ପତ୍ତିକି ଛାଡ଼ି ଅନ୍ୟ ଅନ୍ୟ ନାନା ପ୍ରକାର ସମ୍ପତ୍ତି ଅଛି । ଲୋକେ ସେଇ ସବୁ ସମ୍ପତ୍ତିକି ସୁଦ୍ଧା ମହାମୂଲ୍ୟ ଜ୍ଞାନ କରନ୍ତି, ଏବଂ ତାହା ନଷ୍ଟ ହେଲେ ଅତିଶୟ କ୍ଷତି ଆଉ ଅପକାର ବୋଧ କରନ୍ତି । ତନ୍ମଧ୍ୟରେ ସୁଖ୍ୟାତି ଏକ ପରମ ଧନ ଅଟେ । କୌଣସି ବ୍ୟକ୍ତି ସାଧୁ ବୋଲି ଅନ୍ୟ ସାଧାରଣ ଲୋକଙ୍କର ଯେଉଁ ପ୍ରତୀତି ଜନ୍ମେ ତାକୁ ସୁଖ୍ୟାତି କହନ୍ତି । ଯେତେବେଳେ କୌଣସି ଲୋକ ସୁଜନ ଆଉ ସାଧୁ ବୋଲି ବିଖ୍ୟାତ ହୋଇଥାଏ, ସମସ୍ତେ ତାକୁ ସମାଦର କରନ୍ତି, ସେ ସମସ୍ତଙ୍କର ବିଶ୍ୱାସପାତ୍ର ହୁଏ, ସମସ୍ତ ତାକୁ କର୍ମରେ ନିଯୁକ୍ତ କରନ୍ତି, ସମସ୍ତେ ତାହା ପକ୍ଷରେ ଶ୍ରେୟସ୍କର କଥା କହନ୍ତି, ବାସ୍ତବ ସୁଖ୍ୟାତି ଦ୍ୱାରା ନାନା ପ୍ରକାରେ ଲୋକଙ୍କର ଶ୍ରୀବୃଦ୍ଧି ହୁଏ ।

 

ସମସ୍ତ ସଜ୍ଜନ ଲୋକଙ୍କର ସୁଖ୍ୟାତିପ୍ରାପ୍ତ ହେବା ଆବଶ୍ୟକ । ସୁଖ୍ୟାତିରେ ସେମାନଙ୍କର ସମ୍ପୂର୍ଣ୍ଣ ଅଧକାର ଅଛି । ଯେବେ ସେମାନେ ସୁଖ୍ୟାତି ଲାଭ କରନ୍ତି, ତେବେ ସେମାନଙ୍କ ଗୁଣର କିଛି ପୁରସ୍କାର ହୁଏ । ସୁଖ୍ୟାତି ଲାଭ ହେଲେ ସେମାନଙ୍କର ଆପଣା ସାଧୁତା ରକ୍ଷା ବିଷୟରେ ବିଶେଷ ଉତ୍ସାହ ଜନ୍ମେ । ମାଏ ଯେବେ ଆମ୍ଭେମାନେ ଏତାଦୃଶ ଲୋକଙ୍କର ସୁଖ୍ୟାତି ନ କରିବା କିମ୍ବା ବିଶିଷ୍ଟ କାରଣ ବ୍ୟତିରେକେ ସେମାନଙ୍କ ସୁଖ୍ୟାତି ଲୋପ କରିବା, ତେବେ ଯଥେଷ୍ଟ ଅପକାର ହୁଏ । ସାଧୁତାର ପୁରସ୍କାର ନାହିଁ ବୋଲି ମନେ କରି ସାଧୁ ହେବା ଲାଗି ସେମାନଙ୍କର ଆଉ ତାଦୃଶ ଉତ୍ସାହ ରହିପାରିବ ନାହିଁ, ଏବଂ ଏ କଥା ମଧ୍ୟ ସମ୍ଭବ ଯେ ଅନ୍ୟ ଅନ୍ୟ ଲୋକେ ସାଧୁତାରର ଏ ରୂପ ଅନାଦର ଦେଖିବାରେ ଭଗ୍ନୋତ୍ସାହ ହୋଇ ସାଧୁ ହେବାକୁ ଯତ୍ନବାନ ନୋହି ପାରନ୍ତି । ଅତଏବ ସ୍ପଷ୍ଟ ଦେଖା ଯାଉଅଛି, ଯାହାର ଯେମନ୍ତ ଗୁଣ ଅଛି ତାହାର ତଦନୁରୂପ ସୁଖ୍ୟାତି ପ୍ରାପ୍ତି ଅତ୍ୟନ୍ତ ଆବଶ୍ୟକ ।

 

ଦୁରାତ୍ମାମାନେ ଦୁଇ ପ୍ରକାରେ ଅନ୍ୟ ଲୋକଙ୍କର ସୁଖ୍ୟାତି ଲୋପ କରନ୍ତି । ତନ୍ମଧ୍ୟରେ ପ୍ରଥମ ଏହି, ଯେଉଁ ସବୁ କର୍ମ ଅତ୍ୟନ୍ତ ନିନ୍ଦିତ ବୋଲି ଖ୍ୟାତ, ତାହା ତାଙ୍କ ଉପରେ ଆରୋପ କରନ୍ତି, ଯଥା ଅମୁକ ବ୍ୟକ୍ତି ଏହି କୁକର୍ମ କରିଅଛି, ଅଥବା ଅମୁକ ଲୋକ ଏହି ସବୁ ଅବଶ୍ୟ କର୍ତ୍ତବ୍ୟ କର୍ମ କରେ ନାହିଁ । ଏହି କଥାକୁ ଅପବାଦ କହନ୍ତି । ଦ୍ୱିତୀୟ ଉପାୟ ଏହି, ସେମାନେ ତାଙ୍କ ଗୁଣ ସମୂହରେ ଅବଜ୍ଞା ଦେଖାନ୍ତି ଅଥବା ସେ ବାସ୍ତବିକ ଯେଉଁ ସତ୍‍ କର୍ମ କରନ୍ତି ତାହା ମନ୍ଦ ଅଭିପ୍ରାୟରେ କରେ ବୋଲି ପ୍ରକାଶ କରିବା ପାଇଁ ଚେଷ୍ଟା କରନ୍ତି । ଏ କଥାକୁ ଅସୂୟା କହନ୍ତି । ଏହି ରୂପ ଅପବାଦ ଦେଇ, ଅଥବା ଅସୂୟାଦ୍ୱାରା, କୌଣସି ବ୍ୟକ୍ତିର ସୁଖ୍ୟାତି ଲୋପ କରିବା, ତାହା ସମ୍ପତ୍ତି ହରଣ କରିବା ତୁଲ୍ୟ ଗର୍ହିତ, ସନ୍ଦେହ ନାହିଁ ।

 

ଅତଏବ ତାହାରି ବିଷୟରେ କିଛି ବୋଲିବାକୁ ହେଲେ ସାବଧାନ ହୋଇ କଥା କହିବା ଉଚିତ । କାହିଁକି ନା, ଯେବେ ଆମ୍ଭେମାନେ ଥରେ କାହାରି ଦୁର୍ନାମ ଖ୍ୟାତ କରାଇ ଦେବା, ତେବେ ଆଉ ତାହା କ୍ଷାଳନ କରିବା ଦୁଃସାଧ୍ୟ । ଯେଉଁ ବାକ୍ୟ ଥରେ ମୁଖରୁ ବାହାରିଯାଏ ତାହା ଆଉ ଲେଉଟାଇବାର ମାର୍ଗ ନାହିଁ । ଜଣେ ଶୁଣି ଅନ୍ୟ ଜଣକୁ କହେ, ସେ ଲୋକସୁଦ୍ଧା ଅନ୍ୟ ବ୍ୟକ୍ତିକୁ କହେ । ଏହି ରୂପେ ସେଇ ବାକ୍ୟ କ୍ରମେ କ୍ରମେ ଯେତେ ଦୂର ପ୍ରଚାରିତ ହୁଏ ସେତେ ତହିଁରେ ଲୋକେ ଅଧିକ ମିଥ୍ୟା କଥା ସଂଯୁକ୍ତ କରି ବଢ଼ାନ୍ତି । ଶେଷରେ ତାହା ପ୍ରଥମୋଦିତ ବାକ୍ୟର ଅଭିପ୍ରାୟ ଅପେକ୍ଷା ନାନା ଅଂଶରେ ବିରୁଦ୍ଧ ହୋଇଯାଏ । ଏହି ରୂପେ ଲୋକେ ଅପବାଦଗ୍ରସ୍ତ ହୁଅନ୍ତି । ମାତ୍ର କି ହେତୁରୁ ଏରୂପ ଅପବାଦ ହେଲା ସେମାନେ ତାହା କଦାପି ଜାଣି ନ ପାରନ୍ତି ।

 

ଯେ ମାନବ ଜାତିର ସୁଖ୍ୟାତି ଲୋପ କରିବା ଅନ୍ୟାୟ ବିବେଚନା କରି ତଦ୍ୱିଷୟରେ ସାବଧାନ ହେବାକୁ ଅଭିଳାଷ କରନ୍ତି, ଅପବାଦସୂଚକ ବାକ୍ୟ କହିବା, ଏବଂ ତଦ୍ୱିଷୟରେ ଯେଉଁ ଯେଉଁ ବଚନ ତାଙ୍କ କର୍ଣ୍ଣଗୋଚର ହୁଏ ତାହା ଅନ୍ୟ ଲୋକକୁ କହିବା, ତାଙ୍କର କୌଣସି ରୂପେ ଉଚିତ ନୁହେ । ଏହି ରୂପ ଜ୍ଞାନକୁ ପରକୀୟ ଖ୍ୟାତି ବିଷୟିଣୀ ନ୍ୟାୟପରତା କୁହାଯାଏ ।

Image

 

ମିଥ୍ୟାପବାଦରେ ସକ୍ରେଟିସର ପ୍ରାଣଦଣ୍ଡ

 

ଜେନଫନ୍ ନାମରେ ଗ୍ରୀସଦେଶୀୟ ଜଣେ ପଣ୍ଡିତ କହିଅଛନ୍ତି, ସକ୍ରେଟିସ୍‍ ଏମନ୍ତ ଧାର୍ମିକ ଥିଲା ଯେ, ଦେବତାମାନଙ୍କ ସମ୍ମତି ନ ବୁଝି କୌଣସି କର୍ମରେ ପ୍ରବୃତ୍ତ ହେଉ ନ ଥିଲା । ଏମନ୍ତ ନ୍ୟାୟପରାୟଣ ଆଉ ଦୟାଳୁ ଥିଲା କି, କଦାପି କାହାରି ଅଣୁ ପ୍ରମାଣେ ଅପକାର କରୁ ନ ଥିଲା, ବରଂ ଅନେକ ଲୋକଙ୍କର ମହୋପକାର କରିଥିଲା; ମଧ୍ୟ ଏମନ୍ତ ବିଜ୍ଞ ଥିଲା କି ଅତି ଦୁରୂହ ବିଷୟ ଉପସ୍ଥିତ ହେଲେ ସୁଦ୍ଧା ଅନ୍ୟ ଲୋକଙ୍କୁ ପରାମର୍ଶ ନ ପଚାରି ନିଜେ ସେ ବିଷୟର ଉପାୟ ଚିନ୍ତା ଆଉ କର୍ତ୍ତବ୍ୟ କଥା ନିଶ୍ଚୟ କରି ପାରୁଥିଲା । ସେ ଧର୍ମର ଅତିଶୟ ଗୌରବ କରୁଥିଲା ଏବଂ ଭୋଗ ସୁଖରେ କିଞ୍ଚିନ୍ମାତ୍ର ଆସକ୍ତ ନ ଥିଲା । ଯହିଁରେ ମନୁଷ୍ୟମାନେ ନ୍ୟାୟ ପଥରେ ଚଳିବେ ଆଉ ସୁଖୀ ହୋଇ ପାରିବେ, ଏହି ଚେଷ୍ଟାରେ ସେ ଯାବଜ୍ଜୀବ କାଳକ୍ଷେପଣ କଲା । ଏହି ରୂପେ ଅସାଧାରଣ ଗୁଣ ସମ୍ପନ୍ନ ହୋଇଥିଲେ ହେଁ ସେ ମିଥ୍ୟାପବାଦରୁ ମୁକ୍ତ ହୋଇ ନ ପାରିଲା ।

 

ଏଥିନୀ ନାମଧେୟ ନଗରରେ କେତେକ ଜଣ ପଣ୍ଡିତ ଥିଲେ, ସେମାନେ ଯଥାର୍ଥ ଧର୍ମତତ୍ତ୍ୱ ଜାଣି ନ ଥିଲେ, ସୁତରାଂ ଅନ୍ୟକୁ ତଦ୍ୱିଷୟରେ ଉପଦେଶ ଦେବାକୁ ସେମାନଙ୍କର କ୍ଷମତା ନ ଥିଲା । ଆପଣାର ଆପଣାର କ୍ଷମତା ଦେଖାଇବା ସେମାନଙ୍କର ପ୍ରଧାନ କର୍ମ, ସେମାନେ ହଠାତ୍ ମନୋରଞ୍ଜନକାରୀ ବାକ୍ୟ ବିନ୍ୟାସଦ୍ୱାରା ଉତ୍ତମ ଖ୍ୟାତି ଆଉ ପ୍ରଧାନତା ଲାଭ କରୁଥିଲେ । ସକ୍ରେଟିସ୍‍ ନିତ୍ୟ ସେଇ ସବୁ ପଣ୍ଡିତମାନଙ୍କର ଭ୍ରମ ଭ୍ରାନ୍ତି କରୁଥିଲେ ଏବଂ ଯହିଁରେ ବାଳକମାନେ ସେମାନଙ୍କ ଉପଦେଶ ବଶବର୍ତ୍ତୀ ହେବାରୁ ଭ୍ରମକୂପରେ ପତିତ ନୋହିବେ ତହିଁର ବିଶେଷ ଚେଷ୍ଟା କରୁଥିଲା । ଏହେତୁରୁ ସେଇ ସବୁ ପଣ୍ଡିତମାନେ ସକ୍ରେଟିସ୍‍ର ଅତ୍ୟନ୍ତ ଦ୍ୱେଷ କରୁଥିଲେ । ତଭିନ୍ନ ଅନ୍ୟ ଲୋକେ ତାଙ୍କର ଅତିଶୟ ଦ୍ୱେଷ କରନ୍ତି । ସେଥିର କାରଣ ଏହି । ସେଇ ସକଳ ଲୋକଙ୍କର ଉପାର୍ଜନର ପ୍ରଧାନ ଉପାୟ ସ୍ୱରୂପ କେତେ ଗୁଡ଼ାଏ କୁନୀତି ପ୍ରଚଳିତ ଥିଲା, ସକ୍ରେଟିସ୍‍ ସେଇ ସବୁ କୁନୀତି ରହିତ କରିବା ଲାଗି ବିଶେଷ ଯତ୍ନ କରୁଥିଲା ।

 

ସକ୍ରେଟିସ୍‍ର ବିପକ୍ଷମାନେ ମିଥ୍ୟାପବାଦ ଦେଇ ତାକୁ ଉଚ୍ଛନ୍ନ କରିବା ସକାଶେ ଗୁପ୍ତ ବିଚାର କଲେ । ଏଥିନୀ-ନଗର-ନିବାସୀମାନେ ଆମ୍ଭାମାନଙ୍କ ପରି ନାନା ଦେବଦେବୀଙ୍କର ପୂଜା ଉପାସନା କରନ୍ତି । ସକ୍ରେଟିସ୍‍ କେବଳ ଅଦ୍ୱିତୀୟ ଜଗତ୍‍କର୍ତ୍ତା ପରମେଶ୍ୱର ମାତ୍ର ମାନୁ ଥିଲା; ତଥାପି ଆପଣା ମତ ଗୋପନରେ ରଖି ସ୍ୱଦେଶର ଚିରସେବିତ ଉକ୍ତ ବ୍ୟବହାରରେ କିଛି କିଛି ଆଦର ଦେଖାଉଥାଏ । ସକ୍ରେଟିସ୍‍ ଦେବତା ମାନଇ ନାହିଁ ଏବଂ ସେମାନଙ୍କଠାରେ ଭକ୍ତି କରେ ନାହିଁ, ଅଜ୍ଞାନ ଲୋକଙ୍କ ମନରେ ଏହି ସଂସ୍କାର ଜନ୍ମାଇ ଦେଇ ପାରିଲେ, ସେମାନେ ତାହା ଉପରେ ଅତ୍ୟନ୍ତ ବିରକ୍ତ ହେବେ, ଏକଥା ତାହା ବିପକ୍ଷମାନେ ବୁଝି ପାରିଲେ । ଅତଏବ ସେମାନେ ସର୍ବତ୍ର ପ୍ରଚାର କରି ଦେଲେ ଯେ, ଦେଶର ଲୋକେ ଯେ ସବୁ ଦେବତା ମାନନ୍ତି ସକ୍ରେଟିସ୍‍ ସେମାନଙ୍କୁ ଶ୍ରଦ୍ଧା ପାଏ ନାହିଁ, ଏବଂ ଆପଣାର ମତ ଅନୁସାରେ ଉପଦେଶ ଦେଇ ନଗରର ବାଳକମାନଙ୍କୁ ଭ୍ରଷ୍ଟ କରୁଅଛି ।

 

ସକ୍ରେଟିସ୍‍ ଯଦ୍ୟପି ଅତି ବିଶୁଦ୍ଧ ଚରିତ୍ର ଆଉ ଯଥାର୍ଥ ତତ୍ତ୍ୱଜ୍ଞାନୀ ଥିଲା, ତଥାପି ଏହି ପ୍ରକାର ମିଥ୍ୟାପବାଦ ଦ୍ୱାରା ତାହାର ଯଥେଷ୍ଟ ଅପକାର ହେଲା । ଏଥିନୀୟମାନେ ତାହାଠାରେ ଅତ୍ୟନ୍ତ ଭକ୍ତି କରୁଥିଲେ; ବର୍ତ୍ତମାନ ତାକୁ ଅଧାର୍ମିକ ବୋଲି ଜାଣି ସେ ଭକ୍ତି ତ୍ୟାଗ କରି ଏହି ଅପରାଧର ଦଣ୍ଡ ସେ ପାଉ ବୋଲି ସେମାନେ ମାନସ କଲେ । ଏହିରୂପେ ତାହାର ନିର୍ମଳ ଚରିତ୍ରରେ କଳଙ୍କ ହେଲାରୁ, ବିପକ୍ଷମାନେ ବିଚାରକର୍ତ୍ତାମାନଙ୍କ ନିକଟରେ ତାହା ନାମରେ ଅଭିଯୋଗ କଲେ । ଯେହେତୁରୁ ଅଭିଯୋଗ ହେଲା, ତାହା ଯଥାର୍ଥ ହେଲେହେଁ କୌଣସି ରୂପେ ଅପରାଧ ବୋଲି ଗଣା ଯାଇ ନ ପାରେ । ସକ୍ରେଟିସ୍‍ ଉତ୍ତମ ରୂପେ ଆତ୍ମପକ୍ଷ ରକ୍ଷାକଲା; ମାତ୍ର ତାହା ବିଷୟରେ ବିଚାରକର୍ତ୍ତାମାନଙ୍କର ଏମନ୍ତ ମନ୍ଦ ବାସନା ହେଲା ଯେ, ସେମାନେ ତାକୁ ଦୋଷୀ ସ୍ଥିର କରି ବିଷପାନ ଦ୍ୱାରା ପ୍ରାଣ ତ୍ୟାଗ ରୂପ ଦଣ୍ଡ ବିଧାନ କଲେ ।

 

ଅଦ୍ୟାବଧି ଭୂମଣ୍ଡଳରେ ସକ୍ରେଟିସ୍‍ ସମାନ ଯଥାର୍ଥ ଜ୍ଞାନୀ ଆଉ ପରମଧାର୍ମିକ ଅତି ଅଳ୍ପ ମନୁଷ୍ୟ ଜନ୍ମି ଅଛନ୍ତି । ମାତ୍ର କି ଆଶ୍ଚର୍ଯ୍ୟ ! ତାଙ୍କୁ ଏହି ରୂପେ ମିଥ୍ୟାପବାଦଗ୍ରସ୍ତ ହୋଇ ପ୍ରାଣତ୍ୟାଗ କରିବାକୁ ହେଲା ।

Image

 

କର୍ତ୍ତବ୍ୟାନୁଷ୍ଠାନ ବିଷୟିଣୀ ନ୍ୟାୟପରତା

 

ଯେତେବେଳେ କେହି ଅର୍ଥ ଲାଭ କିମ୍ବା ଅନ୍ୟ କୌଣସି ପୁରସ୍କାର ପ୍ରତ୍ୟାଶାରେ କାହାରିଠାରୁ କୌଣସି କର୍ମର ଭାର ଗ୍ରହଣ କରେ, ସେତେବେଳେ ନିଯୋଗକର୍ତ୍ତା ଏହି କଥା ସ୍ଥିର କରିଥାଏ, ସେ ନିଃସନ୍ଦେହରେ ଉତ୍ତମ ରୂପେ ସେ କର୍ମ ନିଷ୍ପତ୍ତି କରିବ । ଯେବେ ନିଯୁକ୍ତ ବ୍ୟକ୍ତି ଉତ୍ତମରୂପେ ସ୍ୱାମୀକାର୍ଯ୍ୟ ନିର୍ବାହ ନ କରେ, ତେବେ ସ୍ୱାମୀ- ପ୍ରତାରଣା-ଦୋଷ ହୁଏ, ଅଥଚ ଏରୂପେ କର୍ମ କରି ବେତନ ସ୍ୱରୂପ ଧନ ନେବା ଚୋରି କରିବା ସମାନ ଅଟେ । ଯେବେ କେହି ଦଶ ଟଙ୍କା ବେତନ ନେଇ ଦଶ ଘଣ୍ଟା କର୍ମ କରିବ ବୋଲି ନଅ ଘଣ୍ଟା ମାତ୍ର କର୍ମ କରେ, ଆଉ ଘଣ୍ଟାଏ ଆଳସ୍ୟରେ କାଳକ୍ଷେପଣ କରେ, ମାତ୍ର ନିୟୋଗକର୍ତ୍ତାଠାରୁ ସମ୍ପୂର୍ଣ୍ଣ ଦଶ ଘଣ୍ଟାର ବେତନ ନିଏ, ତେବେ ସେ ଲୋକ ଦଶ ଘଣ୍ଟା ମଧ୍ୟରୁ ଏକ ଘଣ୍ଟା ଚୋରି କଲା ।

ଯେବେ କେହି କୌଣସି କର୍ମର ଭାର ଗ୍ରହଣ କରେ, ସେହି କର୍ମ ଧର୍ମ ପ୍ରମାଣେ ଆଉ ଯତ୍ନପୂର୍ବକ ଉତ୍ତମରୂପେ ନିର୍ବାହ କରିବା ତାହାର ଅବଶ୍ୟ କର୍ତ୍ତବ୍ୟ ଅଟେ । ଏରୂପେ କଲେ ତାକୁ ସକଳ ଲୋକେ ଆଦର କରନ୍ତି । ଯେବେ ଏତେକାଳ ବୋଲି ନିୟମ ଥାଏ, ତେବେ ମୁହୂର୍ତ୍ତେ ସୁଦ୍ଧା ବୃଥା କ୍ଷେପଣ କରିବା ଉଚିତ ନାହିଁ ।

ଯାହାଠାରେ କୌଣସି କର୍ମରେ ଲୋକ ନିଯୁକ୍ତ କରିବା ଭାର ଥାଏ, ତାହାର ଯେଉଁ ବ୍ୟକ୍ତି ସେହି କର୍ମର ଯଥାର୍ଥ ଉପଯୁକ୍ତ ପାତ୍ର ଅଟେ ତାକୁ ନିଯୁକ୍ତ କରିବା ବିହିତ । ବିଚାରକର୍ତ୍ତାମାନଙ୍କର ମଧ୍ୟ ସକଳ ବିଷୟରେ ଯଥାର୍ଥ ବିଚାର କରିବା ଉଚିତ୍ । କ୍ରୋଧ, ଲୋଭ, ଭୟାଦିର ବଶୀଭୂତ ହୋଇ ଅନ୍ୟଥା କଲେ ଘୋରତର ପାପ ହୁଏ ।

ଯେବେ କୌଣସି ଆତ୍ମୀୟ ଲୋକ ଆମ୍ଭମାନଙ୍କୁ ପରାମର୍ଶ ପଚାରେ, ତେବେ ଆମ୍ଭେମାନେ ଆପଣା ଜ୍ଞାନାନୁସାରେ ତାହା ପକ୍ଷରେ ଯାହା ସର୍ବତୋଭାବରେ ଶ୍ରେୟସ୍କର ବୋଧ କରୁଁ, କେବଳ ତାହା ପରାମର୍ଶ ଦେବା ଆମ୍ଭମାନଙ୍କର ଉଚିତ । ଯେବେ କେହି କୌଣସି ବ୍ୟକ୍ତିକୁ କର୍ମରେ ନିଯୁକ୍ତ କରିବା ଇଚ୍ଛା କରି, ସେ ବ୍ୟକ୍ତି କେମନ୍ତ ଲୋକ ଏ କଥା ଜାଣିବା ଲାଗି ଆମ୍ଭମାନଙ୍କ ମତ ଜାଣିବାକୁ ଇଚ୍ଛା କରେ, ତେବେ ଆମ୍ଭମାନଙ୍କର ଯଥାର୍ଥ ମତ ଦେବା ଉଚିତ । ଯେଉଁ ବ୍ୟକ୍ତିକୁ ଭଦ୍ରଲୋକ ବୋଲି ନ ଜାଣୁ, ପଛେ ସେ ଶୁଣିଲେ କ୍ରୋଧ କରିବ ଏହି ଭୟରେ ଅଥବା ଅନ୍ୟ କୌଣସି କାରଣରୁ, ତାକୁ ବିଶିଷ୍ଟ ଲୋକ କହିବା ମନ୍ଦ କର୍ମ ଅଟେ । ଏରୂପେ କଲେ ତାକୁ ଠକିବାର କର୍ମ ହୁଏ, ଏବଂ ଯେଉଁ ବ୍ୟକ୍ତି ତାକୁ ପଛେ ଉତ୍ତମ ରୂପେ ଠକି ପାରିବ, ଏମନ୍ତ ଲୋକ ଉପରେ ବିଶ୍ୱାସ କରାଯାଏ । ଅତଏବ ଏମନ୍ତ ସ୍ଥଳରେ ନିର୍ଭୟ-ଚିତ୍ତରେ ଯଥାର୍ଥ କହିବା ଅତି କର୍ତ୍ତବ୍ୟ କର୍ମ ।

କର୍ତ୍ତବ୍ୟ କର୍ମର ଅନୁଷ୍ଠାନ ବିଷୟରେ ଏହି ରୂପ ନ୍ୟାୟ ଅନ୍ୟାୟ ଜ୍ଞାନ ଥିଲେ ତାକୁ କର୍ତ୍ତବ୍ୟାନୁଷ୍ଠାନ ବିଷୟିଣୀ ନ୍ୟାୟପରତା କହନ୍ତି ।

Image

 

ଜର୍ଜ ଉଆସିଂଟନ

 

ପୃଥିବୀର ପ୍ରାୟ ସକଳ ଦେଶ ଏକ ରାଜାଙ୍କ ଶାସନର ଅଧୀନ ଅଛି, କିନ୍ତୁ ଆମେରିକାର ଅନ୍ତର୍ବତ୍ତୀ ଗୋଟିଏ ଦେଶ ସେରୂପେ ନୁହେ । ଇଂରେଜୀ ଭାଷାରେ ସେଇ ଦେଶର ନାମ ଇଉନାଇଟେଡ଼ ଷ୍ଟେଟ୍‍ସ । ଅନ୍ୟାନ୍ୟ ଦେଶ ପରି ସେଠାରେ ରାଜା ନାହିଁ । ଏକ ଏକ ପ୍ରଦେଶରେ ଏକ ଏକ ସଭା ଅଛି । ସେହି ସେହି ପ୍ରଦେଶର ଲୋକେ କେତେକ ଜଣ ଉପଯୁକ୍ତ ଲୋକ ବାଛିକରି ସେମାନଙ୍କ ହସ୍ତରେ ଦେଶ ଶାସନ, ସନ୍ଧି ବିଗ୍ରହାଦି ସମସ୍ତ କାର୍ଯ୍ୟର ଭାର ସମର୍ପଣ କରନ୍ତି । ସେମାନେ ଉକ୍ତ ସମାଜରେ ଏକତ୍ର ହୋଇ ତତ୍ତ୍ୱ ପ୍ରଦେଶରେ ସମସ୍ତ ରାଜକାର୍ଯ୍ୟ ନିର୍ବାହ କରନ୍ତି । ଏତଦ୍ଭିନ୍ନ ସମୁଦାୟ ଦେଶ ମଧ୍ୟରେ ଏକ ପ୍ରଧାନ ସଭା ଅଛି, ସେହି ସଭାର ସଭ୍ୟମାନେ ସମୁଦାୟ ପ୍ରଦେଶର ଅଧ୍ୟକ୍ଷ ସ୍ୱରୂପ ଅଟନ୍ତି । ଜର୍ଜ ଉଆସିଂଟନ୍ ଏହି ସଭାର ଅଧିପତି ଥିଲେ ।

 

ଏକ ବ୍ୟକ୍ତିର ସହିତ ଉଆସିଂଟନଙ୍କର ଅତିଷୟ ଆତ୍ମୀୟତା ଥିଲା । ସେଇ ବନ୍ଧୁ ସୁଶୀଳ, ସଜ୍ଜନ ଆଉ ସମସ୍ତଙ୍କର ପ୍ରିୟ ଥିଲା, କିନ୍ତୁ ବିଷୟ କର୍ମରେ ସେ ତାଦୃଶ ନିପୁଣ ନ ଥିଲା । ଉଆସିଂଟନ୍ ହସ୍ତରେ ଏକ କର୍ମ ଉପସ୍ଥିତ ହେଲା । ସେ କର୍ମରେ ବହୁତ ଲାଭ ଥିଲା । ସେ ବନ୍ଧୁ ଉକ୍ତ କର୍ମାକାଙ୍‌କ୍ଷାରେ ଆବେଦନ କଲା । ଉଆସିଂଟନ୍ ତାକୁ ବଡ଼ ପ୍ରିୟ କରିଥାନ୍ତି ଏ ସକାଶେ ସମସ୍ତେ ସ୍ଥିର କରିଥିଲେ ସେହି ବ୍ୟକ୍ତି ଅବଶ୍ୟ ଉପସ୍ଥିତ କର୍ମରେ ନିଯୁକ୍ତ ହେବ । ଅନ୍ୟ ଜଣେ ସେହି କର୍ମ ପ୍ରାର୍ଥନାରେ ଆବେଦନ କଲା । ସେ ଉଆସିଂଟନର ବିପକ୍ଷ, କିନ୍ତୁ ଉଆସିଂଟନର ବନ୍ଧୁ ଅପେକ୍ଷା ଉତ୍ତମରୂପେ କର୍ମଦକ୍ଷ ଓ ସଚ୍ଚରିତ୍ର ଥିଲା । ଯାହା ହେଉ, ସମସ୍ତେ ଜାଣିଥିଲେ ଏ ବ୍ୟକ୍ତିର କର୍ମ ପାଇବାର କିଛି ସମ୍ଭାବନା ନାହିଁ । ସେ ଉଆସିଂଟନର ଇଷ୍ଟ ଅନେକ ବିଷୟ ଅନ୍ୟଥା କରିବାର ଚେଷ୍ଟା କରିଥିଲା, ଏବଂ ବର୍ତ୍ତମାନ ଯେଉଁ ବିଷୟ ଇଚ୍ଛା କରିଥାଏ, ଉଆସିଂଟନ୍‍ର ପରମମିତ୍ର ସେ ବିଷୟରେ ପ୍ରତିଦ୍ୱନ୍ଦୀ କିନ୍ତୁ ଉଆସିଂଟନ ଅତିଶୟ ନ୍ୟାୟପରାୟଣ ଥିଲା, ସୁତରାଂ ଆପଣା ବିପକ୍ଷକୁ ମିତ୍ର ଅପେକ୍ଷା ଅଧିକା ଉପଯୁକ୍ତ ଦେଖି ତାକୁ କର୍ମରେ ନିଯୁକ୍ତ କଲା । ତାହା ଦେଖି ସମସ୍ତେ ଚମତ୍କାର ହେଲେ ।

 

ଅନନ୍ତର ଜଣେ ବନ୍ଧୁ ଉଆସିଂଟନ୍‍କୁ କହିଲା, ଆପଣଙ୍କ ମିତ୍ରକୁ କର୍ମ ନ ଦେବାରେ ଅତ୍ୟନ୍ତ ଅନ୍ୟାୟ ହୋଇଅଛି । ଉଆସିଂଟନ ଉତ୍ତର କଲା, ଆମ୍ଭେ ଆପଣା ମିତ୍ରକୁ ଅତିଶୟ ଆଦର ଓ ସ୍ନେହ କରୁଁ । ଯେତେଦିନ ବଞ୍ଚିବା ଏହିରୂପେ ସମାଦର ଓ ସ୍ନେହ କରିବା, ସନ୍ଦେହ ନାହିଁ । ମାତ୍ର ବନ୍ଧୁତା ଅନୁରୋଧରେ ଆମ୍ଭେ ଅନ୍ୟାୟ କରି ନ ପାରୁଁ । ସେ ନାନା ସଦ୍‍ଗୁଣରେ ଅଳଙ୍‌କୃତ, ମାତ୍ର କର୍ମଣ୍ୟ ଲୋକ ନୁହେ, ତାହା ପ୍ରତିଦ୍ୱନ୍ଦୀ ଆମ୍ଭର ବିପକ୍ଷ, କିନ୍ତୁ କର୍ମଦକ୍ଷ । ଉପସ୍ଥିତ କର୍ମ ଆମ୍ଭର ନିଜ କର୍ମ ନୁହେଁ; ସୁତରାଂ ବନ୍ଧୁତା ହେତୁରୁ ଦୟା କିମ୍ୱା ଅନୁଗ୍ରହ ପ୍ରକାଶର ସ୍ଥଳ ନୁହେଁ; ନିଜ ବିଷୟରେ ଯଥାସାଧ୍ୟ ବନ୍ଧୁର ଉପକାର କରିବାଲାଗି ଆମ୍ଭେ କଦାପି ତ୍ରୁଟି କରିବୁଁ ନାହିଁ ।

Image

 

ଗାସକୋଇନ୍ ବିଚାରକର୍ତ୍ତା

 

ଇଂଲଣ୍ଡର ଅଧୀଶ୍ୱର ଚତୁର୍ଥ ହେନରି ମହାରାଜାଙ୍କ ପୁତ୍ର ଯୁବରାଜ ପଞ୍ଚମ ହେନରି ସଦସଦ୍ୱିବେଚନା ଶୂନ୍ୟ ନ ଥିଲେ, କିନ୍ତୁ ଅତ୍ୟନ୍ତ ଉଗ୍ର ସ୍ୱଭାବ ଆଉ ଦୂରାଚାରୀ ଥିଲେ । କେତେକ ଜଣ ଲମ୍ଫଟ ତାଙ୍କର ସହଚର ଥିଲେ । ଏମାନଙ୍କ ମଧ୍ୟରୁ ଜଣେ କୌଣସି ଲୋକଠାରେ ମନ୍ଦାଚରଣ କରିବାରୁ, ବିଚାରକର୍ତ୍ତା ଗାସକୋଇନଙ୍କ ନିକଟରେ ତାହା ନାମରେ ନାଲିଶ କଲା । ଯୁବରାଜ ଆପଣା ସହଚରର ଦଣ୍ଡ ନିବାରଣ ନିମନ୍ତେ ବିଶେଷ ଚେଷ୍ଟା କଲେ, ମାତ୍ର ବିଚାରକର୍ତ୍ତା ଅତ୍ୟନ୍ତ ନ୍ୟାୟପରାୟଣ ଥିଲେ । ସୁତରାଂ ସେ ସହଚର ଅପରାଧୀ ସ୍ଥିର ହେବାରେ ତାହାର ଯଥାବିଧି ଦଣ୍ଡ ବିଧାନ କଲେ । ଏଥିରେ ଯୁବରାଜ କ୍ରୋଧରେ ଅନ୍ଧ ହୋଇ ବିଚାରକର୍ତ୍ତାଙ୍କୁ ପ୍ରହାର କଲେ ।

 

ଏରୂପ ବ୍ୟବହାର ଅତ୍ୟନ୍ତ ଦୂଷ୍ୟ ଆଉ ଉନ୍ମତ୍ତର କର୍ମ ଅଟେ ତଥାପି ସେହେତୁରୁ ଯୁବରାଜଙ୍କ ନାମରେ ଅଭିଯୋଗ ଅଥବା ତାଙ୍କର ଦଣ୍ଡ ବିଧାନ କରିବାଲାଗି ଅନେକ ଲୋକଙ୍କ ସାହସ ହୁଅନ୍ତା ନାହିଁ । ମାତ୍ର ଗାସକୋଇନ୍, ରାଜା ଅଥବା ଯୁବରାଜଙ୍କ ଭୟରେ କର୍ତ୍ତବ୍ୟ କର୍ମର ଅନୁଷ୍ଠାନରେ ନିବର୍ତ୍ତ ହେବା ଲୋକ ନ ଥିଲେ । ସେ ଆପଣା ବିଚାରକର୍ତ୍ତା କ୍ଷମତା ଅନୁସାରେ ତତ୍‍କ୍ଷଣାତ୍‍ ଅନ୍ୟାୟକାରି ଯୁବରାଜଙ୍କୁ କାରାଗାରରେ ବଦ୍ଧ କରିବାକୁ ଆଦେଶ ଦେଲେ ।

 

ସେତେବେଳେ ଯୁବରାଜ ଆପଣା ଦୋଷ ବୁଝି ପାରି ବିଚାରକର୍ତ୍ତାଙ୍କ ଆଜ୍ଞା ପ୍ରତିପାଳନରେ ସମ୍ମତ ହେଲେ । ଯେହେତୁ ବିଚାର ବିଷୟରେ ପଦର ଗୌରବ ହେତୁରୁ କାହାରିକୁ ଅନୁଗ୍ରହ କରିବା ଉଚିତ ନୁହେ, ଏହି କଥା ସେ ଉତ୍ତମରୂପେ ବୁଝି ପାରିଲେ ଏ ବିଷୟ ଶ୍ରବଣ କରି ବୃଦ୍ଧ ରାଜା କିଞ୍ଚିନ୍ନାତ୍ର ଅସନ୍ତୁଷ୍ଟ ହେଲେ ନାହିଁ; ବରଂ ଅତିଶୟ ଆହ୍ଲାଦିତ ହୋଇ କହିଲେ, କିଛି ଉପରୋଧ ଅନୁରୋଧ ନ ମାନି ଅଥବା ଅନ୍ୟ କୌଣସି କାରଣରେ ଶଙ୍କିତ ନ ହୋଇ ନିର୍ଭୟ- ଚିତ୍ତରେ ଯଥାର୍ଥ ବିଚାର କଲେ, ଏମନ୍ତ ନ୍ୟାୟପରାୟଣ ବିଚାରକର୍ତ୍ତା ଆମ୍ଭ ରାଜ୍ୟରେ ଅଛନ୍ତି, ଶୁଣି ଆମ୍ଭେ ପରମସୁଖୀ ହେଲୁଁ, ଏବଂ ଆମ୍ଭ ପୁତ୍ରସୁଦ୍ଧା ଅନାୟାସରେ ଏରୂପ କଠିଣ ଦଣ୍ଡ ସ୍ୱୀକାର କଲେ ଏହି କଥା ଶୁଣି ତଦପେକ୍ଷା ଆହୁରି ଅଧିକା ସୁଖୀ ହେଲୁଁ ।

Image

 

ଋଣ ବିଷୟିଣୀ ନ୍ୟାୟପରତା

 

ଯେବେ କେହି ତତ୍‍କ୍ଷଣାତ୍‍ ବେତନ ନ ଦେଇ କାହାରିକୁ କୌଣସି କର୍ମ କରାଇ ନିଏ, ଅଥବା ତତ୍‍କ୍ଷଣାତ୍‍ ମୂଳ ନ ଦେଇ କାହାରିଠାରୁ କିଛି ଦ୍ରବ୍ୟ କ୍ରୟ କରେ, ତେବେ ସେ ବେତନ ଆଉ ମୂଲ୍ୟ ସେ ବ୍ୟକ୍ତିର ଋଣ ସ୍ୱରୂପ ହୁଏ; ସୁତରାଂ କର୍ମକାରୟିତା ଓ କ୍ରେତା, ଖାତକ ଏବଂ କର୍ମକର୍ତ୍ତା ଆଉ ବିକ୍ରେତା ମହାଜନ ସ୍ୱରୂପ ହୁଅନ୍ତି ।

 

ବିଷୟ କର୍ମରେ କାର୍ଯ୍ୟ ଚଳାଇବାଲାଗି ଏକ ବ୍ୟକ୍ତିର ଅନ୍ୟ ବକ୍ତିଠାରୁ ଋଣ ଗ୍ରହଣ କରିବାକୁ ହୁଏ, ନୋହିଲେ ଅନ୍ୟ କୌଣସି ରୂପେ ଚଳି ପାରେ ନାହିଁ । ତାହା ଛାଡ଼ି ସାଂସାରିକ ବ୍ୟାପାର ନିମନ୍ତେ କେବେ କେବେ ପରସ୍ପର ଋଣଗ୍ରହଣ ଆଉ ଋଣଦାନ କରିବାକୁ ଆବଶ୍ୟକ ହୁଏ-। ଖାତକ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରି ନ ପାରିବ ଯେବେ ଆଶଙ୍କା ନ ଥିବ ଏବଂ ସେହି ଋଣ ବ୍ୟବସାୟରେ ଉଭୟ ପକ୍ଷର ଉପକାର ଦେଖାଯିବ, ତେବେ ଋଣଦାନ ଏବଂ ଋଣଗ୍ରହଣ କରିବା ଉଚିତ ଆଉ ନ୍ୟାୟସିଦ୍ଧ । ମାତ୍ର ଋଣ ପରିଶୋଧ କରିବାର କୌଣସି ଉପାୟ ନ ଥାଇ ଋଣ କରିବା ଅତ୍ୟନ୍ତ ଅନ୍ୟାୟ । ତାହା ହେଲେ ଏକ ବ୍ୟକ୍ତିକୁ ତାହା ଧନରେ ବଞ୍ଚିତ କରାଯାଏ । ବାସ୍ତବ ଏରୂପ ଋଣଗ୍ରହଣକୁ ଚୋରୀ କୁହା ଯାଇପାରେ ।

 

ଅତ୍ୟନ୍ତ ଆବଶ୍ୟକ ନୋହିଲେ ଏବଂ ପରିଶୋଧ କରି ପାରିବା ଏହା ନିଶ୍ଚୟ ନ ବୁଝିଲେ ନ୍ୟାୟପରାୟଣ ଲେକ କଦାପି ଋଣ କରିବ ନାହିଁ । ଋଣ କରି ସେ ବିସ୍ମରଣ କରେ ନାହିଁ, ସର୍ବଦା ମନେ ରଖିଥାଏ, ସୁଯୋଗ ହେଲେ ପରିଶୋଧ କରେ । ଯେବେ ଦୈବାତ୍ ଋଣ ପରିଶୋଧର କୌଣସି ପ୍ରତିବନ୍ଧକ ହୁଏ ତେବେ ତାହା ଅନ୍ତଃକରଣରେ ଅତିଶୟ ଦୁଃଖ ଜନ୍ମେ ମଧ୍ୟ ଯାବତ୍ କଡ଼ା ଗଣ୍ଡା ପର୍ଯ୍ୟନ୍ତେ ପରିଶୋଧ କରି ନ ପାରେ, ତାବତ୍ ସେ ଆୟାସ ପୁଣି ପରିଶ୍ରମ କରିବାରେ ଅବହେଳା କରେ ନାହିଁ ।

Image

 

ଜର୍ଜ ଲୁଇସ୍

 

ପ୍ରାୟ ଶଏ ବର୍ଷ ହେଲା, ଜର୍ଜ ଲୁଇସ୍ ଜର୍ମନିର ଅନ୍ତଃପାତି ଗୋଟିଏ କ୍ଷୁଦ୍ର ରାଜ୍ୟର ଅଧିପତି ଥିଲେ । ସେ ଦେଖିଲେ ଯେ, ଧନାଗାର ଶୂନ୍ୟ ଏବଂ ଆପେ ଅତ୍ୟନ୍ତ ଋଣଗ୍ରସ୍ତ ହୋଇଅଛନ୍ତି । ତାଙ୍କୁ କେହି କେହି ରାଜସ୍ୱ ବଢ଼ାଇବାର ପରାମର୍ଶ ଦେଲେ, କାରଣ କି ତଦ୍ଭିନ୍ନ ଋଣରୁ ମୁକ୍ତ ହେବାଲାଗି ତାଙ୍କର ଆଉ କିଛି ଉପାୟ ନ ଥିଲା ।
 

ଯେଉଁ ରାଜା ଧର୍ମପରାୟଣ ନୁହନ୍ତି, ସେ ଅନାୟାସରେ ଏହିରୂପ ପ୍ରସ୍ତାବ ସମ୍ମତ କରନ୍ତେ, ସନ୍ଦେହ ନାହିଁ । ଯେହେତୁରୁ ସେ ସହଜରେ ବୋଧ କରନ୍ତି ତାହାଠାରୁ ଆଉ ସଦୁପାୟ ସମ୍ଭବେ ନାହିଁ । ମାତ୍ର ନ୍ୟାୟପରାୟଣ ଲୁଇସ୍ କୌଣସି ପ୍ରକାରରେ ସେଥିରେ ସମ୍ମତ ହେଲେ ନାହିଁ-। ସେ ବିବେଚନା କଲେ, ପ୍ରଜାମାନେ ଆମ୍ଭ ଋଣର ହେତୁ ନୁହନ୍ତି । ଅତଏବ ଏହି ଋଣ ପରିଶୋଧ ନିମନ୍ତେ କର ବୃଦ୍ଧି କରି ଆମ୍ଭେ ପ୍ରଜାମାନଙ୍କୁ କଦାପି ବିପଦଗ୍ରସ୍ତ କରିବା ନାହିଁ । ସେଠାରୁ ଅତିଶୀଘ୍ର ଅନାବଶ୍ୟକ ଭୃତ୍ୟବର୍ଗ ଓ ଘୋଟକସମୂହ ବିଦା କରିଦେଲେ, ଏବଂ ଅଳ୍ପବ୍ୟୟରେ ସଂସାରଯାତ୍ରା ନିର୍ବାହ କରିବା ଅଭିପ୍ରାୟରେ ଆପେ କିଛି ଦିନ ଜେନିବା ନଗରକୁ ଯାଇ ଅବସ୍ଥିତ କଲେ । ଏହିରୂପେ ଆବଶ୍ୟକ ଯେତେ ବ୍ୟୟ ତାହା ମାତ୍ର କରି ଯାହା ବଳିଲା ତହିଁରୁ ସମୁଦାୟ ଋଣ ପରିଶୋଧ ହେଲା ପରେ ସେ ଆପଣା ରାଜ୍ୟକୁ ପ୍ରତ୍ୟାଗମନ କଲେ ଏବଂ ପୂର୍ବାପେକ୍ଷା ପ୍ରଜାମାନଙ୍କର ଅଧିକ ସ୍ନେହଭାଜନ ହୋଇ ପରମସୁଖରେ କାଳଯାପନ କଲେ ।

Image

 

ନିଷ୍କପଟ ବ୍ୟବହାର

 

କ୍ରୟ ବିକ୍ରୟ ଆଉ ଅନ୍ୟାନ୍ୟ ବିଷୟ କର୍ମ ସଂକ୍ରାନ୍ତ ବ୍ୟାପାରରରେ ଚାତୁରୀ ଆଉ ପ୍ରବଞ୍ଚନା ସର୍ବଦା ଅନୁଚିତ । ବିକ୍ରେୟ ବସ୍ତୁ ଯହିଁରେ ଓଜନ କରି କିମ୍ୱା ମାପି କରି ଦିଆଯାଏ, ତାହା ଏକ ସୋରିଷ କିମ୍ୱା ସୂତାଏ ଊଣା ହେବାର ଉଚିତ୍ ନୁହେ । ବିକ୍ରେୟ ଦ୍ରବ୍ୟର ଦୋଷଗୁଣ ଲୁଚାଇ ରଖିବାର ଅନ୍ୟାୟ । ଦ୍ରବ୍ୟର ଗୁଣାନୁରୂପ ମୂଲ୍ୟ ମାଗିବା ଓ ନେବା ଉଚିତ । ନ୍ୟୂନ ଅଥବା ଅଧିକ ମାଗିବା ଆଉ ନେବା ବିହିତ ନୁହେ ।

 

ପୁନଶ୍ଚ ଯେବେ କ୍ରେତା ଦେଖି ପାରେ କି ପ୍ରଥମରେ ଯେଉଁପ୍ରକାର ଦ୍ରବ୍ୟ ଆଉ ଯେତେ ଦ୍ରବ୍ୟ ବିକ୍ରୟ କରିବାର ଜବାବ ହୋଇଥିଲା, ବିକ୍ରେତା ବିକ୍ରୟବେଳେ ଭ୍ରମରେ ତଦପେକ୍ଷା ଉତ୍ତମ କିବା ଅଧିକ ଦେଉଁଅଛି ତେବେ ସେ କଥା ଜଣାଇ ଦେବାକୁ ତାହାର ଉଚିତ ଅଟେ । ଯେବେ କ୍ରେତା ଦ୍ରବ୍ୟ କିଣି ଆଣିଲା ବାଦ ଜାଣି ପାରିବ ତେବେ ଯେତେ ଅଧିକ ଥିବ ତାହା ବିକ୍ରେତାକୁ ଫେରି ପଠାଇବାର କିମ୍ୱା ତହିଁର ମୂଲ୍ୟ ଧରି ଦେବାର ଉଚିତ ।

 

କୌଣସି ୨ ଲୋକେ କହନ୍ତି ଯେ, କ୍ରୟ ବିକ୍ରୟ ସ୍ଥଳରେ ଚାତୁରୀ କରିବାର କୌଣସିରୁପେ ଅନ୍ୟାୟ ନୁହେ । ସେମାନେ କହନ୍ତି କି ଦ୍ରବ୍ୟର ଦୋଷଗୁଣ, ନ୍ୟୂନାଧିକ ଆଉ ଅନ୍ୟ ଅନ୍ୟ ବିଷୟ ଦେଖିକରି ନେବା କ୍ରେତାର ଉଚିତ ଅଟେ । ଅତଏବ ଏ ବିଷୟରେ ବିକ୍ରେତା କପଟ କଲେ କରିପାରେ, ଦୋଷ ନାହିଁ । ଯେବେ କ୍ରେତା ଆପଣା ଇଚ୍ଛାରେ ପ୍ରତାରିତ ହୁଏ ଅର୍ଥାତ୍ ଦ୍ରବ୍ୟ ସାମଗ୍ରୀ ଉତ୍ତମରୂପେ ପରୀକ୍ଷା କରି ନ ଆଣେ ତେବେ ସେ ତାହାର ଦୋଷ । ବିକ୍ରେତାର ଏହିରୂପେ ପ୍ରତାରଣା କରିବା ଯେ ଅନ୍ୟାୟ ନୁହେ ତାହାର ଆଉ ଏକ କାରଣ ଏହି କି, କ୍ରେତାସୁଦ୍ଧା ସୁଯୋଗ ପାଇଲେ ପ୍ରତାରଣା କରିବାକୁ ଛାଡ଼େ ନାହିଁ ।

 

ଏହିରୂପେ ବାଦାନୁବାଦ କରିବା ଅଧମ ଲୋକର କର୍ମ । ଚାତୁରୀ ଓ ପ୍ରବଞ୍ଚନା କରିବା କଦାପି ନିର୍ଦ୍ଦୋଷ ନୁହେଁ । ପ୍ରତାରିତ ହେବା ବରଂ ଭଲ, ପ୍ରତାରଣା କରିବା କୌଣସିରୂପେ ଭଲ ନାହିଁ । ପ୍ରବଞ୍ଚନା କଲେ ପ୍ରାୟ କାହାରି କଦାପି ଶ୍ରୀବୃଦ୍ଧି ହୁଏ ନାହିଁ । ପ୍ରତାରକ ବ୍ୟକ୍ତି ଯଦିବା କୌଣସିରୂପେ ବିହିତ ରାଜଦଣ୍ଡରୁ ବଞ୍ଚେଁ, କିନ୍ତୁ ପ୍ରତିବାସୀମାନେ ତାକୁ ଉଚିତ ଦଣ୍ଡ ଦିଅନ୍ତି । ସେମାନଙ୍କୁ ଥରେ ପ୍ରତାରଣା କଲେ ସେମାନେ ଆଉ ତାହା ସହିତ ବ୍ୟବହାର କରନ୍ତି ନାହିଁ । ସମସ୍ତେ ତାକୁ ଘୃଣା କରନ୍ତି; କେବଳ ଧର୍ମପରାୟଣ ହେଲେ ଉନ୍ନତି ହୁଏ ବୋଲି ପ୍ରତାରକ ବ୍ୟକ୍ତି ଶେଷରେ ବୁଝି ପାରେ ।

Image

 

ନ୍ୟାୟପରାୟଣ ବାଳକ

 

ପଡ଼ାଗ୍ରାମ ନିବାସି କୌଣସି ଭଦ୍ର ଲୋକ ଆପଣାର ପୁତ୍ରକୁ ନିଉଇୟର୍କ ନଗରରେ ଜଣେ ବସ୍ତ୍ର ବ୍ୟବସାୟ ଦୋକାନରେ ନିଯୁକ୍ତ କରି ଦେଇଥିଲେ । ପୁତ୍ର କିଛିକାଳ ନିମନ୍ତେ ଉତ୍ତମରୂପେ କଲା । ଦିନକରେ ଏକ ସ୍ତ୍ରୀଲୋକ ପଟ୍ଟବସ୍ତ୍ର କ୍ରୟ କରିବାଲାଗି ଦୋକାନକୁ ଆସିବାରେ ସେଇ ବାଳକ ତାକୁ ବସ୍ତ୍ରାଦି ଦେଖାଇଲା । ସ୍ତ୍ରୀ ଖଣ୍ଡେ ବସ୍ତ୍ର ମନୋନିତ କରି ମୂଲ୍ୟ ପଚାରିଲା । ବାଳକ ଯାହା କହିଲା ସେ ତହିଁରେ ସମ୍ମତ ହେଲା । ସେଠାରେ ସେ ଉକ୍ତ ବସ୍ତ୍ରକୁ ଲେଉଟାଇ ଦେଖୁ ଦେଖୁ ଏକ ସ୍ଥାନରେ ଚିରି ଯାଇଥିଲା ଦେଖିଲା, ଏବଂ ତତ୍‍କ୍ଷଣାତ୍‍ ଉକ୍ତ ସ୍ତ୍ରୀକୁ କହିଲା ଏଠାରେ ଚିରି ଯାଇଅଛି ଆପଣ ଦେଖନ୍ତୁ; ଆପଣଙ୍କୁ ନ ଦେଖାଇ ଲୁଚାଇ ରଖିଲେ ଅନ୍ୟାୟ ହୁଅନ୍ତା, ଏ ସକାଶେ ଆପଣଙ୍କୁ ଦେଖାଇଲୁଁ; ବର୍ତ୍ତମାନ ଆପଣଙ୍କର ଯେମନ୍ତ ଇଚ୍ଛା । ଚିରା ଦେଖିବାରୁ ସେ ବସ୍ତ୍ରକୁ ଫେରାଇ ଦେଲା ।

 

ଦୋକାନର କର୍ତ୍ତା କିଛି ଦୂରରେ ଥାଇ ବାଳକର ଏହିରୂପ ବାକ୍ୟ ଶୁଣି ଅତ୍ୟନ୍ତ ଅସନ୍ତୁଷ୍ଟ ହେଲା, ଏବଂ ତତ୍‍କ୍ଷଣାତ୍‍ ତାହା ପିତା ନିକଟକୁ ଲେଖି ପଠାଇଲା, କି ଆପଣ ଆସି ଆପଣଙ୍କ ପୁତ୍ରକୁ ଘରକୁ ଘେନି ଯିବ; ସେ ବ୍ୟବସାୟ କର୍ମର ଉପଯୁକ୍ତ ଲୋକ ନୁହେଁ । ପିତା, ପୁତ୍ରର ବିଶେଷ ଭରସା ରଖିଥିଲେ, ବର୍ତ୍ତମାନ ଏହି ପତ୍ର ପଢ଼ି ଅତିଶୟ ବିଷର୍ଣ୍ଣ ହେଲେ ଏବଂ ପୁତ୍ର କେଉଁ ବିଷୟରେ ଅପାରଗ ଏ କଥା ଜାଣିବା ନିମନ୍ତେ ଅତିଶୀଘ୍ର ନଗରକୁ ଆଗମନ କଲେ । ସେ ଦୋକାନରେ ପହଞ୍ଚୁ ପଚାରିଲେ, ଆମ୍ଭ ପୁତ୍ର କି ଅପରାଧ କରିଅଛି ? ଦୋକାନକର୍ତ୍ତା କହିଲା, ଏକ ସ୍ତ୍ରୀଲୋକ ଆମ୍ଭ ଦୋକାନକୁ ବସ୍ତ୍ର କିଣିବାଲାଗି ଆସିଥିଲା । ଅନନ୍ତର ସେ ଖଣ୍ଡେ ଲୁଗା ମନୋନୀତ କରି କିଛି ନ ପଚାରୁଣୁ ଆପଣଙ୍କ ପୁତ୍ର କହିଲା, ଏହି ବସ୍ତ୍ର ଏକ ସ୍ଥାନରେ ଚିରି ଯାଇଛି, ସୁତରାଂ ସେହି କଥାରେ ସେ ତାହା କିଣିଲା ନାହିଁ । ଏଥିରେ ଆମ୍ଭର ବିଶେଷ କ୍ଷତି ହୋଇଅଛି । କିଣିଲାବେଳେ ଦେଖି ଶୁଣି ନେବା କ୍ରେତାର କର୍ମ । ଯେବେ କ୍ରୟ ଦ୍ରବ୍ୟର କିଛି ଦୋଷ ଥିବ ଆଉ କ୍ରେତା ତାହା ଦେଖି ନ ପାରେ, ଆମ୍ଭେମାନେ ଆପଣା ଇଚ୍ଛାରେ ତାହା ଦେଖାଇ ଦେଲେ ଆଉ ବ୍ୟବସାୟ ହେବ ନାହିଁ । ପିତା ପଚାରିଲେ, କେବଳ ଏହି ତାହାର ଅପରାଧ, କି ଆଉ କିଛି ଅଛି ? ସେ କହିଲା, କେବଳ ଏହି; ଆଉ ସକଳ ବିଷୟରେ ଉତ୍ତମ । କିନ୍ତୁ ବ୍ୟବସାୟ ସ୍ଥଳରେ ଏପ୍ରକାର କଥା ସାମାନ୍ୟ ଦୋଷ ନୁହେ । ପିତା କହିଲେ, ଯେବେ ଏହିମାତ୍ର ତାହାର ଦୋଷ ହୁଏ, ତେବେ ଆମ୍ଭେ ଦୋଷ ସକାଶେ ତାକୁ ପୂର୍ବଠାରୁ ଅଧିକ ଫଲ ଜାଣୁଅଛୁଁ । ଆପଣ ଯେ ଏହି କଥା ଆମ୍ଭକୁ ଜଣାଇଲେ, ଏଥିରେ ଆମ୍ଭେ ପରମ ଉପକାର ପାଇଲୁଁ । ଆମ୍ଭକୁ ପୃଥିବୀର ଅଧୀଶ୍ୱର କରି ଦେଲେସୁଦ୍ଧା ପୁତ୍ରକୁ ଆଉ ଦିନେମଧ୍ୟ ଏଠାରେ ରଖନ୍ତୁ ନାହିଁ ।

Image

 

ପ୍ରତିଜ୍ଞା ପ୍ରତିପାଳନ

 

ଯେବେ ଆମ୍ଭମାନେ କୌଣସି ବିଷୟରେ ପ୍ରତିଜ୍ଞା କରିବା, ସେଇ ପ୍ରତିଜ୍ଞା ପ୍ରାଣପଣରେ ପ୍ରତିପାଳନ କରିବା ଉଚିତ, ନ କଲେ କେବଳ ଆମ୍ଭମାନେ ଯେ ମିଥ୍ୟାବାଦୀ ଆଉ ଅବିଶ୍ୱାସୀ ହେବା ଏମନ୍ତ ନୁହେଁ, ଅନ୍ୟ ଲୋକରସୁଦ୍ଧା ଅକାରଣରେ ଅପକାର ହେବ । ଅମୁକ କର୍ମ କରିବା ବୋଲି ଯେତେବେଳେ ଆମ୍ଭେମାନେ ଅନ୍ୟ ଲୋକଙ୍କୁ ଭରସା ଦେଉଁ ସେତେବେଳେ ସେ ସେଇ ପ୍ରତିଜ୍ଞା ବାକ୍ୟରେ ଆଶା ରଖି ସକଳ ବିଷୟ ସମାଧା କରେ । ମାତ୍ର ଯେବେ ସେଇ ପ୍ରତିଜ୍ଞା ସତ୍ୟରୂପେ ପ୍ରତିପାଳିତ ନ ହୁଏ, ତେବେ ସେ ଲୋକକୁ ଆଶା ଦେଇ ନିରାଶ କରାଯାଏ । ପୁନଶ୍ଚ ସେ ବ୍ୟକ୍ତି ଉକ୍ତ ବାକ୍ୟରେ ବିଶ୍ୱାସ କରି ଯେଉଁ ବିଷୟ ସମାଧାନ କରିଥିବ ତହିଁର ମଧ୍ୟ ଅନେକ ବିଶୃଙ୍ଖଳା ହୁଏ । ଅତଏବ କ୍ଷତି ହେଲେହେଁ ପ୍ରତିଜ୍ଞା ପ୍ରତିପାଳନ ନ କଲେ, ଲୋକେ ନିତାନ୍ତ ଅଯଥାର୍ଥ ବୋଧ କରନ୍ତି; ଜନ୍ମାବଧି ଆଉ କେହି ତାହା କଥାରେ ବିଶ୍ୱାସ କରନ୍ତି ନାହିଁ ।

Image

 

ଜଣେ ମୁର ଲୋକ ଆଉ ଜଣେ ସ୍ପେନ-ଦେଶୀୟ ଲୋକ

 

ଅନେକ ଦିନ ହେଲା, ସ୍ପେନ-ଦେଶରେ କେତେକ ଭାଗରେ ମୁର ଜାତିଙ୍କର ଅଧିକାର ଥିଲା । ଏକ ଦିନ, ସେଠାରେ ହଠାତ୍ କଳହ ଉପସ୍ଥିତ ହେବାରୁ ସ୍ପେନ-ଦେଶୀୟ କୌଣସି ଭଦ୍ର ଲୋକ ମୁର-ଜାତୀୟ ଜଣକର ପ୍ରାଣବଧ କରି ଅତିଶୀଘ୍ର ପଳାଇଗଲା, ଏବଂ ସମ୍ମୁଖରେ ଏକ ଉଦ୍ୟାନ ଦେଖି ପ୍ରାଚୀର ଡେଇଁ ତହିଁ ମଧ୍ୟରେ ପ୍ରବେଶ ହେଲା । ଯେଉଁମାନେ ତାକୁ ଧରିବାଲାଗି ପଛେ ପଛେ ଧାଇଁଥିଲେ ସେମାନେ ଜାଣି ପାରିଲେ ନାହିଁ । ସେ ଉଦ୍ୟାନ ଜଣେ ମୁର ଲୋକର । ମୁର ସେତେବେଳେ ଉଦ୍ୟାନରେ ଥିଲା; ତାହାର ଶରଣାଗତ ହୋଇ ସେ ପ୍ରାର୍ଥନା କଲା, ଆପଣ କୃପା କରି ଆମ୍ଭକୁ ଲୁଚାଇ ରଖୁନ୍ତୁ, ଆମ୍ଭେ ଏହି ବିଷମ ବିପଦରେ ପଡ଼ିଅଛୁଁ ।

 

ମୁରମାନଙ୍କର ଏହି ବ୍ୟବହାର ଥିଲା କି ଯେଉଁ ବ୍ୟକ୍ତି କେତେବେଳେ ଥରେ ସେମାନଙ୍କ ସହିତ ଏକତ୍ର ଆହାର କରିଥିବ, ତାକୁ ବିପଦ-କାଳରେ ଅବଶ୍ୟ ରକ୍ଷା କରିବେ । ଉଦ୍ୟାନସ୍ୱାମୀ ମୁରାଘାତକକୁ ନିର୍ଭୟ ଆଉ ନିଋଦ୍ୱେଗରେ ରକ୍ଷା କରିବା ନିମନ୍ତେ ଏକ ଫଳ ନେଇ ଦୁଇ ଜଣେ ଭକ୍ଷଣ କଲେ, ଏବଂ କହିଲେ, ଅନ୍ଧକାର ହେଲେ ଏ ସ୍ଥାନଠାରୁ ନିଃଶଙ୍କ ସ୍ଥାନକୁ ପଠାଇ ଦେବା; ବର୍ତ୍ତମାନ ଏଠାରେ ଥାଅ, ଏ କଥା କହି ତାକୁ ଗୃହ ମଧ୍ୟରେ ଲୁଚାଇ ରଖିଲା ।

 

ତଦନନ୍ତର ମୁର ଆପଣା ଘରକୁ ଯାଇ ପହୁଞ୍ଚିଲା ମାତ୍ରକେ କେତେକ ଜଣ ଲୋକ ତାହା ପୁତ୍ରର ମୃତ ଦେହକୁ ନେଇ ହାହାକାର ଶଦ୍ଦ କରି ଗୃହ ଦ୍ୱାରରେ ଉପସ୍ଥିତ ହେଲେ । ସେ ଅତିଶୀଘ୍ର ଜାଣି ପାରିଲା ଯେ, ଆମ୍ଭେ ଯାହାକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିଅଛୁଁ, ସେହି ଆମ୍ଭ ପୁତ୍ରର ପ୍ରାଣହନ୍ତା । ଯାହା ହେଉ, ସେତେବେଳେ ସେ କାହାରିକୁ କିଛି ନ କହି ସନ୍ଧ୍ୟାବେଳେ ଉଦ୍ୟାନରେ ପ୍ରବେଶ ହୋଇ ଆପଣା ପୁତ୍ରଘାତକକୁ ଘରୁ ବାହାର କରି ଆଣି କହିଲା, ତୁମ୍ଭେ ଯାହାର ପ୍ରାଣ ବଧ କରିଅଛ ସେ ଆମ୍ଭର ପୁତ୍ର । ତୁମ୍ଭର ଏହି ପାପର ଫଳ ଭୋଗ କରିବା ଆବଶ୍ୟକ ଆଉ ଉଚିତ ଅଟେ; ତଥାପି ଆମ୍ଭେ ତୁମ୍ଭର ପ୍ରାଣ ରକ୍ଷାର ପ୍ରତିଜ୍ଞା କରିଅଛୁଁ, ଆମ୍ଭେ ପ୍ରାଣାନ୍ତରେସୁଦ୍ଧା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ, ତୁମ୍ଭେ କିଛି ଭୟ କର ନା, ବର୍ତ୍ତମାନ ଏକ ଅତି ଶୀଘ୍ରଗାମୀ ଅଶ୍ୱ ଦେଉଅଛୁଁ, ତାହା ଉପରେ ଆରୋହଣ କରି ରାତ୍ରଯାକ ବିଶ୍ରାମ ନ କରି ପଳାଇ ଯାଅ, କାଲି ପ୍ରାତଃକାଳେ ନିଃଶଙ୍କ ଆଉ ନିରାପଦ ସ୍ଥାନରେ ପ୍ରବେଶ ହେବ । ତୁମ୍ଭେ ଆମ୍ଭର ପୁତ୍ର-ହତ୍ୟା କରିଅଛ, ତଥାପି ତୁମ୍ଭର ପ୍ରାଣଦଣ୍ଡ କରିବାକୁ ଯେ ଆମ୍ଭର ପ୍ରବୃତ୍ତ ନୋହିଲା, ଏବଂ ଆମ୍ଭର ପ୍ରତିଜ୍ଞା ପ୍ରତିପାଳନ ହେଲା, ଏଥିରେ ଆମ୍ଭେ ଜଗଦୀଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁଁ ।

Image

 

ସତ୍ୟ

 

ସର୍ବଦା ସକଳ ବିଷୟରେ ସତ୍ୟପରାୟଣ ହେବା ଅତି ଆବଶ୍ୟକ । ସତ୍ୟବାଦୀ ସର୍ବତ୍ର ଆଦରଣୀୟ ଆଉ ସକଳ ଲୋକଙ୍କର ବିଶ୍ୱାସପାତ୍ର ହୁଏ । ମିଥ୍ୟା କଥା କହିବାଲାଗି ଭଲ ମଣନ୍ତି, ଅନେକ ଲୋକଙ୍କର ଏରୂପ ନୀଚ ସ୍ୱଭାବ ଅଛି । ମିଥ୍ୟାବାଦି ବ୍ୟକ୍ତି କେବଳ ଆପଣାକୁ ସକଳ ଲୋକଙ୍କର ଅବଜ୍ଞେୟ ଆଉ ଅବିଶ୍ୱାସପାତ୍ର କରେ ଏମନ୍ତ ନୁହେ, ମିଥ୍ୟା କହି ଅନ୍ୟ ଲୋକରମଧ୍ୟେ ନିତାନ୍ତ ଅପକାରକ ହୁଏ ।

 

ଜଣେ ପଥିକ ଯେବେ ନିତାନ୍ତ ପଥଶ୍ରମୀ ହୋଇ ରାତ୍ର ନିକଟ ଥିବା ସମୟରେ ଅମୁକ ଗ୍ରାମ କେତେ ଦୂର ବୋଲି କାହାରିକୁ ପଚାରେ, ସେ ଗ୍ରାମ ବାସ୍ତବ ସେଠାରୁ ଅନେକ ଦୂର, ମାତ୍ର ସେ ବ୍ୟକ୍ତି ମିଥ୍ୟା କରି କହେ ଅତି ନିକଟ, ସନ୍ଧ୍ୟା ହେଉ ସେଠାରେ ପହୁଞ୍ଚି ପାରିବ । ତେବେ ପଥିକ ସେ କଥାକୁ ସତ୍ୟ ମାନି ପ୍ରସ୍ଥାନ କରେ । ନିର୍ଦ୍ଧାରିତ ସ୍ଥାନରେ ପହୁଞ୍ଚିବା ପୂର୍ବରେ ରାତ୍ର ହୁଏ । ଏପ୍ରକାର ହେଲେ ସେଇ ପଥିକ ଏକାକୀ ଡକାଇତପୂର୍ଣ୍ଣ ପାଟବିଲରେ ଅଥବା ହିଂସ୍ର ଜନ୍ତୁପୂର୍ଣ୍ଣ ଅରଣ୍ୟରେ ଉପସ୍ଥିତ ହୋଇ ଅନାୟାସରେ ପ୍ରାଣ ହରାଇ ପାରେ ଅଥବା ବିପଦରେ ପଡ଼ି ପାରେ । କିନ୍ତୁ ଯେବେ ସେ ବ୍ୟକ୍ତି ସତ୍ୟ କଥା କହେ, ତେବେ ସନ୍ଧ୍ୟା ମଧ୍ୟରେ ଗ୍ରାମଠାରେ ପହୁଞ୍ଚିବାର ସମ୍ଭାବନା ନାହିଁ, ଏକଥା ଜାଣି ପଥିକ ସେଇ ରାତ୍ର ସେହି ସ୍ଥାନରେ ଅବସ୍ଥିତ କରିବ ସନ୍ଦେହ ନାହିଁ । ଅତଏବ ଦେଖ ସତ୍ୟ ନ କହି ମିଥ୍ୟା କହିଲେ ଅନାୟାସରେ ଜଣକର ପ୍ରାଣ ନାଶ ଅଥବା ବିପଦ ଘଟି ପାରେ ।

 

ଅନ୍ୟାନ୍ୟ ନାନା ବିଷୟରେ ସୁଦ୍ଧା ମିଥ୍ୟା କଥା କହିବାରୁ ଯଥେଷ୍ଟ ଅନିଷ୍ଟ ଘଟେ । ମିଥ୍ୟା ସାକ୍ଷ୍ୟଦ୍ୱାରା କେତେ ଲୋକର ସର୍ବନାଶ ଆଉ ପ୍ରାଣଦଣ୍ଡ ପର୍ଯ୍ୟନ୍ତ ହେଉଅଛି । ଅତଏବ ଯେଉଁ ବ୍ୟକ୍ତି ସଂସାରରେ କାହାରି ଅପକାର ନ କରି ଉପକାର କରିବାକୁ ଇଚ୍ଛା କରେ, ତାହାର ବାଲ୍ୟାବସ୍ଥାକୁ ପରମ ଯତ୍ନରେ ସତ୍ୟ କହିବାକୁ ଅଭ୍ୟାସ କରିବା ଅତି ଆବଶ୍ୟକ ।

 

ମିଥ୍ୟା କହିବାର ନାନା ପ୍ରକାର ଅଛି, ତନ୍ମଧ୍ୟରେ ଯଦ୍ୟପି ସବୁସ୍ଥଳରେ ସମାନ ଅପକାର ଜନ୍ମେ ନାହିଁ ତଥାପି ସମୁଦାୟ ହେୟ ଆଉ ଘୃଣିତ ବୋଧ କରି ପରିତ୍ୟାଗ କରିବା ଉଚିତ ଅଟେ । ଯେବେ ନିର୍ବୋଧ ବାଳକ କୌଣସି ମନ୍ଦ କର୍ମ କରେ, ପିତା ମାତା କିମ୍ୱା କର୍ତ୍ତୃପକ୍ଷ ଶୁଣି ଅସନ୍ତୁଷ୍ଟ ହୋଇ ପାରିବେ ପୁଣି ତାହା ନାମରେ ସେଥି ଲାଗି ଅଭିଯୋଗ ଉପସ୍ଥିତ ହେବ, ତେବେ ପଛେ ଦୁର୍ନାମ, ଦଣ୍ଡ ଅଥବା ତିରସ୍କାର ହେବ; ଏହି ଭୟରେ ସେ ଏକାବେଳକେ ସ୍ୱୀକାର ନ କରେ-। ମାତ୍ର ଯେବେ ସେହି ବାଳକ ସୁବୋଧ ହୋଇଥାଏ, ଏବଂ ତାହାର ହିତାହିତ ବିବେଚନା ଶକ୍ତି ଥାଏ, ତେବେ ସେ ଦୁର୍ନାମ, ଦଣ୍ଡ ଆଉ ତିରସ୍କାର ସ୍ୱୀକାର କରିସୁଦ୍ଧା ସତ୍ୟ କହେ, ପ୍ରାଣାନ୍ତ ହେଲେହେଁ ମିଥ୍ୟା କହେ ନାହିଁ; କାରଣ କି, ସେ ଅନାୟାସରେ ବୁଝିପାରେ, ଥରେ ଏକ ମିଥ୍ୟା ବାକ୍ୟ କହିଲେ ସେହି ମିଥ୍ୟାଟି ଘୋଡ଼ାଇବା ଲାଗି ଆଉ ପାଞ୍ଚ ମିଥ୍ୟା କହିବାକୁ ହେବ । ଏହି ରୂପେ ମିଥ୍ୟା କହୁଁ କହୁଁ ଅଭ୍ୟାସ ହୋଇଯିବ । ଯେ ସର୍ବଦା ମିଥ୍ୟା କହେ, କେହି ତାହା କଥାରେ ବିଶ୍ୱାସ କରେ ନାହିଁ । ଲୋକେ ଯାହା କଥାରେ ବିଶ୍ୱାସ ନ କରନ୍ତି, ସେ ଅତି ହତଭାଗ୍ୟ ନରାଧମ ।

 

କେହି କେହି ଇଚ୍ଛା କରି ଅକାରଣରେ ମିଥ୍ୟା କହନ୍ତି । ପ୍ରବଞ୍ଚନା, ପରର ଅପକାର କିମ୍ୱା ଆପଣାର ଅଭୀଷ୍ଟ ସାଧନ ଏପ୍ରକାର ମିଥ୍ୟା କହିବାର ଉଦ୍ଦେଶ୍ୟ ନୁହେ । ଅସାବଧାନତା, ବ୍ୟଗ୍ରତା ଅଥବା ବର୍ଣ୍ଣନୀୟ ପଦାର୍ଥର ଉତ୍କର୍ଷ ଦେଖାଇବା ଇଚ୍ଛା ତାହାର ମୂଳକାରଣ ଅଟେ । ଯାହା କହେ, ଅଥବା ବର୍ଣ୍ଣନା କରେ, ତାହା ସତ୍ୟ କି ନାହିଁ, ଏ ବିଷୟରେ ମନୋଯୋଗ ନ କରି ଶ୍ରୋତାମାନେ ଯହିଁରେ ସନ୍ତୁଷ୍ଟ ହେବେ ସେହି ରୂପେ କହନ୍ତି । ଅନେକ ଲୋକଙ୍କର ଏରୂପ ସ୍ୱଭାବ ଅଛି ଯେ, କୌଣସି ଅତି ସାମାନ୍ୟ ବସ୍ତ୍ର କିମ୍ୱା ଅତି ସାମାନ୍ୟ ଘଟଣା ଦେଖି ଆସି ଶ୍ରୋତାମାନଙ୍କୁ ଚମତ୍କୃତ କରିବା ନିମନ୍ତେ ତାକୁ ଶତ ଗୁଣରେ ଅଧିକ କରି ଆଉ ନାନା ଅଳଙ୍କାର ଦେଇ ବର୍ଣ୍ଣନା କରନ୍ତି । ଏରୂପ ମିଥ୍ୟା କହିବାରେ ଅନ୍ୟ ଲୋକର କୌଣସି ଅପକାର ଘଟେ ନାହିଁ ସତ୍ୟ, ତଥାପି ଅତ୍ୟନ୍ତ ହେୟ, ଆଉ ଅବଜ୍ଞେୟ, କୌଣସି ସନ୍ଦେହ ନାହିଁ ।

 

ଆଉ ଏକ ପ୍ରକାର ମିଥ୍ୟା କଥା ଅଛି, ତାହା ଏହି; ମୁଖରେ ଏକ ପ୍ରକାର କହିବା, କିନ୍ତୁ ତାହାର ଅଭିପ୍ରାୟ ଅନ୍ୟ ପ୍ରକାର । ଏକଥା ଯଦ୍ୟପି ହଠାତ୍ ମିଥ୍ୟା ବୋଲି ପ୍ରତୀତ ନ ହୁଏ, କିନ୍ତୁ ବାସ୍ତବ ମିଥ୍ୟା ଜ୍ଞାନ କରି ସର୍ବଦା ସର୍ବ ପ୍ରଯତ୍ନରେ ତାହା ପରିତ୍ୟାଗ କରିବା ଉଚିତ । ଯେଉଁ ସକଳ ଲୋକେ ଏହି ନୀଚ ବ୍ୟବହାର ଅବଲମ୍ବନ କରି ଚଳନ୍ତି, ସେମାନେ ମନେ କରନ୍ତି ଯେ, ମୁଖରେ ଯେଉଁ ଯେଉଁ କଥା କହନ୍ତି ତାହା ମିଥ୍ୟା ନୁହେଁ, ସୁତରାଂ ତହିଁରେ କୌଣସି ଦୋଷ ଅଥବା ପାପ ନାହିଁ-। କିନ୍ତୁ ଏ ଭ୍ରମଯୁକ୍ତ କଥା । ଯେତେବେଳେ ସେମାନେ ସେହି କଥା ଦ୍ୱାରା ଅନ୍ୟ ଅର୍ଥ ପ୍ରତୀତ କରାଇ ଦେଇ ଲୋକଙ୍କୁ ପ୍ରତାରଣା କରିବା ଲାଗି ଉଦ୍ୟତ ହେଉଅଛନ୍ତି, ସେତେବେଳେ ତାହା ମିଥ୍ୟା ବାହାରେ ଆଉ କି ବୋଲା ଯାଇପାରେ ? ଏ ରୂପ କଥା କହିବାରେ ପ୍ରତାରଣା ହୁଏ ମଧ୍ୟ ମିଥ୍ୟା କହିବାର ଫଳ ଜନ୍ମ ହୁଏ, ସନ୍ଦେହ ନାହିଁ ।

Image

 

ଏମୀଲିୟା

 

ବରଫୋର୍ଡ଼ ନାମରେ ଏକ ବ୍ୟକ୍ତି ବ୍ରିଷ୍ଟଲ ନଗରରେ ବାଣିଜ୍ୟ ବ୍ୟବସାୟ କରୁଥିଲା । ଦୈବାତ୍ ସେ ଦୁଆଳିୟା ହୋଇ ଯିବାରେ କିଛି ଦିନ ଓଶେଲସ୍ ଦେଶକୁ ଯାଇ ଅବସ୍ଥିତି କଲା । ତାହାର ଭାର୍ଯ୍ୟାର କିଚି ସ୍ତ୍ରୀଧନ ଥିଲା, କେବଳ ତହିଁରୁ ଯାହା କିଛି ଉପସ୍ୱତ୍ୱ ପାଏ ତଦ୍ଦ୍ୱାରା ଅତ୍ୟନ୍ତ ପରିମିତ ରୂପେ ସଂସାରଯାତ୍ରା ନିର୍ବାହ କରେ । ଏବଂ ଏହି ଆଶା ଉପରେ ନିର୍ଭର କରି ରହିଲା ଯେ, ମହାଜନଠାରୁ ମୁକ୍ତି ପାଇଲେ ଲଣ୍ଡନ ନଗରସ୍ଥ ବାଣିଜ୍ୟ ବ୍ୟବସାୟୀ ସର୍‍ ଜେମ୍‍ସ ଏମ୍ବରି ତାକୁ ଆପଣା ବ୍ୟବସାୟର ଭାଗୀ କରିବ ।

 

ଏମୀଲିୟା ନାମ୍ନୀ ତାହାର ଦୁହିତା ଥିଲା । ସେ ବାଲ୍ୟକାଳରୁ ଅତିଶୟ ଆଦର ପାଇ ଭାରି ଦୁଃଶୀଲା ହୋଇ ଯାଇଥାଏ । ସେ ଏମନ୍ତ ଗର୍ବିତା ଥିଲା କି, ତାହାର ପିତା ଓ ଜ୍ଞାତିବର୍ଗ ଦରିଦ୍ର ହୋଇଅଛନ୍ତି ବୋଲି ଚିନ୍ତା କରିବାରୁ ମନରେ ଅତିଶୟ ସନ୍ତାପ ପାଉଥିଲା । ଦିନକରେ ସେ ଡାକ ଗାଡ଼ି ଚଢ଼ି ପିତାଙ୍କୁ ସାକ୍ଷାତ୍ କରିବା ନିମନ୍ତେ ଯାଉଥିଲା । ସେ ଗାଡ଼ିରେ ଆହୁରି ତିନିଜଣ ଭଦ୍ରଲୋକ ଥିଲେ । ଯିବା ବେଳେ ଗାଡ଼ି ମଧ୍ୟରେ ସେ ମିଥ୍ୟା କରି, ଆପଣାର ଗାଡ଼ି, ଘୋଡ଼ା, ଦାସ, ଦାସୀ, ପିତାଙ୍କର ଅଟ୍ଟାଳିକା ପ୍ରଭୃତି ଅଶେଷ ଐଶ୍ୱର୍ଯ୍ୟ ବର୍ଣ୍ଣନା କରିବାକୁ ଲାଗିଲା । ତହିଁରୁ ସ୍ପଷ୍ଟ ଜଣା ଯାଇପାରେ ଯେ, ସେତେବେଳ ପର୍ଯ୍ୟନ୍ତେ ସୁଦ୍ଧା ତାହା ପିତାର ଅନେକ ସମ୍ପତ୍ତି ଥିଲା, ବାସ୍ତବ ତାହାର କିଛି ନାହିଁ ।

 

ସେଇ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ତାହା ପିତାର ମହାଜନ ଥିଲେ । ତାହା ପିତା ପୂର୍ବ ସମ୍ପତ୍ତିରୁ କିଛି ଲୁଚାଇ ରଖିଥିବ ବୋଲି ସନ୍ଦେହ କରି ସେମାନେ ଅଦ୍ୟାବଧି ତାହା ପିତାକୁ ନିଷ୍କୃତି ଦେଇ ନ ଥିଲେ । ବର୍ତ୍ତମାନ ତାହା କନ୍ୟାର ଏହି ରୂପ ବାକ୍ୟ ଶୁଣି ସେହି ସନ୍ଦେହ ଦୃଢ଼ୀକୃତ ହେଲା, ମାତ୍ର ନିତାନ୍ତ ନିଃସନ୍ଦେହ ହେବା ସକାଶେ କନ୍ୟାକୁ ପଚାରିଲେ, ତୁମ୍ଭ ପିତାଙ୍କର ନାମ କି ? ଏବଂ ତୁମ୍ଭେ ଯେଉଁ ପ୍ରକାର ତାଙ୍କ ଐଶ୍ୱର୍ଯ୍ୟ କଥା କହିଲ, ତାହା ସତ୍ୟ କି ନାହିଁ ? କନ୍ୟା ପ୍ରଥମେ ଐଶ୍ୱର୍ଯ୍ୟ ବିଷୟ ଯାହା କହିଥିଲା, ତାହା ବର୍ତ୍ତମାନ ଅସ୍ୱୀକାର କରିଥାନ୍ତା, ମାତ୍ର ତାହା କଲେ ଆପେ ମିଥ୍ୟାବାଦିନୀ ହେବ ଏ ସକାଶେ ଅସ୍ୱୀକାର କରିପାରିଲା ନାହିଁ । ଅକାପଟ୍ୟ କାହାକୁ ବୋଲାଯାଏ ସେ ନଜାଣେ; ସୁତରାଂ ପ୍ରଥମେ ଯେରୂପ କହିଥିଲା ଦ୍ୱିତୀୟ ଥର ସୁଦ୍ଧା ସେହି ରୂପ କହିଲା ।

 

ତଦ୍ଦ୍ୱାରା ମହାଜନମାନେ ବରଫୋର୍ଡ଼କୁ ଅତ୍ୟନ୍ତ ଅଧାର୍ମିକ ସ୍ଥିର କରି ତାହା ଉପରେ ଏମନ୍ତ ବିରକ୍ତ ହେଲେ ଯେ, ତାକୁ କେବଳ ଋଣ ମୁକ୍ତି ଦେବାକୁ ଅସ୍ୱୀକାର କଲେ ଏମନ୍ତ ନୁହେଁ, ମାତ୍ର ସର୍‍ ଜେମସ୍‍ ଏମ୍ବରିକି ସୁଦ୍ଧା ଏହି ବିଷୟ ସବୁ ଜଣାଇଲେ । ତାହା ଶୁଣି ଏମ୍ବରି ବରଫୋର୍ଡ଼କୁ ଏକ ପତ୍ର ଲେଖିଲେ, ସେଥିର ମର୍ମ୍ମ ଏହି, ଆମ୍ଭେ ତୁମ୍ଭକୁ ଆଉ ଆମର ଭାଗିଦାର କରିବୁଁ ନାହିଁ, ତୁମ୍ଭ ଅପେକ୍ଷା ଧର୍ମପରାୟଣ ଅନ୍ୟ ଜଣକୁ ସ୍ଥିର କରିଅଛୁଁ ।

 

ଏହି ରୂପେ ଏହି ଆତ୍ମାଭିମାନିନୀ ମିଥ୍ୟା କଥା କହି ପିତାଙ୍କ ଆଶା ଭରସା ସବୁ ଏକାବେଳକେ ଉଚ୍ଛନ୍ନ କରିଦେଲା । ବରଫୋର୍ଡ଼ ପୀଡ଼ିତ ଥିଲା, ତଥାପି ଏହି ପତ୍ର ପାଇଲା ମାତ୍ରେ ମିଥ୍ୟା ଦୋଷ କ୍ଷାଳନ ନିମନ୍ତେ ଅତିଶୀଘ୍ର ଲଣ୍ଡନକୁ ପ୍ରସ୍ଥାନ କଲା । ଡାକଗାଡ଼ିରେ ଖର୍ଚ୍ଚା ଦେଇ ତହିଁରେ ଆରୋହଣ କରି ଯିବା ସକାଶେ ତାହାର ବିଷୟ ନଥିଲା । ଏହେତୁରୁ ତାକୁ ପାଦରେ ଚାଲିଯିବାକୁ ହେଲା । ପରିଶ୍ରମରେ ପୀଡ଼ା ଅତ୍ୟନ୍ତ ବଢ଼ି ଯିବାରୁ ଭାଜପଥ ନିକଟବର୍ତ୍ତୀ ଏକ ଗୃହରେ ସେ ଅବସ୍ଥାନ କଲା । ସେହି ସମୟରେ ଜେମ୍‍ସ ଏମ୍ବରି ସ୍ତ୍ରୀ ସହିତ ହୋଇ ଓୟେଲ୍‍ସ ପ୍ରଦେଶକୁ ଯାଉଥିଲେ; ସେ ମଧ୍ୟ ସେହି ରାତ୍ରି ଉକ୍ତ ପଥିକ ନିବାସରେ ରହିଲେ; ଏବଂ ଗୋଟିଏ ଦରିଦ୍ର ପଥିକ ସେଠାରେ ପୀଡ଼ିତ ହୋଇ ରହିଅଛି ଶୁଣି କରି ଅନ୍ତଃକରଣରେ ଦୟା ଉଦୟ ହେବାରେ ସେ ସ୍ତ୍ରୀ ପୁରୁଷ ଦୁଇ ଜଣେ ଦେଖିବାକୁ ଗଲେ ।

 

ଏମ୍ବରି, ହତଭାଗ୍ୟ ବର୍‍ର୍ଫୋର୍ଡ଼କୁ ଏହି ରୂପ ପୀଡିତ ଦେଖି ଏବଂ ହାୟ ! ଆମ୍ଭ କନ୍ୟା ମିଥ୍ୟା କହି ଆମ୍ଭର ସର୍ବାନଶ କଲା ଇତ୍ୟାଦି ପ୍ରଳାପ ବାକ୍ୟ ଶୁଣି ବିସ୍ମୟାପନ୍ନ ହେଲେ । ବାସ୍ତବ ପୂର୍ବୋକ୍ତ ପ୍ରଳାପ ବାକ୍ୟରେ ବରର୍ଫୋର୍ଡ଼ର ଆରୋପିତ ଦୋଷ କ୍ଷାଳନର ଉତ୍ତମ ଉପାୟସ୍ୱରୂପ ହୋଇଥିଲା । ଏମ୍ବରି ସେଇ ପ୍ରଳାପ ବାକ୍ୟ ଶ୍ରବଣରେ ତାହା ନିର୍ଦ୍ଦୋଷତା ବିଷୟରେ ନିଃସନ୍ଦେହ ହୋଇ ତାହାର ଆରୋଗ୍ୟ ନିମନ୍ତେ ଚେଷ୍ଟା କରିବା ପାଇଁ କୌଣସି ରୂପେ ତ୍ରୁଟି କଲେ ନାହିଁ । ବରଫୋର୍ଡ଼ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ପ୍ରାପ୍ତ ହୋଇ ଆପଣା ଗୃହକୁ ପ୍ରତ୍ୟାଗମନ କଲା । ମାତ୍ର ତାହାର ଦୁଃଶୀଳା କନ୍ୟା ଦୋଷରେ ପୁନର୍ବାର ବାଣିଜ୍ୟ କର୍ମରେ ପ୍ରବର୍ତ୍ତ ହେବାର ସୁଯୋଗ ନଷ୍ଟ ହୋଇଥିଲା । ସୁତରାଂ କିଛି ଦିନବାଦ ସେ ଅନାୟତ୍ତତାରେ ଏକ ଅଳ୍ପଲାଭଜନକ କର୍ମ ପାଇ ସନ୍ତୁଷ୍ଟ ରହିଲା ।

 

ଅତଏବ ଦେଖ, ସତ୍ୟ ମାର୍ଗ ପରିତ୍ୟାଗ କରି ଅସତ୍ୟ ମାର୍ଗରେ ପାଦେସୁଦ୍ଧା ଚଳିଲେ କେତେ ବିପଦ ଘଟେ ।

Image

 

ମହାନୁଭାବତା

 

କୌଣସି କୌଣସି ଲୋକେ ଅତି ତୁଚ୍ଛ ବିଷୟରେ ସୁଦ୍ଧା ନିତ୍ୟ ଦୋଷାନୁସନ୍ଧାନ କରନ୍ତି-। ଯେବେ କେହି କୌଣସି ଅପକାର ମନେ ନକରି ହଠାତ୍ ଗୋଟିଏ ଅତି ସାମାନ୍ୟ ଅପରାଧ କରେ, ତେବେ ସେମାନେ ଅତ୍ୟନ୍ତ କ୍ରୋଧ କରନ୍ତି । ସେମାନେ ସମାନ ବ୍ୟବସାୟୀମାନଙ୍କ ଠାରେ ଇର୍ଷା କରନ୍ତି, ପରଶ୍ରୀ ଦେଖି କାତର ହୁଅନ୍ତି । କେହି କୌଣସି କ୍ଷୁଦ୍ର ଅପକାର କଲେ ହେଁ ସେମାନେ ଚିରକାଳ ମନେ ରଖିଥାନ୍ତି ଏବଂ ସୁଯୋଗ ପାଇଲେ ତହିଁର ପ୍ରତିଫଳ ଦିଅନ୍ତି, ଏମନ୍ତ ଲୋକଙ୍କୁ ଲଘୁଚେତା କୁହାଯାଏ ।

 

କିନ୍ତୁ ମହାନୁଭାବ ଲୋକଙ୍କର ଏରୂପ ସ୍ୱଭାବ ନାହିଁ । ହାଠାତ୍ ସେମାନଙ୍କର କ୍ରୋଧ ଜନ୍ମେ ନାହିଁ, ଜନ୍ମିଲେ ମଧ୍ୟ ଅନେକ ବେଳ ଯାଏ ରହେ ନାହିଁ । ଯଦ୍ୟପି ସେମାନେ କୌଣସି ବିଷୟରେ ହତଭାଗ୍ୟ ହୁଅନ୍ତି, ଅନ୍ୟ ବ୍ୟକ୍ତିକୁ ତଦ୍ୱିଷୟରେ କୃତକାର୍ଯ୍ୟ ହେବାର ଦେଖିଲେ ଆନନ୍ଦିତ ହୁଅନ୍ତି । ସେମାନେ ପଡ଼ୋଶିମାନଙ୍କର ସମାନ ହେବା ଲାଗି ଚେଷ୍ଟା କରନ୍ତି ସତ୍ୟ, ମାତ୍ର କଦାପି ବିଦ୍ୱେଷାଚରଣ କରନ୍ତି ନାହିଁ । ଅସାବଧାନତା ହେତୁରୁ କେହି କୌଣସି ଅପରାଧ କଲେ, ଯଦ୍ୟପି ତଦ୍ଦ୍ୱାରା ସେମାନଙ୍କର ଭାରି କ୍ଷତି ହୁଏ, ସେମାନେ ଅନାୟାସରେ ତାହା ସମାଧାନ କରନ୍ତି । ଇଦୃଶ୍ୟ ଲୋକେ ଆପଣାର ଆପଣାର ବାଞ୍ଛିତ ସମ୍ପାଦନ ନିମନ୍ତେ ଚାତୁରୀ, ପ୍ରବଞ୍ଚନା ଅବା ଅନ୍ୟ କୌଣସି ଗର୍ହିତ ଉପାୟାବଲମ୍ବନରେ କଦାପି ସମ୍ମତ ହୁଅନ୍ତି ନାହିଁ । ଅତି ସାମାନ୍ୟ ଲୋକସୁଦ୍ଧା ଯେବେ ଧାର୍ମିକ ଆଉ ସଚ୍ଚରିତ୍ର ହୁଏ, ତାକୁ ସେମାନେ ଆଦର କରିଥାନ୍ତି । ସେମାନେ କଦାପି କାହାରି ଦ୍ୱେଷ କରନ୍ତି ନାହିଁ । ପରର ଅପବାଦ କିମ୍ୱା ଅନିଷ୍ଟାଚରଣରେ କଦାପି ପ୍ରବୃତ୍ତ ହୁଅନ୍ତି ନାହିଁ-। ଏହି ସ୍ୱଭାବକୁ ମହାନୁଭବତା କୁହାଯାଏ-। ଏହି ଅସାଧାରଣ ଗୁଣ ଜଗତରେ ଅତି ଅଳ୍ପ ଦେଖା ଯାଉଅଛି । ଅନ୍ୟ ଅନ୍ୟ ସାଧାରଣ ଲୋକେ ଏହି ଗୁଣକୁ ବିଶେଷ ପ୍ରଶଂସା କରନ୍ତି ।

Image

 

ମାସିଡ଼ୋନିୟାର ରାଜା ଫିଲିପ୍

 

ଏକ କାଳରେ ମାସିଡ଼ୋନିୟାର ଅଧୀଶ୍ୱର ଫିଲିପ୍ ଶୁଣିଲେ ଯେ, ଏଥିନୀୟ ଦେଶର ସଦ୍ୱକ୍ତା ପଣ୍ଡିତମାନେ ସର୍ବତ୍ର ତାହାର ମିଥ୍ୟାପବାଦ ପ୍ରଚାର କରୁଅଛନ୍ତି । ମାତ୍ର ସେ ଏମନ୍ତ ମହାନୁଭବ ଥିଲେ ଯେ, ତହିଁରେ ରୋଷ ଅବା ଅସନ୍ତୋଷ ପ୍ରକାଶ କଲେ ନାହିଁ, କେବଳ କହିଲେ, ଏଥିଉତ୍ତାରୁ ଆମ୍ଭେ ଏମନ୍ତ ଚଳିବା କି, ଆମ୍ଭର ଅପବାଦକାରୀମାନଙ୍କୁ ସମସ୍ତେ ମିଥ୍ୟାବାଦୀ ବୋଧ କରିବେ ।

 

କୌଣସି ସମୟରେ ଜଣେ ପ୍ରଜା ତାଙ୍କୁ ଉପହାସ କରିବାରେ ଅନେକ ଲୋକେ ତାକୁ ବାହାର କରି ଦେବା ପାଇଁ ପରାମର୍ଶ ଦେଲେ । ମାତ୍ର ରାଜା କହିଲେ, ସେ ଉପହାସ କରି ପାରେ, ଆମ୍ଭେ କେବେ ଏମନ୍ତ କୌଣସି କର୍ମ କରିଅଛୁଁ କି ନାହିଁ ଆଗେ ତାହା ବୁଝିବା ଆବଶ୍ୟକ । ଅନନ୍ତର ଅନୁସନ୍ଧାନ କରି ଜାଣିଲେ, ସେ ବ୍ୟକ୍ତି କୌଣସି ବିଷୟରେ ତାଙ୍କର ସାହାଯ୍ୟ କରିଥିଲା, ମାତ୍ର କିଛି ପୁରସ୍କାର ପାଇ ନାହିଁ । ସେତେବେଳେ ଆପଣାର ଦୋଷ ସ୍ୱୀକାର କଲେ ଏବଂ ତତ୍‍କ୍ଷଣାତ୍‍ ତାକୁ ଯଥାଯୋଗ୍ୟ ପୁରସ୍କାର ଦେବାକୁ ଆଜ୍ଞା ଦେଲେ ।

Image

 

ହେବେନା ଦେଶର ଶାସନକର୍ତ୍ତା

 

ଯେତେବେଳେ ଦୁଇ ଜାତି ମଧ୍ୟରେ ପରମ୍ପରା ଯୁଦ୍ଧ ଚାଲୁଥାଏ, ସେତେବେଳେ ସେମାନେ ବିବେଚନା କରନ୍ତି କି, ଯେତେ ହୋଇପାରେ ପରମ୍ପରା ଅପକାର କରିବାର ନ୍ୟାୟ ବିରୁଦ୍ଧ ନୁହେଁ । ଯୁଦ୍ଧ ଓ ଦେଶ ଲୁଟିବା ନିମନ୍ତେ ସେମାନେ ଏକ ଜଣ ଅନ୍ୟଜଣ ରାଜ୍ୟକୁ ସୈନ୍ୟ ପ୍ରେରଣ କରନ୍ତି, ଆଉ ଶତ୍ରୁର ଜାହାଜ ଅଟକ ପୁଣି ନଷ୍ଟ କରିବା ପାଇଁ ଆପଣା ଆପଣା ଜାହାଜ ପଠାଇ ଦିଅନ୍ତି । ଏହି ରୂପେ ଯେତେବେଳେ ଶତ୍ରୁମାନଙ୍କ ଅନ୍ତଃକରଣ କେବଳ ପରସ୍ପର ହିଂସା, ଦ୍ୱେଷ, ପ୍ରଭୃତି ଅଶେଷ ବିଷମ ଅସତ୍‍ ପ୍ରବୃତ୍ତିରେ ଦୂଷିତ ଥାଏ, ସେତେବେଳେ ଯେ ଶତ୍ରୁଠାରେ ନ୍ୟାୟପରତା ଆଉ ଦୟା ପ୍ରକାଶ କରେ ସେହି ଯଥାର୍ଥ ମହାତ୍ମା ଏବଂ ଯଥାର୍ଥ ମହାନୁଭାବ ଅଟଇ-

 

୧୯୪୬ ମସିହାରେ, ସ୍ପେନ ଦେଶୀୟମାନଙ୍କ ସହିତ ଇଂରେଜମାନଙ୍କର ଯୁଦ୍ଧ ହୋଇଥିଲା, ସେହି ସମୟରେ ଇଂରେଜମାନଙ୍କର ଇଲିଜାବେତ୍ ନାମରେ ଖଣ୍ଡେ ଜାହାଜ ବହୁସଂଖ୍ୟକ ମହାମୂଲ୍ୟ ବାଣିଜ୍ୟ ଦ୍ରବ୍ୟରେ ପୂର୍ଣ୍ଣ ହୋଇ ଯାଉଥିଲା । ମାର୍ଗ ମଧ୍ୟରେ ଅକସ୍ମାତ୍ ତାହାର ତଳି ଫୁଟିଗଲା । ଜାହାଜର ଲୋକେ ଦେଖିଲେ ଯେ, ନିକଟରେ କେବଳ ହେବେନା ବୋଲି ଏକ ସ୍ଥାନ ଅଛି, କିନ୍ତୁ ତାହା ସ୍ପେନ ରାଜ୍ୟର ଅନ୍ତର୍ଗତ ଅଟେ; ସୁତରାଂ ସେମାନେ ସେଠାକୁ ଗଲେ ତଦ୍ଦେଶ-ବାସୀମାନେ ନିଃସନ୍ଦେହ ଜାହାଜ ଲୁଟି ନେବେ ଏବଂ ସେମାନଙ୍କୁ ସୁଦ୍ଧା କାରାଗାରରେ କଏଦ କରି ରଖିବେ । ମାତ୍ର ସେଠାକୁ ଯିବା ବ୍ୟତିରେକ ପ୍ରାଣରକ୍ଷା ନିମନ୍ତେ ଅନ୍ୟ ଉପାୟ ନ ଦେଖି ସେମାନଙ୍କୁ ଅନାୟତ୍ତ ସେହି ସ୍ଥାନରେ ଜାହାଜ ଲଗାଇବାକୁ ହେଲା ।

 

ଜାହାଜର ମାଲିକ କୂଳରେ ଓହ୍ଲାଇ ସେଠାର ଶାସନକର୍ତ୍ତାଙ୍କ ନିକଟରେ ଉପସ୍ଥିତ ହେଲା ଏବଂ ତାଙ୍କୁ ଜାହାଜ ସମର୍ପଣ କରି ଏତିକିମାତ୍ର ପ୍ରାର୍ଥନା କଲା, ଆପଣ ସର୍ବସ୍ୱ ଗ୍ରହଣ କରନ୍ତୁ, କିନ୍ତୁ କୃପା କରି ଆମ୍ଭମାନଙ୍କଠାରେ ନିତାନ୍ତ ନିର୍ଦୟ ବ୍ୟବହାର କରିବେ ନାହିଁ । ଶାସନକର୍ତ୍ତା କହିଲେ, ଯେବେ ତୁମ୍ଭେମାନେ ଶତ୍ରୁଭାବରେ ଏଠାକୁ ଆସିଥାନ୍ତ, ତେବେ ଜାହାଜ ଲୁଟି କରି ନିଅନ୍ତୁ ଏବଂ ତୁମ୍ଭମାନଙ୍କୁ କାରାଗାରେ କଏଦ କରନ୍ତୁ । ମାତ୍ର ବିପଦଗ୍ରସ୍ତ ହୋଇ ଏଠାକୁ ଆସିଅଛ, ଅତଏବ ଏ ସମୟରେ ତୁମ୍ଭମାନଙ୍କର ଅପକାର ନ କରି ଯଥାସାଧ୍ୟ ସାହାଯ୍ୟ କରିବା ମନୁଷ୍ୟତ୍ୱର କର୍ମ ଅଟେ । ଆମ୍ଭେ ଅନୁମତି ଦେଉଅଛୁଁ ତୁମ୍ଭେମାନେ ଏଠାରେ ରହି ଜାହାଜ ମରାମତି କରି ନିଅ-। ମରାମତ ସମାପ୍ତ ହେଲାରୁ ତୁମ୍ଭେମାନେ ନିର୍ବିଘ୍ନ ଆଉ ନିରୂଦ୍ୱେଗରେ ଜାହାଜ ନେଇ ଯାଇପାରିବ-। ଶାସନକର୍ତ୍ତାଙ୍କର ଏହି ଅସାଧାରଣ ମହାନୁଭାବତା ଦେଖି ଅଧ୍ୟକ୍ଷ ବିସ୍ମୟାପନ୍ନ ହେଲା ।

 

ଶାସନକର୍ତ୍ତାଙ୍କ ଆଜ୍ଞା ପ୍ରମାଣେ ଜାହାଜର ମାଲିକ ସେଠାରେ କିଛିଦିନ ରହି ଜାହାଜ ମରାମତି କରିନେଲା । ପଛେ ସ୍ପେନ ଦେଶର ଯୁଦ୍ଧ ଜାହାଜ ହେତୁରୁ ମାର୍ଗରେ କୌଣସି ବିପଦ ଘଟିବ ଏହି ଆଶଙ୍କା ନିବାରଣ ନିମନ୍ତେ ଶାସନକର୍ତ୍ତା ପ୍ରସ୍ଥାନ ସମୟରେ ତାକୁ ଖଣ୍ଡେ ଆଜ୍ଞାପତ୍ର ଦେଲେ, ତାହା ଦେଖାଇ ସେ ନିର୍ବିଘ୍ନରେ ଆଉ ନିରୂଦ୍ୱେଗରେ ସ୍ୱଦେଶରେ ପହୁଞ୍ଚିଲା ।

 

ଯେ ଶତ୍ରୁବିନାଶର ସମ୍ପୂର୍ଣ୍ଣରୂପେ ସୁଯୋଗ ପାଇ ସୁଦ୍ଧା ତ୍ୟାଗ କରନ୍ତି, ସେହି ମହାତ୍ମା ଆଉ ସେ ମହାନୁଭାବ ପୁଣି ସେ ଭୁବନ-ବିଜୟୀ ହେବେ ବୋଲି ଭୂମଣ୍ଡଳରେ ଅବତୀର୍ଣ୍ଣ ହୋଇଅଛନ୍ତି ।

Image

 

ସ୍ୱଦେଶାନୁରାଗ

 

ସ୍ୱଦେଶାନୁରାଗ ମନର ଏକ ସ୍ୱାଭାବିକ ଧର୍ମ, ପୁଣି ଅତି ପ୍ରଶଂସନୀୟ ଗୁଣ । କୌଣସି ଦେଶର ଲୋକେ ଯେତେ ଅସଭ୍ୟ ହେଉନ୍ତୁ, ଏବଂ ସେହି ଦେଶକୁ ଅନ୍ୟ ଦେଶୀୟ ଲୋକେ ଯେତେ ଅପକୃଷ୍ଟ ଜ୍ଞାନ କରାନ୍ତୁ, ତଥାପି ସେହି ଦେଶରେ ସେହି ଦେଶୀୟ ଲୋକର ଗୋଟିଏ ସ୍ୱାଭାବିକ ଅକଥନୀୟ ଅନୁରାଗ ଥାଏ । ସ୍ୱଦେଶାନୁରାଗ ନ୍ୟାୟାନୁଗତ ଥିଲେ ବଡ଼ ଫଳଦାୟକ ହୁଏ । ଏହି ଗୁଣ ଅଛି ବୋଲି ପ୍ରତ୍ୟେକ ଦେଶର ଲୋକେ ଶତ୍ରୁମାନଙ୍କ ଆକ୍ରମଣରୁ ସ୍ୱଦେଶ ରକ୍ଷା ନିମନ୍ତେ ଉଦ୍ୟତ ହୁଅନ୍ତି; ସ୍ୱଦେଶ-ଶ୍ରୀବୃଦ୍ଧି-ବିଷୟରେ ଯତ୍ନବାନ ହୁଅନ୍ତି, ଅଥଚ ସ୍ୱଦେଶୀୟ ଲୋକଠାରେ ସ୍ନେହ କରନ୍ତି । ଦେଖ, ଇଂରେଜମାନେ ଇଂଲଣ୍ଡ ଆଉ ଇଂରେଜମାନଙ୍କୁ ଅନ୍ୟ ଦେଶ ଅବା ଅନ୍ୟ ଦେଶୀୟ ଲୋକଙ୍କଠାରୁ ଭଲ ମଣନ୍ତି, ଶତ୍ରୁମାନେ ଆକ୍ରମଣ କଲେ ଇଂଲଣ୍ଡ-ରକ୍ଷା-ନିମନ୍ତେ ପ୍ରାଣପଣରେ ଉଦ୍ୟମ କରନ୍ତି, ଇଂଲଣ୍ଡରେ କୃଷି ବାଣିଜ୍ୟ ପ୍ରଭୃତିର ପ୍ରାଦୁର୍ଭାବ ଏବଂ ସ୍ୱଦେଶୀୟ ଲୋକଙ୍କର ସର୍ବପ୍ରକାରରେ ସୁଖ ସମୃଦ୍ଧି ହେଉ, ସର୍ବଦା ଏହି ବାସନା କରୁଥାନ୍ତି । ସ୍ୱଦେଶର ରୀତି, ନୀତି, ଆମ୍ଭର ବ୍ୟବହାର ଆଉ ରାଜଶାସନ ପ୍ରଣାଳୀକୁ ସର୍ବାପେକ୍ଷା ଉତ୍କୃଷ୍ଟ ଜ୍ଞାନ କରି ତଦନୁସାରେ ଚଳନ୍ତି, କଦାପି କୌଣସି ଅଂଶରେ ବିରାଗ କି ଅସନ୍ତୋଷ ଦେଖାନ୍ତି ନାହିଁ, ଏହେତୁରୁ ଇଂଲଣ୍ଡର ଉତ୍ତରୋତ୍ତର ଶ୍ରୀବୃଦ୍ଧି ହେଉଅଛି ।

ସ୍ୱଦେଶାନୁରାଗ ନ୍ୟାୟାନୁଗତ ହେଲେ ଯେମନ୍ତ ବିଶିଷ୍ଟ ଫଳଦାୟକ ହୁଏ, ତଦ୍ୱିପରୀତ ହେଲେ ତେମନ୍ତ ଅବଜ୍ଞେୟ ଆଉ ଅନିଷ୍ଟଜନକ ହୁଏ । ସମସ୍ତ ଜାତିଙ୍କର କୌଣସି କୌଣସି ବିଷୟରେ ନ୍ୟୁନତା ଅଛି, ମଧ୍ୟ ଏମନ୍ତ କୌଣସି କୌଣସି ଦୋଷ ଥାଏ ଯେ ତାହା ଶୋଧନ କରିବା ଆବଶ୍ୟକ ଅଟେ । ମାତ୍ର କୌଣସି କୌଣସି ଜାତି ସ୍ୱଦେଶାନୁରାଗରେ ଅନ୍ଧ ହୋଇ ସେହି ନୂନ୍ୟତା ଆଉ ସେହି ସକଳ ଦୋଷ ଦେଖିପାରନ୍ତି ନାହିଁ । ଏ ଅତ୍ୟନ୍ତ ଅନ୍ୟାୟ । ଏ ରୂପେ ହେଲେ ସେହି ନ୍ୟୁନତାର ପରିହାର ଆଉ ସେ ସେ ଦୋଷର ଖଣ୍ଡନ ହୋଇ ନପାରେ । କୌଣସି କୌଣସି ଜାତି ସ୍ୱଦେଶ ବିଷୟରେ ଏମନ୍ତ ଅନୁରକ୍ତ ଥାନ୍ତି ଯେ, ଅନ୍ୟ ଦେଶର ଆଉ ଅନ୍ୟ ଦେଶ ନିବାସୀ ପ୍ରଜାମାନଙ୍କୁ ଅତ୍ୟନ୍ତ ଘୃଣା କରନ୍ତି, ଏକଥା ଅନ୍ୟାୟ ଅଟେ । ଯେମନ୍ତ କୌଣସି ବ୍ୟକ୍ତି ଆପଣାକୁ ମହାତ୍ମା ଏବଂ ଧାର୍ମିକ ଜ୍ଞାନ କରି ଆଉ ସକଳ ଲୋକଙ୍କୁ ତୁଚ୍ଛ ଓ ଅଧାର୍ମିକ ଜ୍ଞାନ କଲେ ପ୍ରଶଂସା ଯୋଗ୍ୟ ନ ହୋଇ କେବଳ ଉପହାସାସ୍ପଦ ହୁଏ, କୌଣସି ଜାତି ସୁଦ୍ଧା ସେହି ରୂପ କଲେ ତାଦୃଶ ହୁଅନ୍ତି, ସନ୍ଦେହ ନାହିଁ ଶତ୍ରୁମାନଙ୍କ ଆକ୍ରମଣରୁ ସ୍ୱଦେଷରକ୍ଷା ନିମନ୍ତେ ଯତ୍ନବାନ ହେବାର ଯେମନ୍ତ ଉଚିତ, ଉପଯୁକ୍ତ କାରଣ ବ୍ୟତିରେକେ ଅନ୍ୟଦେଶ ଆକ୍ରମଣରେ ଉଦ୍ୟତ ହୋଇ ଯୁଦ୍ଧାନଳ ପ୍ରଜ୍ୱଳିତ କରିବା ତେମନ୍ତ ଅନୁଚିତ ଅଟେ ।

ଯୁଦ୍ଧ ଅଶେଷ ଅମଙ୍ଗଳର ପ୍ରବଳ କାରଣ । ଅତ୍ୟନ୍ତ ଆବଶ୍ୟକ ନୋହିଲେ ଯୁଦ୍ଧପକ୍ଷ ଅବଲମ୍ବନ କରିବା କୌଣସି ପ୍ରକାରରେ ଉଚିତ ନାହିଁ । ସ୍ୱଦେଶର ହିତ ସାଧନରେ ତତ୍ପର ହୋଇ ଅନ୍ୟ ଅନ୍ୟ ଦେଶର ଅହିତାଚରଣରେ ପ୍ରବୃତ୍ତ ହେବା ଅତି ଅସତ୍‍ କର୍ମ ।

ବାସ୍ତବ ପ୍ରତ୍ୟେକ ଲୋକର ଯେଉଁ ସବୁ ନିୟମାନୁସାରେ ଚଳିବାକୁ ହୁଏ, ପ୍ରତ୍ୟକ ଜାତିର ସୁଦ୍ଧା ସେହି ସେହି ନିୟମାନୁବର୍ତ୍ତୀ ହୋଇ ଚଳିବା ଉଚିତ । ପ୍ରତ୍ୟେକ ଲୋକର ଆପଣାକୁ ଭଲ ମଣିବା ଆଉ ଉତ୍ତମ ଉପାୟ ଦ୍ୱାରା ଆପଣାର ଶ୍ରୀବୃଦ୍ଧି ବିଷୟରେ ସଚେଷ୍ଟ ହେବା ନ୍ୟାୟାନୁଗତ କର୍ମ ଅଟେ ସତ୍ୟ, କିନ୍ତୁ ପ୍ରତିବାସୀମାନଙ୍କୁ ଭଲ ମଣିବା ଆଉ ଯଥାସାଧ୍ୟ ସେମାନଙ୍କ ଶ୍ରୀବୃଦ୍ଧି ବିଷୟରେ ସଚେଷ୍ଟ ହେବା ଉଚିତ ଏବଂ ଆବଶ୍ୟକ, କୌଣସି ରୂପେ ସେମାନଙ୍କ ଅନିଷ୍ଟ-ଚେଷ୍ଟା କରିବା ବିଧେୟ ନୁହେଁ । ଏବଂ ପ୍ରତ୍ୟକ ଜାତିର ସୁଦ୍ଧା ଏହି ନିୟମ ପ୍ରତିପାଳନ କରିବା ସର୍ବଦା ଉଚିତ୍ ।

Image

 

କାଲିସ ନଗରର ଅବରୋଧ

 

ଇଂଲଣ୍ଡାଧିପତି ତୃତୀୟ ଏଡ୍‍ଉଆର୍ଉ ମହାରାଜା ବର୍ଷକରୁ ଅଧିକ କାଳ କାଲିସ୍‍ ନଗର ଅବରୋଧ କରିଥିଲେ, ତଥାପି ପୁରବାସୀମାନେ ତାଙ୍କୁ ନଗର ସମର୍ପଣ କଲେ ନାହିଁ; ବିଶେଷତଃ ସେଇ ଅବରୋଧରେ ତାଙ୍କର ଅନେକ ସୈନ୍ୟ କ୍ଷୟ ହୋଇଥିଲେ । ଅନନ୍ତର ସେମାନେ ଆହାରାଭାବରେ ମୃତ ପ୍ରାୟେ ହୋଇ ତାଙ୍କ ହସ୍ତରେ ସମର୍ପଣ କରିବା ଅଭିପ୍ରାୟ ପ୍ରକାଶ କରିବାରେ, ସେ ସେମାନଙ୍କୁ କହି ପଠାଇଲେ, ଆମ୍ଭେ ତୁମ୍ଭମାନଙ୍କ କଥାରେ ସମ୍ମତ ହେବା ନାହିଁ, ଆମ୍ଭର ଯାହା ଇଚ୍ଛା ହେବ ତାହା କରିବା, ଅର୍ଥାତ୍‍ ଇଚ୍ଛା ହେଲେ ତୁମ୍ଭମାନଙ୍କ ଧନ ପ୍ରାଣ ରକ୍ଷା କରିବା, ଇଚ୍ଛା ହେଲେ ନଷ୍ଟ କରିବା, ଯେବେ ଏହି ନିୟମରେ ନଗର ସମର୍ପଣ କରିବ, ତେବେ ତୁମ୍ଭମାନଙ୍କ ପ୍ରାର୍ଥନା ଗ୍ରାହ୍ୟ କରି ପାରିବା । ଏହି କଠିନ ପଣରେ ରାଜାଙ୍କ ସେନାପତିମାନେ ମଧ୍ୟ ଆପତ୍ତି କରିବାରେ ସେ ଶେଷକୁ ନିତାନ୍ତ ଅନିଚ୍ଛାରେ କେବଳ ଏତିକିମାତ୍ର ଅନୁଗ୍ରହ କରିବାକୁ ସମ୍ମତ ହେଲେ ଯେ, ଯେବେ ନଗରର ଛ ଜଣ ପ୍ରଧାନ ଲୋକ ଶୂନ୍ୟ ମସ୍ତକରେ, ଖାଲି ପାଦରେ, ଅତିହୀନ ବେଶରେ, ଗଲଦେଶରେ ପାଶବନ୍ଧନ କରି ନଗର ଆଉ ଦୁର୍ଗର ଚାବି ହାତେ ଧରି ପୁରବାସୀମାନଙ୍କ ପ୍ରତିନିଧି ସ୍ୱରୂପ ଆମ୍ଭ ସାକ୍ଷାତରେ ଉପସ୍ଥିତ ହେବେ, ଏବଂ ଆମ୍ଭେ ସେମାନଙ୍କ ପ୍ରାଣଦଣ୍ଡ କରିବା କିମ୍ୱା ଅନ୍ୟ ଯେଉଁ ପ୍ରକାର ଦଣ୍ଡ ଦେବାକୁ ଇଚ୍ଛା କରିବା, ଯେବେ ସେଥିରେ ସେମାନେ ସମ୍ମତ ହେବେ, ତେବେ ଆମ୍ଭେ ଆଉ ସବୁ ପୁରବାସୀମାନଙ୍କୁ କ୍ଷମା କରିପାରିବା ।

 

ଏହି ପ୍ରସ୍ତାବ ଲେଖା ଯାଇ ନଗରକୁ ପଠିୟା ଗଲା । ପୁରବାସୀମାନେ ଏକତ୍ର ହୋଇ ପଢ଼ିବା ମାତ୍ରକେ ଚତୁର୍ଦ୍ଦିଗରେ ହାହାକାର ଶବ୍ଦ ଉଠିଲା । ଏହି ବିଷମ ପ୍ରସ୍ତାବରେ ସମ୍ମତ ହୋଇ ପାରନ୍ତି ଏରୂପ ଲୋକ ପାଇବା କେତେ କଠିନ ! ତାହା ବିବେଚନା କଲେ ପୁରବାସୀମାନଙ୍କର ଏରୂପ ବିଳାପ ଆଉ ପରିତାପ କୌଣସି ରୂପେ ଅସମ୍ଭବ ନୁହେ । ସେଠାରେ ଇଉଷ୍ଟେସ୍ ଡିସେଣ୍ଟ ପିୟର୍‍ ନାମରେ ଏକ ଅତିପ୍ରଧାନ ବ୍ୟକ୍ତି ଉପସ୍ଥିତ ଥିଲେ । ଯାବତ୍ ନିଃସ୍ୱାର୍ଥ ସ୍ୱଦେଶହିତୈଷିତା ମହାମୂଲ୍ୟ ବୋଲି ଭୂମଣ୍ଡଳରେ ଜ୍ଞାନ କରାଯିବ, ତାବତ୍ ଏହି ମହାତ୍ମାଙ୍କ ନାମ ମନୁଷ୍ୟମାନଙ୍କ ଅନ୍ତଃକରଣରେ ସର୍ବଦା ସ୍ମରଣ ଥିବା ଉଚିତ୍ । କିଛି କାଳ ବାଦାନୁବାଦ ହେଲା ପରେ, ସେ ଆପେ ଉପସ୍ଥିତ ପୁରବାସୀମାନଙ୍କୁ ସମ୍ବୋଧନ କରି କହିଲେ, ବାନ୍ଧବମାନେ ! ଯେ ଆପଣା ପ୍ରାଣ ପର୍ଯ୍ୟନ୍ତେ ସୁଦ୍ଧା ସମର୍ପଣ କରି ଏହି ପରମରମଣୀୟ ନଗରର ରକ୍ଷା ବିଷୟରେ ଆନୁକୁଲ୍ୟ କରିବ, ସେ ଜଗଦୀଶ୍ୱରଙ୍କ ଅନୁଗ୍ରହପାତ୍ର ଓ ସ୍ୱଦେଶର ଆଦରଣୀୟ ହେବ, ସନ୍ଦେହ ନାହିଁ । ଆମ୍ଭେ ସ୍ୱୀକାର କରୁଅଛୁଁ, ଇଂଲଣ୍ଡେଶ୍ୱରଙ୍କୁ ନଗରର ନିଷ୍କ୍ରିୟ ସ୍ୱରୂପ ଆପଣା ମସ୍ତକ ପ୍ରଦାନ କରିବା । ଏହି ବଚନ ଶୁଣି ମୁଗ୍ଧ ଓ ଚମତ୍କୃତ ହୋଇ ସମସ୍ତେ ଅଶ୍ରୁପୂର୍ଣ୍ଣ ଲୋଚନ ଆଉ ଗଦ୍‍ଗଦ ବଚନରେ ଧନ୍ୟବାଦ କଲେ ।

 

ସେଣ୍ଟ ପିୟରଙ୍କର ଏହି ଅସାଧାରଣ ଆତ୍ମସମର୍ପଣୋଦ୍ୟମ ଦେଖି ଆଉ ପାଞ୍ଚ ଜଣ ମହାନୁଭାବ ପ୍ରଧାନ ପୁରବାସୀମାନେ ତାଙ୍କ ଅନୁବର୍ତ୍ତୀ ହେଲେ । ଏଡ଼୍ଉଆର୍ଡ ଯେଉଁ ଆଜ୍ଞା କରିଥିଲେ, ଏ ଛ ଜଣ ଅତି ଶୀଘ୍ର ସେଇ ପ୍ରକାର ହୀନ ବେଶ ଧାରଣ କଲେ; ମାତ୍ର ଇଦୃଶ କାର୍ଯ୍ୟାନୁରୋଧରେ ଏହି ହୀନ ବେଶର ମହାମୂଲ୍ୟ ରାଜାବେଶ ଅପେକ୍ଷା ଅଧିକ ଶୋଭାକର ଏବଂ ଅଧିକ ପ୍ରଶଂସନୀୟ ହେଲା । ସେମାନେ ଏଡ଼୍ଉଆର୍ଡଙ୍କ ନିକଟରେ ଉପସ୍ଥିତ ହୋଇ ସ୍ୱଦେଶର ନିଷ୍କ୍ରିୟ ସ୍ୱରୂପ ଆତ୍ମସମର୍ପଣ କଲେ । ରାଜା ସେମାନଙ୍କୁ ନିରୀକ୍ଷଣ କରି ଅତିଶୟ କ୍ରୋଧରେ ତିରସ୍କାର କରି କହିଲେ, ତୁମ୍ଭେମାନେ ଶୀଘ୍ର ପରାଜୟ ସ୍ୱୀକାର କରି ନାହିଁ । ଏ ସକାଶେ ଆମ୍ଭର ଏତେ ସୈନ୍ୟ ନଷ୍ଟ ହେଲେ । ଏ କଥା କହି ଅତିଶୀଘ୍ର ସେମାନଙ୍କ ଶିରଚ୍ଛେଦନ କରିବାକୁ ଆଜ୍ଞା ଦେଲେ । ସର ଉଆଲଟର ମ୍ୟାନି ପ୍ରଭୃତ ଅନେକ ସମ୍ଭ୍ରାନ୍ତ ଲୋକେ ଏବଂ ସ୍ୱୟଂ ଯୁବରାଜସୁଦ୍ଧା ଏହି କଠିନ ବ୍ୟାପାର ନିବାରଣ ନିମନ୍ତେ ଅନେକ ଯତ୍ନ ଆଉ ଅନୁରୋଧ କରିଥିଲେ; ମାତ୍ର କୌଣସି ରୂପେ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ ।

 

ପରିଶେଷରେ ରାଜମହିଷୀଙ୍କର ଅନ୍ତଃକରଣରେ କରୁଣା ସଞ୍ଚାର ହେବାରୁ, ସେ ତତ୍‍କ୍ଷଣାତ୍‍ ରାଜାଙ୍କ ସମୀପରେ ଉପସ୍ଥିତ ହେଲେ, ଏବଂ କୃତାଞ୍ଜଳି ହୋଇ ବିନୟ ବଚନ ପୁଣି ଅଶ୍ରୁଲୋଚନରେ ସେ ଛ ଜଣଙ୍କର ପ୍ରାଣଦାନ ପ୍ରାର୍ଥନା କଲା ।

 

ରାଜା ନାନା କାରଣରେ ରାଜମହିଷୀଙ୍କ ପ୍ରତି ଅତିଶୟ ପ୍ରୀତ ଆଉ ପ୍ରସନ୍ନ ଥିଲେ; ବର୍ତ୍ତମାନ ତାଙ୍କର ଏହି ପ୍ରାର୍ଥନା ଶୁଣି କି କରିବେ କିଛି ସ୍ଥିର କରି ନ ପାରି ପ୍ରଥମେ କିଛି କାଳ ନିସ୍ତବ୍ଧ ହୋଇ ରହିଲେ, ଶେଷରେ କହିଲେ, ପ୍ରିୟେ ! ଯେବେ ତୁମ୍ଭେ ଆଜ ଦିନ ଅନ୍ୟ ସ୍ଥାନରେ ଥାନ୍ତା, ତେବେ ଭଲ ହୋଇଥାନ୍ତା । ଯାହା ହେଉ, ଆମ୍ଭେ ପ୍ରାର୍ଥନା ବିଫଳ କରି ପାରୁଁ । ଏହି ଛ ଜଣଙ୍କ ଘେନି ଯାଇ ଯାହା ଇଚ୍ଛା ହୁଏ କର । ପରମ ଦୟାବତୀ ମହାରଣୀ ଆପଣାର ଅନୁରୋଧ ରକ୍ଷା ହେଲା ଦେଖି ଅତିଶୟ ପ୍ରୀତିଯୁକ୍ତ ହେଲେ ଏବଂ ତତ୍‍କ୍ଷଣାତ୍‍ ସେମାନଙ୍କୁ ନୁତନ ବସ୍ତ୍ର ପରିଧାନ କରାଇ ଆପଣା ଆପଣା ଗୃହକୁ ପଠାଇ ଦେଲେ ।

Image